ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଶନିବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରତି ମାସରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ସିଂଘ ବାଦ୍ୟ ଏବଂ କଳାହାଣ୍ଡିର ଘୁମୁରା ପରିବେଷଣ କରାଯାଇଥିଲା। ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଷୋୟୀ, ଉପ ନିର୍ଦ୍ଦେଶକ ଦେବାନନ୍ଦ ବରିହା ଏବଂ ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ଯୋଗ ଦେଇଥିଲେ।

‘‘ଓଡ଼ିଶା ଲୋକକଳାର ପ୍ରଚାର ପ୍ରସାର ଏବଂ ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ। ଓଡ଼ିଶାର ଗାଁ ଗହଳିରେ ଅନେକ ଲୋକକଳା ରହିଛି। ଆମ ସଂସ୍କୃତିର ମୂଳଧନ ହେଉଛି ଲୋକକଳା। ଆମ ରାଜ୍ୟରେ ୬୨ଟି ଜନଜାତି ଅଛନ୍ତି। ୬୨ ପ୍ରକାରର ଲୋକନୃତ୍ୟ ରହିଛି। ୪୭୧ ଲୋକକଳା ସଂଘ ରହିଛି ଏବଂ ଦେଢ଼ ଲକ୍ଷ କଳାକାର ମଧ୍ୟ ରହିଛନ୍ତି। ଏଣୁ ଏହାକୁ ଦୃଷ୍ଟିରେ ରଖି ଲୋକକଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଆମେ ଭୁବନେଶ୍ୱରରେ ପ୍ରତି ମାସରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛୁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସିଥିବା ମା’ ମଙ୍ଗଳା ସିଂଘ ବାଦ୍ୟର କଳାକାରମାନେ ତାଙ୍କ କଳା ପ୍ରଦର୍ଶନ କରିଥିଲେ। ୧୯୦୫ ମସିହାରେ ଏହି ବାଦ୍ୟ ପ୍ରଚଳନ ହୋଇଥିଲା। ରାଜା ସାଲ ଭଞ୍ଜଙ୍କ ଅମଳରୁ ଏହି ବାଦ୍ୟ ପ୍ରଚଳନ ହୋଇଥିଲା। ଗୁରୁ ଶରତ କୁମାର ସାହୁଙ୍କ ନିର୍ଦ୍ଦେଶନାରେ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ।

ପରେ ମଞ୍ଚକୁ ଆସିଥିଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଆସିଥିବା କଳାକାରମାନେ। ଜିତେନ୍ଦ୍ର କୁମାର ଭୋଇ ଏବଂ ସାଥୀ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। କଳାକାରମାନଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

Comment