ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୦ ମାଓ ପ୍ରଭାବିତ ରାଜ୍ୟକୁ ନେଇ ଦିଲ୍ଲୀରେ ବସିଥିଲା ବୈଠକ।

ନୂଆଦିଲ୍ଲୀରେ ବସିଥିବା ଆନ୍ତଃରାଜ୍ୟ କାଉନସିଲ୍‌ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ପ୍ରଭାବିତ ଅଞ୍ଚଳର ବିକାଶ ପ୍ରସଙ୍ଗ ଉଠାଇଛନ୍ତି। ଓଡ଼ିଶାର ମାଓ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍, ରେଳ ପ୍ରକଳ୍ପ ଏବଂ ଟେଲି କମ୍ୟୁନିକେସନ ସୁବିଧା କରିବାକୁ ନବୀନ ଦାବି କରିଛନ୍ତି।

ମାଓବାଦୀ ଅପରେସନକୁ ଜୋରଦାର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିଲା ଆନ୍ତଃରାଜ୍ୟ କାଉନସିଲ୍‌ ବୈଠକ। ଏହି ବୈଠକରେ ୧୦ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ।

‘‘ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହାସହ ଏହି ଦୁଇଟି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେବ ତାର ଅଧା ରାଜ୍ୟ ସରକାର ବହନ କରିବେ। ମାଓ ପ୍ରଭାବିତ ବ୍ଲକରେ ବ୍ୟାଙ୍କିଙ୍ଗ ଏବଂ ଟେଲି କମ୍ୟୁନିକେସନ ସୁଦୃଢ଼ କରିବାକୁ ଦାବି କରିଛି’’, ବୈଠକ ପରେ କହିଛନ୍ତି ନବୀନ ପଟ୍ଟନାୟକ।

ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଯୋଗ ଦେଇଥିଲେ।

ମାଓ ପ୍ରଭାବିତ ରାଜ୍ୟରେ ବିକାଶମୂଳକ କାମ କେତେ ଆଗେଇଛି ଏବଂ ମାଓ ଦମନ ପାଇଁ ସଂପୃକ୍ତ ରାଜ୍ୟ ସରକାରମାନେ କ’ଣ ପଦକ୍ଷେପ ନେଇଛନ୍ତି ତାର ସମୀକ୍ଷା କରିଥିଲେ ଅମିତ ଶାହ।

Comment