ଓଡ଼ିଶାଲାଇଭ୍ ବ୍ୟୁରୋ

ରାତିରେ ଯାତ୍ରା କରୁଥିବା ବସ୍ଗୁଡ଼ିକରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ ଡକାୟତି ମାମଲା ରୁଜୁ ହେବ। ଏନେଇ ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।
ଶନିବାର ଓଡ଼ିଶା ବସ୍ ମାଲିକ ସଂଘ ପୋଲିସ୍ ଡିଜିଙ୍କୁ ଭେଟି ଏଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଡିଜି ରାଜ୍ୟର ସମସ୍ତ ଥାନାକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାତି ସମୟରେ ବସ୍ ଅଟକାଇ ଚାନ୍ଦା ଆଦାୟ କରାଯାଉଥିବ ସୂଚନା ମିଳିଲେ ପୁଲିସ୍ ତୁରନ୍ତ ପଦକ୍ଷେପ ନେବ।
ଗଣେଶ ପୂଜାରୁ ଆରମ୍ଭ କରି ଦୁର୍ଗାପୂଜା ପର୍ଯ୍ୟନ୍ତ ସାରା ରାଜ୍ୟରେ ଏବେ ପାର୍ବଣ ଋତୁ। ତେବେ ଏହାର ଫାଇଦା ଉଠାଉଛନ୍ତି କିଛି ବ୍ୟକ୍ତି। ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାନ୍ଦା ଆଦାୟ କରୁଛନ୍ତି।
ଚାନ୍ଦା ପାଇଁ ବସ୍କୁ ଦୁଇ ତିନିଘଣ୍ଟା ପର୍ଯ୍ୟନ୍ତ ଅଟକ ରଖୁଛନ୍ତି। ଯାହାଫଳରେ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷରେ, ଆଇପିସି ଧାରା ୩୮୪/୩୮୬/୩୮୭/୩୯୪ ଏବଂ ଧାରା ୩୯୫ ଅନୁଯାୟୀ ଜୋରଜବରଦସ୍ତି ଚାନ୍ଦା ଆଦୟ କରିବା ଏକ ଦଣ୍ଡନୀୟ ଅପରାଧ। ତେବେ ଯଦି କେହି ଆପଣଙ୍କୁ ଜୋରଜବରଦସ୍ତି ପୂଜା ନାଁରେ ଚାନ୍ଦା ମାଗୁଛି କିମ୍ବା ଏପରି ଘଟଣା ଆପଣଙ୍କ ନଜରକୁ ଆସୁଛି ତେବେ ନିକଟସ୍ଥ ପୋଲିସ୍ ଥାନାରେ ଅଭିଯୋଗ କରାନ୍ତୁ।


















