ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାମୟିକ ବନ୍ଦ ରହିଲା ଉଚ୍ଛେଦ
  • ସବୁ ପକ୍ଷଙ୍କ ସହ ଆଲୋଚନା କରାଯିବ
  • ସହମତ୍ତି ଭିତ୍ତିରେ ଉଚ୍ଛେଦ ହେଉ

ପୁରୀରେ ସାଧୁସନ୍ଥଙ୍କ ବିରୋଧ ପରେ ପଛକୁ ହଟିଲା ଜିଲ୍ଲା ପ୍ରଶାସନ। ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ବନ୍ଦ ରଖାଯାଇଛି। ବିଭିନ୍ନ ମଠ ମହନ୍ତଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ।

‘‘ଉଚ୍ଛେଦ ହୋଇଥିବା ମଠକୁ କିପରି ସରସ ଏବଂ ସୁନ୍ଦର କରାଯିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ। ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ଏବେ ସାମୟିକ ଭାବେ ବନ୍ଦ ରଖାଯାଇଛି। ସବୁ ମଠର ପରମ୍ପରା କେମିତି ବଞ୍ଚି ରହିବ ତା’ ଉପରେ ଧ୍ୟାନ ରହିବ। ସୁରକ୍ଷା ଜୋନ୍‌ ଭିତରେ ଆସୁଥିବା ସବୁ ପକ୍ଷଙ୍କ ସହ ଆଲୋଚନା କରାଯିବ। ସାଧୁସନ୍ଥଙ୍କ ସହ ଆଲୋଚନା ସଫଳ ହୋଇଛି। ୨ରୁ ୩ ଦିନ ଭିତରେ ପଦକ୍ଷେପ ନିଆଯିବ’’, କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ।

ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ପ୍ରଶାସନ ବିରୋଧର ଶିକାର ହୋଇଥିଲା। ଉଚ୍ଛେଦ ବନ୍ଦ କରିବା ଦାବିରେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ଆଜି ପୁରୀରେ ଏକାଠି ହୋଇଥିଲେ। ବଡ଼ ଆଖଡ଼ା ମଠ ପାଚେରୀ ଏବଂ ଛାତ ଉପରେ ରହି ମଠର ସେବକମାନେ ବିରୋଧ କରିଥିଲେ।

ଏହାପରେ ବଡ଼ ଆଖଡ଼ା ମଠ ମହନ୍ତ ହରିନାରାୟଣ ମହାରାଜଙ୍କୁ ଜିଲ୍ଲାପାଳଙ୍କ ଅଫିସକୁ ନିଆଯାଇଥିଲା। ଜିଲ୍ଲାପାଳଙ୍କ ସହ ମହନ୍ତ ଆଲୋଚନା କରିଥିଲେ। ଆଲୋଚନା ବେଳେ ମହନ୍ତ କିଛି ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦେଇଥିଲେ।

‘‘ସହମତି ଭିତ୍ତିରେ ମଠ ଉଚ୍ଛେଦ କରାଯାଉ। ବିଭିନ୍ନ ପକ୍ଷର ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରୁ। ପୁରୀରେ କେମିତି ଶାନ୍ତି ବଜାୟ ରହିବ ସେଦିଗରେ ପ୍ରଶାସନ ଧ୍ୟାନ ଦେବା ଦରକାର’’, କହିଛନ୍ତି ହରିନାରାୟଣ ମହାରାଜ।

ଗତ ୧୩ ଦିନ ହେଲା ସୁରୁଖୁରୁରେ ମଠ ଉଚ୍ଛେଦ କରୁଥିବା ପ୍ରଶାସନକୁ ଆଜି ବଡ଼ ଝଟ୍‌କା ଲାଗିଛି। ମଠ ମହନ୍ତ ଏବଂ ସରକାର ମୁହାଁମୁହିଁ ହୋଇଥିଲେ।

ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ପ୍ରଶାସନର ଏହି ଉଚ୍ଛେଦକୁ ନୀରବ ପ୍ରତିବାଦ କରିଥିବା ବେଳେ ଆଜି ବଡ଼ ଆଖଡ଼ା ମଠ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା।

ମଠ ମହନ୍ତ ହରିନାରାୟଣ ମହାରାଜ ଏବଂ ତାଙ୍କ ସହଯୋଗୀମାନେ ଉଚ୍ଛେଦକୁ ଜୋରଦାର ବିରୋଧ କରିଛନ୍ତି। ସହଯୋଗୀମାନେ ପାଚେରୀରେ ବସି ରହି ପ୍ରଶାସନକୁ ପୁରେଇ ଦେଇ ନାହାନ୍ତି। ଫଳରେ ମଠ ମହନ୍ତ ଏବଂ ସରକାର ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ।

ବଡ଼ ଆଖଡ଼ା ମଠ ଉଚ୍ଛେଦ କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ମହନ୍ତ ଏବଂ ସହଯୋଗୀ ମଠ ଛାଡ଼ି ନଥିଲେ।

Comment