ଓଡ଼ିଶାଲାଇଭ୍ ବ୍ୟୁରୋ

ଏମାର ମଠ ରାଜ୍ୟର ନଅଶହ ବର୍ଷର ସବୁଠୁ ଧନୀ ମଠ ଭାବେ ବେଶ୍‌ ପରିଚିତ। ପୁରୀକୁ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କରାଯାଉଛି। ଐତିହ୍ୟ ସହ ଜଡ଼ିତ ଥିବା ରଘୁନନ୍ଦନ ଲାଇବ୍ରେରୀ ସହ ଏମାର ମଠ, ଲଙ୍ଗୁଳି ମଠ ଆଦି ଅନେକ ମଠକୁ ଭାଙ୍ଗିବାକୁ ଲାଗିଛି ପ୍ରଶାସନ। ତେବେ ଏହି ମଠକୁ ନେଇ ଅନେକ ଅଜଣା କଥା ରହି ଆସିଛି।

ଏମାର ମଠର ଇତିହାସ

ଶ୍ରୀବୈଷ୍ଣବ ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ତଥା ରାମାନୁଜ ସଂପ୍ରଦାୟର ଆଦି ପ୍ରଚାରକ ଶ୍ରୀରାମାନୁଜ ଦ୍ୱାଦଶ ଶତାଦ୍ଦୀର ପ୍ରଥମ ଭାଗରେ ପୁରୀ ଆସିଥିଲେ। ୧୧୨୨ ମସିହାରୁ ୧୧୩୭ ମସିହା ପର୍ଯ୍ୟନ୍ତ ସେ ପୁରୀରେ ରହିଥିଲେ। ସେହି ସମୟରେ ସେ ରାମାନୁଜ ମଠର ଅୟଆରମ୍ଭ କରିଥିଲେ। ପୁରୀରେ ଶ୍ରୀରାମାନୁଜ ଦୁଇଟି ମଠ ସ୍ଥାପନ କରିଥିଲେ।

ପ୍ରଥମ ମଠଟି ପୁରୀର ବାସେଳି ସାହିରେ ରାମାନୁଜକୋଟରେ ରହିଥିଲା ବେଳେ ଅନ୍ୟଟି ସିଂହଦ୍ୱାର ସମ୍ମୁଖରେ ନିର୍ମାଣ କରାଯାଇଥିଲା। ସିଂହଦ୍ୱାର ସମ୍ମୁଖ ମଠଟି ଏମାର ମଠ ନାମରେ ପ୍ରସିଦ୍ଧ ହୋଇଥିଲା।

ଏହି ମଠରେ ରାମାନୁଜ ତାଙ୍କର ଶିଷ୍ୟ ଗୋବିନ୍ଦଙ୍କୁ ଅଧିଷ୍ଠିତ କରିଥିଲେ।ଏହି ମଠର ପ୍ରଥମ ମହନ୍ତ ହେଉଛନ୍ତି ଗୋବିନ୍ଦାଚାର୍ଯ୍ୟ। ପ୍ରଥମେ ଏହି ମଠର ନାଁ ଥିଲା ‘ଏମ୍ପରମାନାରା’। ତାମିଲରେ ଏହାର ଅର୍ଥ ହେଉଛି ‘ମାଇ ଲର୍ଡ’। ପରେ ରାମାନୁଜ ଏହି ମଠର ନାଁ ବଦଳାଇଥିଲେ। ମଠର ନାଁ ରହିଥିଲା ‘ଏମ୍ବାର’। ଲୋକେ ଏହାକୁ ଏମାର ମଠ ନାଁରେ ସମ୍ବୋଧନ କଲେ।

ଏମାର ମଠର ପରିସୀମା

ଏମାର ମଠର ଆୟତନ ୪ ଏକର ୫୦୦ ଡେସିମିଲ୍ ଅଞ୍ଚଳରେ ପରିବ୍ୟାପ୍ତ ହୋଇରହିଥିଲା। ଏହି ମଠରେ ବଲ୍ଲଭ ଘର, ରୋଷଶାଳା, ମହନ୍ତ ନିବାସ, ରଘୁନନ୍ଦନ ପାଠାଗାର ଆଦି ରହିଥିଲା। ରାଜ୍ୟର ବିଭିନ୍ନ ପ୍ରଗଣାରେ ଏମାର ମଠ ନାଁରେ ଏକ ହଜାରରୁ ଅଧିକ ପରିମାଣର ଭୂସଂପତ୍ତି ରହିଛି। ହେଲେ ଏହା ମଧ୍ୟରୁ ଅଧିକାଂଶ ଜମି ବର୍ତ୍ତମାନ ଜବରଦଖଲ ହୋଇ ରହିଛି।

ଶ୍ରୀମନ୍ଦିର ସହ ଜଡ଼ିତ ଏମାର ମଠ ପରମ୍ପରା

ଶ୍ରୀମନ୍ଦିରରେ  ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ଚାମର ସେବା କରିଆସୁଛି ଏମାର ମଠ। ମହାପ୍ରଭୁଙ୍କୁ ପନ୍ତିଭୋଗ ମଧ୍ୟ ଏମାର ମଠରୁ ଲାଗି କରାଯାଉଛି। ଏହାସହ ସବୁବର୍ଷ ଝୁଲଣ ଯାତ୍ରା ବହୁ ଆଡ଼ମ୍ବରରେ ପାଳନ କରୁଥିଲା ଏମାର ମଠ। ଏହାସହ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଚନ୍ଦ୍ରିକା ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ ମଧ୍ୟ ବର୍ଷ ବର୍ଷ ଧରି ଏମାର ମଠ ସେବା ଆକାରରେ ଯୋଗାଇ ଦେଇଆସୁଥିଲା।

ସବୁଠୁ ଧନୀ ମଠ

ଅତୀତରେ ପ୍ରତିଷ୍ଠିତ ସମସ୍ତ ମଠମାନଙ୍କ ମଧ୍ୟରେ ଏମାର ମଠ ସବୁଠାରୁ ଧନୀ ମଠ ଭାବରେ ପରିଚିତ। ଅଚଳାଚଳ ସମ୍ପତ୍ତିର ମାଲିକ ଥିଲେ ଏହି ମଠର ମହନ୍ତ। ସୁନାରୁପାର ଅମାର, ବିରାଟ ଧାନକୋଠି ଆଦି ଏହି ମଠରେ ରହିଥିଲା। ଅତୀତରେ ଯେଉଁ ଯେଉଁ ସମୟରେ ଶ୍ରୀମନ୍ଦିର ଆର୍ଥିକ ସଂକଟରେ ରହୁଥିଲା ସେହି ସମୟରେ ଏମାର ମଠହିଁ ଶ୍ରୀମନ୍ଦିରକୁ ସହଯୋଗର ହାତ ବଢ଼ାଉଥିଲା। ଶ୍ରୀମନ୍ଦିରକୁ ସହଯୋଗ ସହ ଲିଙ୍ଗରାଜ ମନ୍ଦିର ,ବିନ୍ଦୁସାଗରର ମଧ୍ୟ ପୁନରୁଦ୍ଧାର ପାଇଁ ଏମାର ମଠ ସାହାଯ୍ୟ କରୁଥିଲା।

 

ରଘୁନନ୍ଦନ ଲାଇବ୍ରେରୀ

ଏମାର ମଠର ମହନ୍ତ ଗଦାଧର ରାମାନୁଜ ଦାସଙ୍କୁ ତାଙ୍କ ଗୁରୁ ମହାରାଜ ରଘୁନନ୍ଦନ ଦାସ ଝାନସୀରୁ ଆଣି ପୁରୀରେ ରଖିଥିଲେ। ସେହିଠାରେ ମହନ୍ତ ଗଦାଧର ଶିକ୍ଷାଗ୍ରହଣ କରିସାରିବା ପରେ ଏମାର ମଠର ମହନ୍ତ ମାନ୍ୟତା ପାଇଥିଲେ। ପ୍ରଥମେ ମହନ୍ତ ଗଦାଧର ହିଁ ରଘୁନନ୍ଦନଙ୍କ ସ୍ମୃତି ଉଦେଶ୍ୟରେ ସେଠାରେ ରଘୁନନ୍ଦନ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ। ଏହାସହ ଏହି ମଠରେ ଅନେକ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା।

ଏମାର ମଠରୁ ମିଳିଥିଲା ୪ଶହରୁ ଅଧିକ ରୁପା ଇଟା

କିଛି ବର୍ଷ ପୂର୍ବେ ଏମାର ମଠର ଏକ ଅନ୍ଧାର କୋଠରୀରୁ ୪୦୦ରୁ ଅଧିକ ରୁପା ଇଟା ମିଳିଥିଲା। ଏହି ଖବର ସେହି ସମୟରେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। ଏହି ରୁପା ଇଟାରୁ ଏମାର ମଠର ଧନ ଓ ସଂପତି ବିଷୟରେ ଅନୁମାନ କରାଯାଇପାରେ।

Comment