ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ପ୍ରଣିତ ୫ଟି (ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ସମୟ, ବୈଷୟିକ ଜ୍ଞାନ ଏବଂ ପରିବର୍ତ୍ତନ)କୁ ଫଳପ୍ରଦ କାର୍ଯ୍ୟକାରୀ କରିବା ପାଇଁ  ରାୟଗଡ଼ା  ଜିଲ୍ଲାପାଳ ଏକ ନୂଆ ପଦକ୍ଷେପ ନେଇଛନ୍ତି। ୫ଟିକୁ ପଞ୍ଚାୟତସ୍ତରକୁ ନେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକମାନଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ଜନ ଅଭିଯୋଗ ଶୁଣାଣିକୁ ଗ୍ରାମ ପଞ୍ଚାୟତସ୍ତରକୁ ଯାଇ ୫ଟିକୁ ଗ୍ରାମଭିମୁଖୀ କରି ଜନ ସାଧାରଣଙ୍କୁ ସେବା ଯୋଗାଇବା ଓ ସେମାନଙ୍କଠାରୁ ଅଭିଯୋଗ ଶୁଣିବା, ସରକାରଙ୍କ ବିଭିନ୍ନ ଯୋଜନାକୁ ଆୟୋଜନ ଓ କାର୍ଯ୍ୟକାରିତା ଏବଂ ସଚେତନତା ସୃଷ୍ଟି କରିବା ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।

ଚଳିତ ମାସଠାରୁ  ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତ୍ୟେକ ସପ୍ତାହରେ ନିଜ ବ୍ଲକର ପଞ୍ଚାୟତଗୁଡ଼ିକରେ ଜନଶୁଣାଣି କରି ସମସ୍ୟାର ସମାଧାନ କରିବେ। ତେବେ ଦରକାର ପଡ଼ିଲେ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇ ପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରକୁ କାର୍ଯ୍ୟକାରି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହା ମାଧ୍ୟମରେ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଭିନ୍ନକ୍ଷମଙ୍କର ଦରଖାସ୍ତ ଗ୍ରହଣ କରିବା, ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକଙ୍କୁ ପଞ୍ଜିକରଣ କରିବା, ଅଧାରୁ ପାଠ ଛାଡୁଥିବା ବିଦ୍ୟାର୍ଥୀଙ୍କୁ କାଉନସିଂଲି କରାଯିବା, ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ଏବଂ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବା ପାଇଁ ପଦକ୍ଷେପ ନିଆଯିବ।

ଜନସାଧାରଣଙ୍କ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାଲ୍ୟ ବିବାହ ନିରୋଧ, ଅନ୍ଧବିଶ୍ୱାସ ଓ କୁସଂସ୍କାର, କୁପୋଷଣ ଦୂର କରିବା ଏବଂ ସ୍ୱାସ୍ଥ୍ୟ ଉପରେ ସଚେତନତା କରାଯିବା ବୋଲି କୁହାଯାଇଛି।

ବୈଠକରେ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅମ୍ରିତ ଋତୁରାଜ ୫ଟି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ବିଭିନ୍ନ  ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହିଥିଲେ।

Comment