ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ପୁରୀ ଶ୍ରୀମନ୍ଦିରର ବିକାଶ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶ୍ରୀମନ୍ଦିର ଚତଃପାର୍ଶ୍ୱକୁ ନୂଆ ଢାଞ୍ଚାରେ ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। କିଛି ନୂଆ ଗଢ଼ିବାକୁ ହେଲେ ପୁରୁଣାକୁ ଭାଙ୍ଗିବାକୁ ପଡ଼ିବ। ବାଧ୍ୟବାଧକତାରେ ଆମେ ଏହି ପଦକ୍ଷେପ ନେଉଛୁ’’, କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।

ଶ୍ରୀମନ୍ଦିର ଚାରିପଟୁ ଏବେ ରାଜ୍ୟ ସରକାର ୭୫ ମିଟର ଉଚ୍ଛେଦ କରୁଛନ୍ତି। ୭୫ ମିଟର ଭିତରେ ଆସୁଥିବା ପ୍ରଚୀନ ମଠକୁ ମଧ୍ୟ ଉଚ୍ଛେଦ କରୁଛନ୍ତି ସରକାର। ଏହାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ବିଜେପି ଏବଂ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ଫଳରେ ମଠ ଉଚ୍ଛେଦ ସାମୟିକ ଭାବେ ବନ୍ଦ ରହିଛି।

ମଠ ଉଚ୍ଛେଦକୁ ନେଇ ଚାରିଆଡ଼େ ହଲ୍ଲାପଟା ଚାଲିଥିବା ବେଳେ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମିଡିଆକୁ କହିଛନ୍ତି। ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୁରୀ ସହରର ବିକାଶ ରହିଥିବା ଶ୍ରୀ ଜେନା କହିଛନ୍ତି।

‘‘ଆମେ ସବୁ ଉଚ୍ଛେଦ କରୁନୁ। ୭୫ ମିଟର ପରିଧି ଭିତରେ ଯାହା ରହିଛି ଆମେ ତାହାକୁ ଉଚ୍ଛେଦ କରୁଛୁ। ଅସୁରକ୍ଷିତ କୋଠାକୁ ଭାଙ୍ଗୁଛୁ। ଏହି ଉଚ୍ଛେଦ ବେଳେ ପୁରୀର ପ୍ରାଚୀନ ଐତିହ୍ୟ କିପରି ସୁରକ୍ଷିତ ରହିବ ତା’ ଉପରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି’’, କହିଛନ୍ତି ପ୍ରତାପ ଜେନା।

ରଘୁନନ୍ଦନ ପାଠାଗାର ସମ୍ପର୍କରେ ଶ୍ରୀ ଜେନା କହିଛନ୍ତି, ‘‘ଏହା ହେଉଛି ପାଚୀନ ପାଠାଗାର। ଜଗନ୍ନାଥ ସଂସ୍କୃତି ଏବଂ ଶ୍ରୀମନ୍ଦିର ସମ୍ପର୍କରେ ବହୁ ପୁରୁଣା ବହି ଏହି ପାଠାଗାରରେ ରହିଥିଲା। ହେଲେ ପାଠାଗାରର ଗୋଠା ଅସୁରକ୍ଷିତ ଥିଲା। ଏଣୁ ଏହି ପାଠାଗାରକୁ ଉଚ୍ଛେଦ କରିବାକୁ ପଡ଼ିଲା। ଆଗାମୀ ଦିନରେ ଏହାକୁ ବିଶ୍ୱସ୍ତରୀୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟବରାଦ କରିଛନ୍ତି।’’

ଶ୍ରୀମନ୍ଦିର ପଚାରପାଖର ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କର ଭିଜନ ରହିଥିଲା। ତାହା ଆପେ ପୂରଣ କରିବାକୁ ଯାଉଛୁ। ଶ୍ରୀମନ୍ଦିରର ବିକାଶ ପାଇଁ ବାଧ୍ୟବାଧକତାରେ କିଛି ପଦକ୍ଷେପ ନିଆଯାଉଛି। ଶ୍ରୀମନ୍ଦିରର ସୁରକ୍ଷା, ଯାତ୍ରୀଙ୍କ ସୁବିଧା, ଐତିହ୍ୟର ପୁନରୁଦ୍ଧାର ପାଇଁ ସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ଶ୍ରୀ ଜେନା।

‘‘ପୁରୀରେ ଯାହା ବି ଚାଲିଛି ତାହା ଆଇନ ଅନୁଯାୟୀ। କୋର୍ଟଙ୍କ ନିର୍ଦ୍ଦେଶରେ ହିଁ ଚାଲିଛି। ପ୍ରଚୀନ ମଠ ଏବଂ ମନ୍ଦିରର ସୁରକ୍ଷା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଅନ୍ୟ ରାଜ୍ୟରେ ଯେଉଁ ଢାଞ୍ଚାରେ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ କରାଯାଉଛି ପୁରୀରେ ମଧ୍ୟ ସେହି ଢାଞ୍ଚାରେ ସଂରକ୍ଷଣ ହେବ’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

Comment