ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆକାଶ ଦାସ ନାୟକ। ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା। ଜଣେ ଲୋକପ୍ରିୟ ଅଭିନେତା, ଜଣେ ଯୁବ ନେତା ଭାବେ ସେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ଭିନ୍ନ ଭିନ୍ନ ଫିଲ୍ମରେ ଦମଦାର ଅଭିନୟ କରି ସେ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇଛନ୍ତି। ତେବେ କେବଳ ଅଭିନୟ ନୁହେଁ ରାଜନୀତିରେ ମଧ୍ୟ ଆକାଶ ତାଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି।

୨୦୧୪ ସାଧାରଣ ନିର୍ବାଚନରେ ଯାଜପୁରର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆକାଶ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ କଲେଜ’ ଅଭିଯାନର ଏବେ ଅଧ୍ୟକ୍ଷ ଅଛନ୍ତି ଆକାଶ।

ନେତା ଓ ଅଭିନେତାର ଭୂମିକା ସହିତ ଆକାଶ ନିଜକୁ ସମାଜସେବା କ୍ଷେତ୍ରରେ ଯୋଡ଼ିଛନ୍ତି। ଯୁବପିଢ଼ିଙ୍କ ସହ ଡିଜିଟାଲି ସିଧାସଳଖ ଯୋଡ଼ି ହେବା ପାଇଁ ଆକାଶ ନିଜର ଏକ ୟୁଟ୍ୟବ୍‌ ଚ୍ୟାନେଲ ଖୋଲିଛନ୍ତି, ଯାହାର ନାଁ ରହିଛି ‘ଆକାଶ ଇନସ୍ପାୟର୍ସ’। ଏହା ମାଧ୍ୟମରେ ସେ ଯବୁପିଢ଼ିଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ତଥା ବିଭିନ୍ନ ସମସ୍ୟାକୁ ସେମାନେ କେମିତି ସାମ୍ନା କରିବେ ସେନେଇ ଟିପ୍ସ ଦେଉଛନ୍ତି।

ଆକାଶଙ୍କ ଏହି ନିଆରା ପଦକ୍ଷେପ ପଛରେ ତାଙ୍କର କ’ଣ ଉଦ୍ଦେଶ୍ୟ ରହିଛି ଜାଣିବା ପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ଭେଟିଥିଲା ଆକାଶଙ୍କୁ। ଜାଣିବାକୁ ଚାହିଁଥିଲା ଆକାଶଙ୍କ ଏହି ନିଆରା ପ୍ରୟାସ ବିଷୟରେ।

‘‘ଗାଁରୁ ଆରମ୍ଭ କରି ସହର, ଓଡ଼ିଶାର ଯବୁବିଢ଼ି ଏବେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି। ସେମାନଙ୍କ ପାଖରେ ଦକ୍ଷତା ରହିଛି, ଜ୍ଞାନ ରହିଛି ହେଲେ ବେଳେବେଳେ ସବୁଥାଇ ବି ଯୁବପିଢ଼ି ଦିଗହରା ହୋଇ ଯାଉଛନ୍ତି। କାରଣ ଯେତେବେଳେ ମନରେ କିଛି ଦ୍ୱନ୍ଦ୍ୱ ଆସେ ଆମେ କାହାକୁ ପଚାରିବୁ ବୋଲି ଭାବୁ। ସେତେବେଳେ ଆମେ ଗୁଗୁଲ ସର୍ଚ୍ଚ କରୁ। ହେଲେ ସେଥିରେ ସବୁ ଇଂରାଜୀ ଏବଂ ହିନ୍ଦୀରେ ଆସେ। ଓଡ଼ିଆରେ ସେ ବିଷୟରେ ଆମେ ପାଉନା। ସେଥିପାଇଁ ଆକାଶ ଇନସ୍ପାୟର୍ସ ଏକ ଉଦ୍ୟମ’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଆକାଶ।

‘ଆକାଶ ଇନସ୍ପାୟର୍ସ’ ମାଧ୍ୟମରେ ଆକାଶ, ସକରାତ୍ମକ ଚିନ୍ତାଧାରା,  ନିଜ ଜୀବନର କିଛି ଅନୁଭୂତି ଏବଂ ସେ ତାଙ୍କ ଗୁରୁଜନଙ୍କଠୁ ଯାହା କିଛି ଶିଖିଛନ୍ତି ତାକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

‘‘ ଆକାଶ ଇନସ୍ପାୟର୍ସ ମାଧ୍ୟମରେ ହେଲ୍ଥ ଟିପ୍ସ ମଧ୍ୟ ଦିଆଯିବ। ଯେମିତିକି ଆମେ କ’ଣ ଖାଇଲେ ସୁସ୍ଥ ରହିବା, କିଭିଳି ବ୍ୟାୟାମ କଲେ ସୁସ୍ଥ ରହିବା ଏଭଳି ଅନେକ କିଛି ପ୍ରସଙ୍ଗକୁ ନେଇ ଏହି ପଦକ୍ଷେପ ନିଆଯାଇଛି’’, ନିଜ ପ୍ରତିକ୍ରିୟାରେ ଓଡ଼ିଶାଲାଇଭ୍‌କୁ ଏକଥା କହିଛନ୍ତି ଆକାଶ।

ସୋସିଆଲ ମିଡିଆ ବର୍ତ୍ତମାନ ସମୟରେ ସବୁଠାରୁ ବଳିଷ୍ଠ ମାଧ୍ୟମ। ଲୋକମାନଙ୍କ ସହ ଯୋଡ଼ି ହେବା ପାଇଁ ଏବଂ ସେମାନଙ୍କ ନିକଟତର ହେବା ପାଇଁ ମଧ୍ୟ ଏହା ଭଲ ଉପାୟ ବୋଲି ଆକାଶ କହିଛନ୍ତି।

ଆଗାମୀ ଦିନରେ ଆକାଶ ଇନସ୍ପାୟର୍ସରେ ଆହୁରି ଅନେକ ପ୍ରସଙ୍ଗ ଯେମିତିକି ମୋଟିଭେସନାଲ୍‌ ଟକ୍‌, ହେଲ୍ଥ ଟିପ୍ସ ନେଇ ଆକାଶ ଆସିବେ ବୋଲି ଓଡ଼ିଶାଲାଇଭ୍‌କୁ କହିଛନ୍ତି ଆକାଶ।

Comment