ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ଟ୍ରମ୍ପ୍‌। ଇମ୍ରାନ ଖାନ୍‌ ବାଉଳା।

କଶ୍ମୀରକୁ ନେଇ ବିଶ୍ୱ ଦରବାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯେଉଁ ଗୋଟି ଚାଳନା କରୁଥିଲେ ସେଥିରେ ଆଜି ଶକ୍ତ ଝଟ୍‌କା ଲାଗିଛି। କଶ୍ମୀର ପ୍ରସଙ୍ଗରେ ଆମେରିକା ହସ୍ତକ୍ଷେପ କରିବ ନାହିଁ ବୋଲି ଡୋନାଲ୍ଡ ଟ୍ରମ୍ପ୍‌ କହିବା ପରେ ଇମ୍ରାନ ପୁଣି ବିଳି ବିଳି ହୋଇଛନ୍ତି। ଭାରତ ସମେତ ସାରା ବିଶ୍ୱକୁ ପରମାଣୁ ଧମକ ଦେଇଛନ୍ତି ଇମ୍ରାନ।

ଫ୍ରାନ୍ସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଶ୍ମୀର ପ୍ରସଙ୍ଗରେ ଦୀର୍ଘ ସମୟ ଧରି ହୋଇଥିଲା ଆଲୋଚନା। ଆଲୋଚନା ଶେଷ ହେବା ପରେ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ମୋଦି କହିଥିଲେ, ‘‘କଶ୍ମୀର ହେଉଛି ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଅନ୍ୟ ଦେଶର ହସ୍ତକ୍ଷେପ ଆମେ ଚାହୁଁନୁ। ଆମ ସମସ୍ୟାରେ ତୃତୀୟ ପକ୍ଷକୁ କଷ୍ଟ ଦେବାକୁ ଚାହୁଁନୁ। କେବଳ କଶ୍ମୀର ନୁହେଁ, ଭାରତ-ପାକିସ୍ତାନ ଭିତରେ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ରହିଛି। ଆମେ ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବୁ।’’

ମୋଦି ଏହି ବିବୃତିରେ ସହମତ ହୋଇଥିଲେ ଟ୍ରମ୍ପ। କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି କହିଥିଲେ ଟ୍ରମ୍ପ୍‌।

ଟ୍ରମ୍ପଙ୍କ ବିବୃତି ପରେ ଇମ୍ରାନଙ୍କୁ ଝଟ୍‌କା ଲାଗିଛି। ଇମ୍ରାନ ଗଣମାଧ୍ୟମକୁ ବିବୃତି ଦେଇ ପରମାଣୁ ଧମକ ଦେଇଛନ୍ତି।

ଇମ୍ରାନଙ୍କ ପରମାଣୁ ଧମକ

‘‘ଭାରତ ଏବଂ ପାକିସ୍ତାନ ହେଉଛନ୍ତି ପରମାଣୁ କ୍ଷମତା ସମ୍ପନ୍ନ ରାଷ୍ଟ୍ର। ପରମାଣୁ ଯୁଦ୍ଧ ହେଲେ କେହି ଜିତିବେନି। ସାରା ବିଶ୍ୱ ଏଥିରେ ପ୍ରଭାବିତ ହେବ’’, କହିଛନ୍ତି ଇମ୍ରାନ।

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଚାରିଆଡୁ ନିରାଶ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ହଟହଟା ହେବା ପରେ ଆମେରିକାର ସହାୟତା ଲୋଡ଼ିଥିଲା। ଏଥିରେ ଟ୍ରମ୍ପ ରାଜି ହୋଇ ଭାରତ ସହ ଆଲୋଚନା କରିବାକୁ ଇମ୍ରାନଙ୍କୁ କହିଥିଲେ। ହେଲେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସବୁ ଗଣିତ ବଦଳି ଯାଇଥିଲା।

ଟ୍ରମ୍ପକୁ ମୋଦି ସାକ୍ଷାତ କରି କଶ୍ମୀର ପ୍ରସଙ୍ଗରେ ବୁଝାଇଥିଲେ। ଶେଷରେ ଟ୍ରମ୍ପ ହସ୍ତକ୍ଷେପ କରିବାକୁ ମନା କରିଦେଲେ। ଏଥିରେ ଇମ୍ରାନ ବାଉଳି ଖାଉଛନ୍ତି। ଶେଷରେ ସେ ସମଗ୍ର ବିଶ୍ୱକୁ ପରମାଣୁ ଧମକ ଦେଇଛନ୍ତି।

ଇମ୍ରାନ ଆହୁରି କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗକୁ ବିଶ୍ୱର ସବୁ ପ୍ଲାଟଫର୍ମରେ ଉଠାଯିବ। ସେପ୍ଟେମ୍ବର ମାସରେ ଇଂଲଣ୍ଡରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦରେ ଏହି ପ୍ରସଙ୍ଗ ଉଠାଯିବ। ଦରକାର ପଡ଼ିଲେ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ କୋର୍ଟକୁ ଯିବ।

ଚାରିଆଡୁ ନିରାଶ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନର ହଡ଼ବଡ଼ ହୋଇଯାଇଛି। ମିଳିତ ଅଧିବେଶନରେ ଇମ୍ରାନ ୩୭୦ ଉଛେଦକୁ ନିନ୍ଦା କରିବା ପରେ ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ହେଲେ କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ପାକିସ୍ତାନକୁ ଜଣାଇ ଦେଇଥିଲେ ସୁରକ୍ଷା ପରିଷଦ ଅଧ୍ୟକ୍ଷ। ଏହାପରେ ପାକିସ୍ତାନ ଚୀନର ସହାୟତା ଲୋଡ଼ିଥିଲା।

ଚୀନ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା। ଶେଷରେ ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକ ବସିଥିଲା। ହେଲେ ୠଷ୍‌ ଭାରତକୁ  ସମର୍ଥନ କରିବାରୁ କଶ୍ମୀର ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା।

ଏବେ ଟ୍ରମ୍ପ ଶେଷରେ ପାକିସ୍ତାନକୁ ଝଟ୍‌କା ଦେଲେ। ଏବେ ପାକିସ୍ତାନ କ’ଣ କରିବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

Comment