ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗାଡ଼ି ଚେକିଂ ବେଳେ ଲଙ୍କାକାଣ୍ଡ
  • ତାତିଲେ ଲୋକେ
  • ପୋଲିସ-ଜନତା ଖଣ୍ଡଯୁଦ୍ଧ
  • ଲୋକଙ୍କୁ ଗୋଡ଼େଇ ପିଟିଲା ପୋଲିସ
  • ପୋଲିସ ଉପରକୁ ଇଟା, ପଥର ମାଡ଼
  • ପୋଲିସର ଫ୍ଲାଗମାର୍ଚ୍ଚ

ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଚିତ୍ର। ପୋଲିସର ଗାଡ଼ି ଚେକିଂକୁ ବିରୋଧ କରି ପୋଲିସ-ପବ୍ଲିକ ମୁହାଁମୁହିଁ। ସାଧାରଣ ଲୋକେ ପୋଲିସର ଦମନଲୀଳାକୁ ବିରୋଧ କରି ରାସ୍ତାରେ ପ୍ରତିବାଦ କରିଥିବା ବେଳେ ପୋଲିସ କରିଥିଲା ଲାଠିମାଡ଼। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କରିଥିଲା ଫ୍ଲାଗମାର୍ଚ୍ଚ। ଫଳରେ କିଛି ସମୟ ପାଇଁ ରାଜଧାନୀର ରାଜମହଲ ରାସ୍ତା ଶ୍ରୀନଗର ପାଲଟି ଯାଇଥିଲା।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସବୁଠି ଚାଲିଛି ଜୋରଦାର ଚେକିଂ। ଗାଡ଼ି ଯାଞ୍ଚ କରି ପୋଲିସ ମୋଟା ଅଙ୍କର ଫାଇନ ଆଦାୟ କରୁଛି ପୋଲିସ। ଏହାକୁ ନେଇ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ଏହାର ପ୍ରମାଣ ଆଜି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଲୋକଙ୍କ ମନରେ ରହିଥିବା ଅସନ୍ତୋଷ ଆଜି ପ୍ରତିଫଳିତ ହୋଇଛି।

ଲୋକଙ୍କ ଅଭିଯୋଗ – ସରକାରୀ ଗାଡ଼ିକୁ ମାଫ୍‌

ଭୁବନେଶ୍ୱରର ପ୍ରମୁଖ ଛକ ରାଜମହଲରେ ଆଜି କମିଶନରେଟ୍ ପୋଲିସ ପକ୍ଷରୁ କରାଯାଉଥିଲା ଗାଡ଼ି ଚେକିଂ। ରାଜମହଲରୁ ଶିଶୁଭବନ ଛକ ରାସ୍ତା, ମାଷ୍ଟରକ୍ୟାଣ୍ଟିନ ରାସ୍ତା ଏବଂ ରାଜମହଲରୁ ଏଜି ରାସ୍ତାରେ ପୋଲିସ ଛିଡ଼ା ହୋଇ ଗୋଟି ଗୋଟି ଗାଡ଼ିକୁ ଅଟକାଇ କରୁଥିଲା ଯାଞ୍ଚ। ଯେଉଁ ଗାଡ଼ି ଚାଳକଙ୍କର ତ୍ରୁଟି ରହିଥିଲା ତାଙ୍କଠାରୁ ଫାଇନ ଆଦାୟ କରୁଥିଲା।

ହେଲେ ଏହାକୁ ନେଇ ହଠାତ୍‌ ଲୋକେ ତାତିଥିଲେ। ପୋଲିସ ଏବଂ ଅନ୍ୟ ସରକାରୀ ଅଫିସ୍‌ର ଗାଡ଼ିକୁ ପୋଲିସ ଯାଞ୍ଚ କରୁ ନଥିବା ଲୋକେ ଅଭିଯୋଗ କରିଥିଲେ। ସରକାରୀ ଗାଡ଼ିକୁ କାହିଁକି ଧରାଯାଉନି ବୋଲି ଲୋକେ ପୋଲିସକୁ ପ୍ରଶ୍ନ କରିଥିଲେ।

ଫଳରେ ପୋଲିସ ଏବଂ ଲୋକଙ୍କ ଭିତରେ ଯୁକ୍ତି ଆରମ୍ଭ ହୋଇଥିଲା। ଏହି ଯୁକ୍ତିତର୍କରୁ ରାଜମହଲ ଛକରେ ମହାଭାରତ ସୃଷ୍ଟି ହୋଇଥିଲା।

ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲୋକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲା। ଲୋକେ ବି ପୋଲିସ ଉପରକୁ ଇଟା, ପଥର ଫିଙ୍ଗିଥିଲେ।

ପୋଲିସର ଲାଠି ମାଡ଼ରେ କିଛି ସାଧାରଣ ଲୋକ ବି ଆହତ ହୋଇଛନ୍ତି।

କାହିଁକି ହେଲା ଏଭଳି କାଣ୍ଡ?

ରାଜମହଲ ଛକରେ ପୋଲିସ ଗାଡ଼ି ଚେକିଂ କରୁଥିବା ବେଳେ ଏକ ମିଡିଆର ଗାଡ଼ିକୁ ଅଟକାଇଥିଲା। ଗାଡ଼ିର କାଗଜପତ୍ର ମାଗିଥିଲା। ହେଲେ ଗାଡ଼ି ଭିତରେ ଥିବା ମହିଳା ସାମ୍ବାଦିକ ଜଣକ ପୋଲିସକୁ ପାଲଟା ବାଣ ମାରିଥିଲେ। ପୋଲିସ ଗାଡ଼ିର କାଗଜପତ୍ର ଅଛି କି ବୋଲି ପଚାରିଥିଲେ। ଯଦି ଅଛି ଏବେ ଦେଖାଅ ବୋଲି ଲୋକଙ୍କ ସାମ୍ନାରେ କହିଥିଲେ। ଏହାକୁ ସାଧାରଣ ଲୋକେ ଅସ୍ତ୍ର କରି ପୋଲିସକୁ ଘେରିଥିଲେ। ଫଳରେ ରାଜମହଲ ଛକରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା।

ରାଜମହଲରେ ୨୦ ପ୍ଲାଟୁନ୍ ଫୋର୍ସ

ରାଜମହଲରେ ଦିନ ୧ଟା ବେଳେ ଏଭଳି ପରିସ୍ଥିତି ଦେଖାଦେଇଥିଲା। ପ୍ରାୟ ୨ ଘଣ୍ଟା ଧରି ରାଜମହଲ ଛକରେ ପୋଲିସ-ଜନତାଙ୍କ ଭିତରେ ମୁହାଁମୁହିଁ ଚାଲିଥିଲା। ସ୍ଥିତି ଅଣାୟତ୍ତ ହେବାରୁ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣାସ୍ଥଳକୁ ଆସିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇଥିଲେ।

ପୋଲିସ-ଜନତା ଖଣ୍ଡଯୁଦ୍ଧ ଚାଲିଥିବା ବେଳେ ରାଜମହଲ ଛକରେ ଅନ୍ୟ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଲୋକେ କେଉଁ ପଟକୁ ଯାଇ ଆସି ପାରି ନଥିଲେ। ଶେଷରେ ପୋଲିସ ମେଗା ଫୋନ୍ ବ୍ୟବହାର କରିଥିଲା। ରାଜମହଲ ଛକ ଛାଡ଼ି ଚାଲିଯିବା ପାଇଁ ମେଗା ଫୋନରେ ଲୋକଙ୍କୁ ଅପିଲ୍‌ କରିଥିଲା ପୋଲିସ। ଶେଷରେ ଧିରେ ଧିରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ଆକ୍ସନ ମୋଡ୍‌ରେ ପୋଲିସ କମିଶନର

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ପାଇଁ ରାଜଧାନୀରେ ପୋଲିସ-ଜନତା ମୁହାଁମୁହିଁ ଏକ ଚାଲେଞ୍ଜ ଦେଲା ଭଳି ଘଟଣା। ରାଜମହଲ ଛକରେ ପୋଲିସ-ପବ୍ଲିକ ମୁହାଁମୁହିଁ ଖବର ପାଇବା ପରେ କମିଶନର ଘଟଣାସ୍ଥଳକୁ ଆସିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲୋକଙ୍କୁ ବୁଝାଇଥିଲେ। ହେଲେ ଲୋକେ ବୁଝି ନଥିଲେ।

‘‘ନିୟମ ସମସ୍ତଙ୍କ ପାଇଁ ସମାନ। ଆମେ ଏବେ ଯାଞ୍ଚ ବେଳେ ୫ଟି ଜିନିଷ ଯାଞ୍ଚ କରୁଛୁ। ହେଲମେଟ୍‌, ସିଟ୍‌ ବେଲ୍ଟ, ଗାଡ଼ି ରେଜିଷ୍ଟ୍ରେସନ, ମଦ ପିଇ ଗାଡ଼ି ଚଳାଇବା ଏବଂ ବାଇକରେ ୩ ଜଣ ବସିବାକୁ ଯାଞ୍ଚରେ ଏବେ ଅଗ୍ରାଧିକାର ଦିଆଯାଉଛି। ଡିଏଲ୍‌ ଏବଂ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ମାସେ ସମୟ ଦିଆଯାଇଛି। ଲୋକେ ପୋଲିସକୁ ସହଯୋଗ କରିବା ଦରକାର’’, କହିଛନ୍ତି କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

Comment