ଓଡ଼ିଶାଲାଇଭ୍ ବ୍ୟୁରୋ

ଲଙ୍ଗୁଳି, ମଙ୍ଗୁ ଏବଂ ରଘୁନନ୍ଦନ ପାଠାଗାର ଉଚ୍ଛେଦ ସୁରୁଖୁରୁରେ ହେବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଛି। ମଠ ଉଚ୍ଛେଦକୁ ଜୋରଦାର ବିରୋଧ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ପୁରୀ ଆସି ମଠ ଉଚ୍ଛେଦକୁ ବିରୋଧ କରିଛନ୍ତି।

ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସାଧୁସନ୍ଥ। ହେଲେ ଆଲୋଚନା ବିଫଳ ହେବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଶାସନ ବଡ଼ ଆଖଡ଼ା ମଠ ଉଚ୍ଛେଦ ପାଇଁ ପ୍ରସ୍ତୁତି ଚଳାଇଲା। ହେଲେ ସାଧୁସନ୍ଥମାନେ ବଡ଼ ଆଖଡ଼ା ମଠ ପାଚେରୀ ଏବଂ ଛାତ ଉପରେ ବସି ରହିଲେ। ଉଚ୍ଛେଦ କାର୍ଯ୍ୟକୁ ଜୋରଦାର ବିରୋଧ କଲେ।

ପାଚେରୀ ଉପରୁ ହଟିବା ପାଇଁ ପ୍ରଶାସନ ସାଧୁସନ୍ଥମାନଙ୍କୁ ଅନୁରୋଧ କରିଥିଲା। ହେଲେ ସାଧୁସନ୍ଥ ଏବଂ ମଠ କର୍ମଚାରୀମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଲେ। ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ବଡ଼ ଆଖଡ଼ା ମଠକୁ ପୋଲିସ କର୍ଡନ କରାଯାଇଛି।

ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ତାଙ୍କ ସାଙ୍ଗରେ ନେଇ ଯାଇଛନ୍ତି। ମହନ୍ତଙ୍କ ସହ ସେ ଆଲୋଚନା କରିବା ପାଇଁ ନେଇଯାଇଥିବା କୁହାଯାଉଛି। ମହନ୍ତଙ୍କୁ ଉପଜିଲ୍ଲାପାଳ ନେଇଯିବା ପରେ ବଡ଼ ଆଖଡ଼ା ମଠ ଉଚ୍ଛେଦ କରିବାକୁ ପ୍ରଶାସନ ସଜବାଜ ହେଉଛି।

Comment