ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ରାଜନିତୀରେ ଜଣେ ଦକ୍ଷ ରାଜନେତା ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଛାତ୍ର ରାଜନୀତିରୁ ଆରମ୍ଭ କରି ଭାରତୀୟ ରାଜନିତୀର ଯାତ୍ରା।

ଭାରତୀୟ ରାଜନୀତିର ଜଣେ ପ୍ରମୁଖ ରାଜନେତା ତଥା ମୋଦୀ ସରକାରଙ୍କ ପ୍ରଥମ ପାଳିର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଭାରତୀୟ ରାଜନୀତିରେ ତାଙ୍କର ଅନେକ ଅବଦାନ ରହିଥିଲା। ଭାରତୀୟ ଜନତା ପାର୍ଟିର ଜଣେ ମାର୍ଗଦର୍ଶକ ଭାବେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ବାଜପେୟୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସେ ଗୁରୁତ୍ଵପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ଏହାସହ ସେ ସୁପ୍ରିମ୍‌ କୋର୍ଟର ଜଣେ ଖ୍ୟାତନାମା ଆଇନଜୀବି ଥିଲେ।

ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ଜୀବନ

ଅରୁଣ ଜେଟଲି ୧୯୫୨ ମସିହା ଡିସେମ୍ଵର ୨୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ମହାରାଜା କିଶନ ଜେଟଲି ଓ ରତ୍ନପ୍ରଭା ଜେଟଲି। ତାଙ୍କ ବାପା ମଧ୍ୟ ଜଣେ ଆଇନଜୀବି ଥିଲେ। ସେ ୧୯୫୭ ମସିହାରୁ ସେଣ୍ଟ ଜାଭିୟର ସ୍କୁଲରୁ ନିଜ ଶିକ୍ଷା ଆରମ୍ଭ କରିଥିଲେ। ପରେ ଦିଲ୍ଲୀର ଶ୍ରୀରାମ କଲେଜରୁ କମର୍ସରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ୧୯୭୩ ମସିହାରେ ନିଜ ଆଇନ ଶିକ୍ଷା ଶେଷ କରିଥିଲେ। ରାଜନୀତି ବ୍ୟତୀତ ଖେଳରେ ମଧ୍ୟ ସେ ରୁଚି ରଖୁଥିଲେ। ସେ ଭଲ ଟେବୁଲ ଟେନିସ ଖେଳନ୍ତି। ଏହାସହ ସେ ଦିଲ୍ଲୀ କ୍ରିକେଟ ଆସେସିଏସନର ସଭାପତି ରହିଥିଲେ। ୧୯୮୨ ମସିହାରେ ସଙ୍ଗୀତା ଡୋଗ୍ରାଙ୍କୁ ସେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ରୋହନ ଓ ଗୋଟିଏ ଝିଅ ସୋନାଲି।

ଅରୁଣ ଜେଟଲୀଙ୍କ ଛାତ୍ର ରାଜନୀତି

ଛାତ୍ର ଜୀବନରୁ ହିଁ ସେ ରାଜନୀତିରେ ସକ୍ରିୟ ଥିଲେ। ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ସେ ଏବିଭିପିର ଛାତ୍ରନେତା ଥିଲେ। ପରେ ୧୯୭୪ ମସିହାରେ ସେ ବିଶ୍ଵବିଦ୍ୟାଳୟ ଛାତ୍ର ୟୁନିୟନର ସଭାପତି ହୋଇଥିଲେ। ୧୯୭୫ରୁ ୧୯୭୭ ମସିହାରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ସେ ୧୯ ମାସ ଜେଲରେ ରହିଥିଲେ। ଦୁର୍ନୀତି ବିରୋଧରେ ୧୯୭୩ ମସିହାରେ ଜୟନାରାୟଣ ଓ ରାଜ ନାରିନ କରିଥିବା ଆନ୍ଦୋଳନରେ ସାମି ହୋଇଥିଲେ। ପରେ ୧୯୭୭ ମସିହାରେ ତାଙ୍କୁ ଯୁବା ମୋର୍ଚ୍ଚାରେ ସାମିଲ ହୋଇଥିଲେ। ଏହାସହ ତାଙ୍କ ଦିଲ୍ଲୀ ଏବିଭିପିର ସଭାପତି ଓ ସର୍ବଭାରତୀୟ ଏବିଭିପିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୮୦ ମସିହାରେ ସେ ବିଜେପିରେ ଯୋଗ ଦେଇ ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ରହିଥିଲେ।

ଭାରତୀୟ ରାଜନୀତିରେ ଅରୁଣ ଜେଟଲୀ

୧୯୯୦ ମସିହାରେ ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଓକିଲ ମାନ୍ୟତା ପାଇଥିଲେ। ୧୯୯୧ରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ବାଜପେୟୀ ସରକାରଙ୍କ ପାଳିରେ ସେ ୧୯୯୯ ମସିହାରେ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ପରେ ୨୦୦୦ ମସିହାରେ ଆଇନ ଓ କମ୍ପାନି ଆଫାୟାର୍ସ ମନ୍ତ୍ରୀ ହୋଇଥିଲେ। ଏହାପରେ ମନମୋହନ ସିଂଙ୍କ ସରକାର ବେଳେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ୨୦୦୯ରେ ଦାୟିତ୍ଵ ଗ୍ରହଣ କରିଥିଲେ। ଅରୁଣ ଜେଟଲି ଲୋକସଭାକୁ କେବେ ନିର୍ବାଚିତ ହୋଇନଥିଲେ। ବିଜେପିରୁ ସେ କେବଳ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଶେଷ ଥର ପାଇଁ ୨୦୧୪ ସେ ପଞ୍ଜାବର ଅମୃତସର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ କ୍ୟାପଟେନ ଅମିରିନ୍ଦର ସିଂହଙ୍କ ବିରୋଧରେ ପରାଜିତ ହୋଇଥିଲେ।

ମୋଦିଙ୍କ ପ୍ରଥମ ସରକାର ବେଳେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ତୁଲାଇଛନ୍ତି। ଏହାସହ ୨୦୧୪ରୁ ୨୦୧୬ ଯାଏଁ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ହୋଇଥିଲେ। ୨୦୧୯ ଅଗଷ୍ଟ ୯ ତାରିଖରେ ନିଶ୍ଵାସ ନେବାରେ ଅସୁବିଧା ହେବାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଅଗଷ୍ଟ ୨୪ରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଭାରତୀୟ ରାଜନିତୀରେ ଶୋକର ଛାୟା ଖେଳାଇ ଦେଇଛି।

Comment