ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ମଙ୍ଗଳବାରଠୁ ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ବଡ଼ ଆଖଡ଼ା ମଠରେ ମାଡ଼ ହେବ ପ୍ରଶାସନର ବୁଲ୍‌ଡୋଜର। ବୁଲ୍‌ଡୋଜର ମାଡ଼ରେ ବଡ଼ ଆଖଡ଼ା ମଠ ମାଟିରେ ମିଶିବ।

ରବିବାର ଏବଂ ସୋମବାର ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବା ପରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟକୁ ପୁଣିଥରେ ଜୋରଦାର କରିବ।

‘‘ପ୍ରଶାସନ ଏବେ ଅସୁରକ୍ଷିତ କୋଠା ଭାଙ୍ଗୁଛି। ମଠର ଐତିହ୍ୟ, ଗାଦି ଓ ଦେବାଳୟର ସୁରକ୍ଷା ପ୍ରତି ସରକାର ସମ୍ବେଦନଶୀଳ ରହିଛନ୍ତି। ଉଚ୍ଛେଦ ହେଉଥିବା ମଠ ଗାଦି, ମନ୍ଦିରର କୌଣସି କ୍ଷତି ହେବନାହିଁ। ଏହାକୁ ସୁରକ୍ଷା ଦିଆଯିବ ଏବଂ ଏହାର ବିକାଶ ମଧ୍ୟ କରାଯିବ। ପୂର୍ବରୁ ଭକ୍ତମାନେ ଯେଉଁ ମଠକୁ ଯାଇପାରୁନଥିଲେ, ମଠ ଭିତରେ ଥିବା ଠାକୁରଙ୍କୁ ଦର୍ଶନ କରିପାରୁନଥିଲେ ଏହାର ପୁନରୁଦ୍ଧାର ହେବା ପ‌ରେ ସମସ୍ତେ ମଠକୁ ଯାଇପାରିବେ’’, କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ।

ଆସନ୍ତା ୩ ତାରିଖରେ ବଡ଼ଆଖଡା ମଠ ଭଙ୍ଗାଯିବ। ସେଠାରେ ମଧ୍ୟ ମନ୍ଦିରକୁ ସୁରକ୍ଷା ଦିଆଯିବ। ଅନ୍ୟପକ୍ଷରେ ‌ଯେଉଁ ଦୋକାନୀମାନେ ଉଚ୍ଛେଦ ହୋଇଛନ୍ତି ସେମାନଙ୍କର ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଛେଦ ହୋଇଥିବା ମୋଟ ୮୧ ଦୋକାନୀଙ୍କ ମଧ୍ୟରୁ ଆଜି ୨୬ ଜଣଙ୍କୁ ଜଗନ୍ନାଥ ବଲ୍ଲଭ ମଠ କ୍ରାଫ୍ଟ ସେଣ୍ଟରରେ ଥଇଥାନ ପାଇଁ ଅନୁମତି ଦିଆଯାଇଛି। ଅବଶିଷ୍ଟଙ୍କୁ ଜେଲ ରୋଡ‌୍‌ରେ ଚାଲିଥିବ‌ା ଯାତ୍ରୀନିବାସରେ ଥଇଥାନ କରାଯିବ। ମଠ ମନ୍ଦିରର ସୁରକ୍ଷା ପାଇଁ ବୈଷୟିକ କମିଟିର ସହଯୋଗ ନିଆଯିବା ସହ ସମସ୍ତ ବିସ୍ଥାପିତଙ୍କୁ ସରକାରୀ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ମେଘନାଦ ପାଚେରୀ ଜବରଦଖଲମୁକ୍ତ ହେବା ପରେ ପ୍ରଶାସନ ଏମାର ମଠ ଉପରେ ନଜର ପକାଇଥିଲା ପ୍ରଶାସନ। ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ଏମାର ମଠ ସଂଲଗ୍ନ ରଘୁନନ୍ଦନ ପାଠାଗାର ଉଚ୍ଛେଦ କରିବା ସହ ଖଜାପଟି ଏବଂ ବଣିଆ ପଟି ମାଟିରେ ମିଶିଥିଲା।

ହେଲେ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ନଛାଡ଼ିବାରୁ ପ୍ରଶାସନ କୋର୍‌ ପଏଣ୍ଟରେ ହାତ ମାରିପାରି ନଥିଲା। ଏମାର ମଠରୁ ନଜର ହଟାଇ ଏବେ ପ୍ରଶାସନ ବଡ଼ ଆଖଡ଼ା ମଠ ଉପରେ ନଜର ପକାଇଛି।

Comment