ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ସୋମବାର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ କଳାହାଣ୍ଡି ଓ କୋରାପୁଟର କଳାକାରମାନେ ‘ଗଣବାଜା ଓ ଦୁରୁଆ ଢ଼େମ୍‌ସା ନୃତ୍ୟ’ ପାରଂପରିକ  ନୃତ୍ୟ ପରିବେଷଣ କରିଥିଲେ।

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ କଳାହାଣ୍ଡିର ମୃଣ୍ମୟୀ କଲ୍ଚରାଲ୍ ସୋସାଇଟି ପକ୍ଷରୁ କଳାକାରମାନେ ‘ଗଣବାଜା’ ପରିବେଷଣ କରିଥିଲେ। ଗଣ ବାଜା ହେଉଛି ଗଣ ସମ୍ମାଜ ଦ୍ୱାରା ପ୍ରଚଳିତ ଏକ ପାରମ୍ପରିକ ପ୍ରାଚୀନ ବାଦ୍ୟ। ଏଥିରେ ୫ଟି ବାଦ୍ୟଯନ୍ତ୍ର ଯଥା ଢୋଲ, ତାସା, ନିଶାନ, ମହୁରୀ ଓ ଝାଞ୍ଜ ବ୍ୟବହାର କରାଯାଇଥାଏ।

ପଞ୍ଚବାଦ୍ୟର ତାଳେ ତାଳେ ଅନୁଷ୍ଠାନର କଳାକାରମାନେ ‘ଫୁରୁଲି ଝରନ ପାନି ଝର ଝର’ ଗୀତରେ ନାଚିଥିଲେ। ଫୁରୁଲି ଝରନ ହେଉଛି  କଳାହାଣ୍ଡିର ଏକ ଝରଣା, ଯାହା ଉପରେ ଆଧାରିତ ହୋଇଥିଲା ସଂପୂର୍ଣ୍ଣ ନୃତ୍ୟର ଗୀତ।

ଏହି ନୃତ୍ୟରେ ମୋଟ ୧୫ ଜଣ କଳାକାର ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ଜଗନ୍ନାଥ ଦାସ ଓ ମୃଣ୍ମୟୀ ଦାସଙ୍କ ନିର୍ଦ୍ଦେଶନା ଦେଇଥିଲେ।
ଏହାପରେ ଦ୍ୱିତୀୟ ପ୍ରସ୍ତୁତିରେ କୋରାପୁଟ ଗୁପ୍ତେଶ୍ୱରର ଦୁରୁଆ ଜନଜାତିର କଳାକାର କୁଳମଣି ଜେନା ଓ ତାଙ୍କ ସାଥୀକଳାକାରମାନେ ‘ଦୁରୁଆ ଢ଼େମସା ନୃତ୍ୟ’ ପରିବେଷଣ କରିଥିଲେ। ପ୍ରଥମେ ସେମାନେ ଢୋଲ, ଟୁଡୁବୁଡ଼ି, ନିଶାନ ଓ ବଂଶୀ ବଜାଇ ‘ବିର୍ଲି ଢ଼େମ୍ ସା‘ ନୃତ୍ୟ ପରିବେଷଣ କରିଥିଲେ।  ଦୁରୁଆ ନୃତ୍ୟରେ ମୁଖ୍ୟ ଆକର୍ଷଣ ଥିଲେ ଟ୍ରାଇବାଲ୍ କୁଇନ୍ ମୁକୁଟ ପିନ୍ଧିଥିବା ପଲ୍ଲବୀ ଦୁରୁଆ।

ଏହାପରେ ଆମ୍ବ ପରବ ସମୟର ‘ମାନକୁଲ’ ନୃତ୍ୟ ପରିବେଷଣ କରାଯାଇଥିଲା। ଫଗୁଣ ମାସରେ ହୋଲି ପର୍ବରେ କରୁଥିବା ‘ଡାଣ୍ଡାରି’ ନାଚ ପରିବେଷଣ କରିଥିଲେ।

ଜୁମକ୍ ଜାମକ୍ ଡାଣ୍ଡାଜ ଗୀତରେ ମଞ୍ଚରେ ବାଉଁଶ ଖେଳ ଦେଖାଇଥିଲେ। ଶେଷରେ ‘ବାଉଁଶ ଡେଗା ଡେଗା’ ଗୀତରେ ଢେମ୍‌ସା ନୃତ୍ୟ ପରିବେଷଣ ହୋଇଥିଲା।

ଟ୍ରାଇବାଲ୍ କୁଇନ୍ ମୁକୁଟ ପିନ୍ଧିଥିବା ପଲ୍ଲବୀ ଦୁରୁଆ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ।

ସନ୍ଧ୍ୟାରେ ଅତିଥି ଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସ୍ୱତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ, ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ମାସରେ ‘ଆମ ଲୋକକଳା ଆମ ସଂସ୍କୃତି’ ଆରମ୍ଭ ହୋଇଛି।

Comment