ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣକୁ ଏବେଠାରୁ ଆହୁରି ବ୍ୟାପକ କରାଯିବ। ଏନେଇ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସୋମବାରଠାରୁ ସବୁ ସ୍ଥାନରେ ହିତାଧିକାରୀଙ୍କ ସମ୍ମିଳନୀ ହୋଇଛି।  ଏହା ୩୧ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି।

ଏଥିରେ ହିତାଧିକାରୀଙ୍କ ମତାମତ ନିଆଯିବ। ତାଛଡ଼ା ଗୃହ ନିର୍ମାଣ, କିସ୍ତି, ଆମ ଘର ଆପ୍‌ ସଂକ୍ରାନ୍ତରେ ମଧ୍ୟ ସେମାନଙ୍କୁ ସଚେତନ କରାଯିବ।

ମୁଖ୍ୟତଃ ୫ଟି ସ୍ତରରେ ଏହି ଯୋଜନାକୁ ତ୍ୱରାନ୍ୱିତ କରାଯିବ। ପ୍ରଶିକ୍ଷଣ, ହିତାଧିକାରୀ ସମ୍ମିଳନୀ, ଗୃହ ନିର୍ମାଣ ପାଇଁ ମୂଳଦୁଆ ସ୍ଥାପନ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ, ଗୃହ ନିର୍ମାଣ ପାଇଁ କଞ୍ଚାମାଲ ଯୋଗାଇବା ଦାୟିତ୍ୱ ଏବଂ ଗୃହପ୍ରବେଶ କାର୍ଯ୍ୟକ୍ରମ।

ଅଗଷ୍ଟ ୨୬ ତାରିଖ ଠାରୁ ୩୧ ଯାଏଁ ହିତାଧିକାରୀ ସମ୍ମିଳନୀ ହେବ। ୩୧ ଅଗଷ୍ଟଠାରୁ ସେପ୍ଟେମ୍ବର ୭ ତାରିଖ ଯାଏଁ ଗୃହ ନିର୍ମାଣ ପାଇଁ ମୂଳଦୁଆ ସ୍ଥାପନ ଅଭିଯାନ ଚାଲିବ।

ସେହିପରି ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ପ୍ରାୟ ୩ ଲକ୍ଷ ପକ୍କା ଘରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଭିଡିଓ କନଫେରେନ୍ସିଂ ଜରିଆରେ ଏହା କରାଯିବ। ଏହି ଭିଡିଓ କନଫେରେନ୍ସିଂ ସମୟରେ ସାଂସଦ, ବିଧାୟକ, ମନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ରହିବେ। ସେହିପରି ଚତୁର୍ଥ ସପ୍ତାହରେ ମଧ୍ୟ ସମାନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଗୃହ ସମ୍ପୂର୍ଣ୍ଣ ହେବା ପରେ ଗୃହ ପ୍ରବେଶ ପର୍ବ କରାଯିବ। ଅକ୍ଟୋବର ୨ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ହେବ। ଶୁଭ ଦିନ ଦେଖି ହିତାଧିକାରୀ ଗୃହ ପ୍ରବେଶ କରିବେ। ଦିପାବଳୀରେ ମଧ୍ୟ ଏହି କାର୍ଯ୍ୟକ୍ରମଅନୁଷ୍ଠିତ ହେବ। ଯେଉଁ ହିତାଧିକାରୀଙ୍କୁ ଅର୍ଥ କିସ୍ତି ସଠିକ ସମୟରେ ମିଳୁ ନାହିଁ, ତାହାର  କାରଣ ଖୋଜିବାକୁ ବ୍ୟବସ୍ଥା ହୋଇଛି।  ଆପ୍‌ ଜରିଆରେ ତଥ୍ୟ ଦେଇ କିପରି ହିତାଧିକାରୀଙ୍କ ଖାତାକୁ ଟଙ୍କା ଯିବା ସେନେଇ ପଂଚାୟତରାଜ ବିଭାଗ ବିଚାର କରୁଥିବା ଜଣାପଡିଛି।

Comment