ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ରାଜନେତା ରାମ ଜେଠମଲନୀ। ବହୁ ଦିନ ଧରି ଅସୁସ୍ଥ ରହିବାପରେ ରବିବାର ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

ଆରଜେଡି ଦଳରୁ ରାଜ୍ୟସଭା ସାଂସଦ ଥିବା ଜେଠମଲାନୀ ଏକାସଙ୍ଗରେ ଜଣେ ରାଜନୀତିଜ୍ଞ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଥିଲେ। ସେ ଅଟଳ ବିହାରୀ ବାଜପେୟୀ ସରକାରରେ ଆଇନ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ଜେଠମଲାନୀ ନିଜ ଓକିଲାତି ଜୀବନରେ ମଧ୍ୟ ସେ ବହୁ ବଡ଼ ବଡ଼ ମକଦ୍ଦମା ଲଢ଼ିଛନ୍ତି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀଙ୍କ କେସ୍, ନାନାବତୀ ଓ ମହାରାଷ୍ଟ୍ର ସରକାର କେସ୍, ଆତଙ୍କବାଦୀ ଅଫଜଲ ଗୁରୁର କେସ୍ ସାମିଲ୍ ରହିଛି। ଏଥିସହ ସେ ଅନେକ କେସ୍ ବିନା ମୂଲ୍ୟରେ ଲଢିଛନ୍ତି।

ଜେଠମଲାନୀଙ୍କ ପରଲୋକ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୋକପ୍ରକାଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ସେ ସମସ୍ତ କାମ ବିନା କୌଣସି ଭୟରେ କରୁଥିଲେ। ଜରୁରୀ ପରିସ୍ଥିତି ସମୟରେ ସେ ସ୍ୱତନ୍ତ୍ରତା ଓ ଲୋକଙ୍କ ସ୍ୱାଧୀନତା ପାଇଁ ଲଢେଇ କରିଥିଲେ। ମୁଁ ବହୁତ ଭାଗ୍ୟଶାଳୀ ଯେ ମୋତେ ତାଙ୍କ ସହ ଦେଖାକରିବାର ସୌଭାଗ ଲାଭ ହୋଇଥିଲା। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର, ବନ୍ଧୁ ଓ ପ୍ରିୟଜନମାନଙ୍କୁ ସମବେଦନା ଜଣାଉଛି।”

ରାମ ଜେଠମଲାନୀ ଦୁଇଥର ବିଜେପି ଦଳରୁ ମୁମ୍ବାଇ ଲୋକସଭା ଆସନରେ ମଧ୍ୟ ନିର୍ବାଚିତ ହୋଇଥିଲେ। ସବୁଠୁ ବଡ଼ କଥା ହେଲା, ଜେଠମଲାନୀ ନିଜେ ଅଟଳ ବିହାରୀ ବାଜପେୟୀଙ୍କ ବିପକ୍ଷରେ ନିର୍ବାଚନରେ ଠିଆ ହୋଇଥିଲେ।

ରାମ ଜେଠମଲନୀଙ୍କ ପରଲୋକ ପରେ ରବିବାର ଅପରାହ୍‌ଣରେ ନୂଆଦିଲ୍ଲୀ ଲୋଧୀ ରୋଡ୍‌ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହେବ।

Comment