ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ପରିଚୟ ଦେଇ ନିମାପଡ଼ାରୁ ଉଠାଇ ନେଇ ପୁରୀରେ ଦୁଷ୍କର୍ମ। କୁମ୍ଭାରପଡ଼ା ଥାନାରେ ଅଭିଯୋଗ।

ପୁରୀରୁ ସାଂଘାତିକ ଅଭିଯୋଗ ଆସିଛି। ଏହି ଅଭିଯୋଗ ପୁଣି ପୋଲିସ କର୍ମଚାରୀଙ୍କ ନାଁରେ। ପୋଲିସ କର୍ମଚାରୀ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ତନାଘନା ଆରମ୍ଭ କରିବା ସହ ଜଣେ କନଷ୍ଟେବଲଙ୍କୁ ଅଟକ ରଖିଛି।

ଘଟଣାଟି ଥିଲା ଏମିତି। ନିମାପଡ଼ା ବସ୍‌ ଷ୍ଟାଣ୍ଡରେ ଜଣେ ଯୁବତୀ ଛିଡ଼ା ହୋଇଥିଲେ। ଏକ କାର ଆସି ଯୁବତୀଙ୍କ ପାଖରେ ପହଞ୍ଚିଲା। କାର୍‌ରେ ଥିବା ଚାରି ଜଣ ଯୁବକ ଯୁବତୀଙ୍କୁ କୁଆଡ଼େ ଯିବେ ବୋଲି ପଚାରିଥିଲେ। ଯୁବତୀ ଜଣକ କହିଥିଲେ କାକଟପୁର ଯିବେ।

କାରରେ ଥିବା ୪ ଜଣ ଯୁବକ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ। ହେଲେ ଯୁବତୀ ଜଣକ ଏଥିରେ ରାଜି ହୋଇ ନଥିଲେ। ହେଲେ ସେମାନେ ପୋଲିସ ପରିଚୟ ଦେବାରୁ ଯୁବତୀ ତାଙ୍କ ଗାଡ଼ିରେ ବସିଥିଲେ।

ଗାଡ଼ି ସିଧା ପୁରୀ ଆସିଥିଲା। ଝାଡ଼େଶ୍ୱରୀ କ୍ଲବ ନିକଟ କ୍ୱାର୍ଟର୍ସରେ ଗାଡ଼ି ଲାଗିଥିଲା। ଯୁବତୀଙ୍କୁ କ୍ୱାର୍ଟର୍ସକୁ ଆଣି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଯୁବତୀ ଜଣକ ଜଣେ ଯୁବଙ୍କ ପର୍ସକୁ ଅକ୍ତିଆର କରି ନେଇଥିଲେ। ଏହି ପର୍ସଟି କନଷ୍ଟେବଲ ଜିତେନ୍ଦ୍ର ସେଠୀଙ୍କର ବୋଲି ଜଣାପଡ଼ିଛି।

ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି। କନଷ୍ଟେବଲ ଜିତେନ୍ଦ୍ରକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଅନ୍ୟ ତିନି ଜଣଙ୍କ ପରିଚୟ ମିଳିପାରି ନାହିଁ।

Comment