ଓଡ଼ିଶାଲାଇଭ୍ ବ୍ୟୁରୋ

୭୫ ମିଟର ଉଚ୍ଛେଦକୁ ବିରୋଧ କଲା ପୁରୀ ସୁରକ୍ଷା କମିଟି।

ପୁରୀରେ ୭୫ ମିଟର ଉଚ୍ଛେଦ ହେବ କି ନାହିଁ? ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିଲା ବୈଠକ। ବୈଠକରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ବଲୱନ୍ତ ସିଂହ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ପୁରୀ ସୁରକ୍ଷା କମିଟିର ଆବାହକ ପ୍ରିୟଦର୍ଶି ପଟ୍ଟନାୟକଙ୍କ ସମେତ ୧୫ ଜଣ ସଦସ୍ୟ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟ ୩୫ ମିନିଟ୍‌ ଧରି ରୁଦ୍ଧଦ୍ୱାର ବୈଠକ ବସିଲା। ମଠ ଉଚ୍ଛେଦକୁ ନେଇ ଆଲୋଚନା ହେଲା। କାହିଁକି ୭୫ ମିଟର ଉଚ୍ଛେଦ କରାଯାଉଛି ବୋଲି ସୁରକ୍ଷା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ। ଐତିହ୍ୟର ସୁରକ୍ଷା ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି ବୋଲି ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ ପ୍ରଶ୍ନର ଉତ୍ତର ଦେଇଥିଲେ। କିନ୍ତୁ ଏହି ଉତ୍ତର ସୁରକ୍ଷା କମିଟି ସଦସ୍ୟମାନଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ଶେଷରେ ଆଲୋଚନା ବିଫଳ ହୋଇଥିଲା। ବୈଠକରେ ମଠ ଉଚ୍ଛେଦକୁ ସୁରକ୍ଷା କମିଟି ବିରୋଧ କରିଥିଲା।

ବୈଠକ ଶେଷରେ ଜିଲ୍ଲାପାଳ କହିଥିଲେ, ‘‘ସାମୟିକ ଭାବେ ଉଚ୍ଛେଦକୁ ବନ୍ଦ ରଖାଯାଇଛି। ଆସନ୍ତା ଦୁଇ ଦିନ ଭିତରେ ପୁରୀରର ଶିକ୍ଷାବିତ୍, ବୁଦ୍ଧିଜୀବୀ ଏବଂ ସେବାୟତମାନଙ୍କୁ ଡାକି ପୁଣି ଥରେ ଆଲୋଚନା କରାଯିବ। କିନ୍ତୁ ଉଚ୍ଛେଦ ବନ୍ଦ କରାଯିବ ନାହିଁ। ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଭିତରେ ଥିବା ଦୋକାନ ଘର ଏବଂ ଅସୁରକ୍ଷିତ କୋଠାକୁ ଭାଙ୍ଗି ଦିଆଯିବ।’’

ଗତ ସପ୍ତାହେ ହେଲା ପୁରୀରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ସୁରୁଖୁରୁାର ଚାଲିଥିଲା ଉଚ୍ଛେଦ। କିନ୍ତୁ ବଡ଼ ଆଖଡ଼ା ମଠ ଉଚ୍ଛେଦ ପାଇଁ ପ୍ରଶାସନ ସଜବାଜ ହେବା ପରେ ଉଠିଲା ବିରୋଧର ସ୍ୱର। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ପୁରୀ ଆସି ଉଚ୍ଛେଦକୁ ବିରୋଧ କରିଥିଲେ।

ଶେଷରେ ବଡ଼ ଆଖଡ଼ା ମଠ ମହନ୍ତଙ୍କ ସହ ପୁରୀ ଜିଲ୍ଲାପାଳ ଆଲୋଚନା କରିଥିଲେ। ସହମତି ଭିତ୍ତିରେ ଉଚ୍ଛେଦ କରିବାକୁ ମହନ୍ତ ପ୍ରସ୍ତାବ ଦେବା ପରେ ଉଚ୍ଛେଦ ପ୍ରକ୍ରିୟାକୁ ସାମୟକି ଭାବେ ବନ୍ଦ ରଖାଯାଇଥିଲା। ଏହାପରେ ଗଠନ ହୋଇଥିଲା ୧୫ ଜଣିଆ ପୁରୀ ସୁରକ୍ଷା କମିଟି। ଏଥିରେ ଆଇନଜୀବୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌ଙ୍କ ସମେତ ରାଜନେତା ସାମିଲ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କମିଟିର ବୈଠକ ବସିଥିଲା। ମଠ ଉଚ୍ଛେଦକୁ ବୈଠକରେ ବିରୋଧ କରାଯାଇଥିଲା।

Comment