ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣାରେ ୪ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହଷ୍ଟେଲରେ ସୁରକ୍ଷା ଦିୟିତ୍ୱାର ଥିବା ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରାଯାଇଛି।

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ଶିକ୍ଷକ ସଂଘ ଉପରେ ଭାରୀ ପଡ଼ିଛି। ଏହି ଘଟଣାରେ ୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୨ ସୁରକ୍ଷାକର୍ମୀଙ୍କୁ ବହିଷ୍କୃତ କରାଯାଇଛି।

୪ ଶିକ୍ଷକ ନିଲମ୍ବିତ

ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ମୁତାବକ, କୁଳପତି ଅଟଳ ଚୌଧୁରୀ ଶିକ୍ଷକ ସଂଘର ଉପସଭାପତି ଓ ସମ୍ପାଦକଙ୍କୁ ନିଲମ୍ବନ କରିଥିବା ବେଳେ ବାକି ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏହି ନୋଟିସ୍‌ରେ ୧୫ ଜଣଙ୍କୁ ୧୫ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା। କିନ୍ତୁ ୪ ଜଣଙ୍କର ଉତ୍ତର ସନ୍ତୋଷଜନକ ନଥିବାରୁ ସେମାନଙ୍କୁ ଭିସୁଟ୍‌ର କୁଳପତି ନିଲମ୍ବନ କରିଛନ୍ତି।

ନିଲମ୍ବିତ ଶିକ୍ଷକମାନେ ହେଲେ କମ୍ପ୍ୟୁଟର ସାଇନ୍ସ ବିଭାଗର ସନ୍ତୋଷ ମାଝି, ପ୍ରଡକ୍ସନ ବିଭାଗର ପ୍ରଫେସର୍‌ ପିକେ ପ୍ରଧାନ, ସିଭିଲ୍‌ ବିଭାଗର ପ୍ରଫେସର୍‌ ଡି ଧୁପାଲ ଓ କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ବିଭାଗର ସୁଶ୍ମୀତା ପାଢ଼ୀ।

୨ ସୁରକ୍ଷାକର୍ମୀ ବହିଷ୍କୃତ

ଘଟଣାଦିନ ସନ୍ଧ୍ୟାରେ ଛାତ୍ରାବାସରେ ଦୁଇ କର୍ମଚାରୀ ଉପସ୍ଥିତ ଥିଲେ। ସେ ଦୁଇ କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି କାଣ୍ତ ଘଟିଥିଲା। ତଦନ୍ତରେ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ଉକ୍ତ ଦୁଇ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା। ଏହାସହ ବିଶ୍ୱବିଦ୍ୟାଳୟର ସୁରକ୍ଷା ଦାୟିତ୍ଵ ନେଇଥିବା ରିଲାଏବଲ ସିକ୍ୟୁରିଟି ସଂସ୍ଥାକୁ ମଧ୍ୟ ଏନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ପୂର୍ବରୁ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ବେଳେ ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଛନ୍ତି।

ସେମାନେ ସ୍ୱେଚ୍ଛାକୃତ ଭାବେ ନିଜର ଦୋଷ ସ୍ୱୀକାର କରିନେଇଥିବାରୁ ତାଙ୍କ ବିରୁଦ୍ଧରେ ସେଭଳି କୌଣସି ନିଷ୍ପତି ନିଆଯାଇନାହିଁ।

କିଛିଦିନ ତଳେ ଭିଏସ୍ଏସୟୁଟିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସ୍ୱାଗତ କରିବା ବାହାନାରେ ଜୋରଜବରଦସ୍ତ ତାଙ୍କୁ ରାଗିଂ କରିଥିଲେ।

ସିନିଅରମାନେ ଜୁନିଅରଙ୍କୁ ଅଶ୍ଲୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ ସହ ଷ୍ଟେଜ୍ ଉପରେ ଖାଲି ଦେହରେ ନାଚିବାକୁ ବାଧ୍ୟ କରିଥିଲେ। ଏଥିସହ କାନଧରି ବସଉଠ୍ ହେବା, ଜୁନିଅରଙ୍କୁ ସିଡ଼ିରେ ମାଡ଼ମାରିବା ସହ କାନ ଧରି ଦୌଡ଼ିବାକୁ କୁହାଯାଇଥିଲା।

ହଷ୍ଟେଲର ଏସବୁ ଦୃଶ୍ୟକୁ କେହି ମୋବାଇଲରେ ସୁଟିଂ କରିଥିଲେ। ଏହାପରେ ଏହି ଭିଡିଓଟି ଭାଇରାଲ ହୋଇଥିଲା।

Comment