ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକାରେ ଫସିଥିବା ମାଲେସିଆ ଜାହାଜ ‘ଜିନ୍ ହ୍ୱା’ର କଣ୍ଟେନର ପାଣିରେ ବୁଡ଼ି ଯାଇଛି। ହେଲେ ଇଞ୍ଜିନ ସୁରକ୍ଷିତ ରହିଛି। ଏବେ ଇଞ୍ଜିନରୁ ତେଲ କେମିତି ନିଷ୍କାସନ କରାଯିବ ତାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି।

ଯଦି ଇଞ୍ଜିନଟି ପାଣି ବୁଡ଼ି ଯାଏ ତାହାଲେ ଜାହାଜରୁ ତେଲ ନିଷ୍କାସନ କରିବା ସହଜ ହେବ ନାହିଁ। ତେଲ ପାଣିରେ ଭାସିବ। ଫଳରେ ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପଡ଼ିବ। ଇଞ୍ଜିନ ପାଣିରେ ବୁଡ଼ିବା ପୂର୍ବରୁ ତେଲ ନିଷ୍କାସନ ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ‘‘ଜାହାଜର କଣ୍ଟେନରଟି ପାଣିରେ ବୁଡ଼ି ଯାଇଛି। ଇଞ୍ଜିନ ସୁରକ୍ଷିତ ଅଛି। ଇଞ୍ଜିନରୁ ସୁରକ୍ଷିତ ଭାବେ ତେଲ ନିଷ୍କାସନ କରିବା ପାଇଁ ଉଦ୍ୟମ କରାଯାଉଛି। ତେଲ ନିଷ୍କାସନ ପାଇଁ ଗୋଟିଏ ଟିମ୍‌ ଆସିବ। ଦୁଇରୁ ତିନି ଦିନ ଭିତରେ ଜାହାଜରେ ଥିଲା ତେଲ ନିଷ୍କାସନ କରାଯିବ।’’

ପାଗ ଖରାପ ଥିବାରୁ ମାଲେସିଆ ଜାହାଜଟି ଦିଗ ବଦଳାଇ ଚିଲିକା ଉପକୂଳକୁ ଚାଲି ଆସିଥିଲା। ଅଗଷ୍ଟ ୭ରୁ ଏହି ଜାହାଜଟି କୃଷ୍ଣପ୍ରସାଦ ଥାନାର ରାଜହଂସ ନିକଟରେ ଫସିଛି। ପବନରେ ଜାହାଜ କଣ୍ଟେନରରେ ଫାଟ ସୃଷ୍ଟି ହେବାରୁ ତାହା ଆଗକୁ ଯାଇପାରି ନଥିଲା। କଣ୍ଟେନରରେ ଥିବା ଫାଟରେ ପାଣି ପଶିବାରୁ କଣ୍ଟେନରଟି ବୁଡ଼ି ଯାଇଛି।

ଏହି ଜାହାଜରେ ପ୍ରାୟ ୩୦ ହଜାର ଲିଟର ଡିଜେଲ୍‌ ରହିଛି। ଏହାସହ ୧ ହଜାର ଲିଟର ଲୁବ୍ରିକାଣ୍ଟ ଏବଂ ୨୦୦ ଲିଟର ହାଇଡ୍ରୋଲିକ୍‌ ତେଲ ରହିଛି। ଯଦି ଏହି ତେଲ ଲିକ୍‌ ହୁଏ ତାହାଲେ ଜୈବ ବିବିଧତା ଉପରେ ପ୍ରଭାବ ପଡ଼ିବ। ପରିବେଶ ମଧ୍ୟ ପ୍ରଦୂଷିତ ହେବ।

Comment