ଓଡିଶାଲାଇଭ୍ ବ୍ୟୁରୋ

କୋଭିଡ୍ ମୁକାବିଲାରେ ଯୁବବର୍ଗଙ୍କ ଅବଦାନ, ସେମାନଙ୍କର ମାନସିକ ଓ ଶାରୀରିକ ସ୍ଵାସ୍ଥ୍ୟର ଯତ୍ନ ଆଦି ବିଷୟରେ କହିଛନ୍ତି ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ।

କୋଭିଡ୍-୧୯ ନାମକ ଏକ ଅଜଣା ଶତ୍ରୁ ସହିତ ଆମେ ଲଢ଼ୁଛନ୍ତି। ଯେଉଁଭଳି ଭାବରେ ସାରା ବିଶ୍ଵର ଜୀବନଯାତ୍ରା ଚାଲିଥିଲା, ଯେଉଁଭଳି ଭାବେ ମଣିଷର ଜୀବନଶୈଳୀ ଥିଲା ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ତେଣୁ ସେହି ଅନୁକ୍ରମରେ ବର୍ତ୍ତମାନର ଯୁବ ସମାଜ ପରୀକ୍ଷା, କ୍ୟାରିଅର ଆଦିକୁ ନେଇ ବହୁତ ପରିମାଣରେ ପ୍ରଭାବିତ ହୋଇଛନ୍ତି ବୋଲି ଆକାଶ କହିଛନ୍ତି।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଭାଗ ନେଇ ଆକାଶ ଦାସନାୟକ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।

ଆକାଶ କହିଛନ୍ତି, “ବର୍ତ୍ତମାନ ଯୁବସମାଜ ଘର ଭିତରେ ଏକପ୍ରକାର ବନ୍ଦୀ ହୋଇ ଅଛନ୍ତି। ଯେଉଁ ସମୟରେ ବାହାରେ ଖେଳିବା ବୁଲିବା କଥା, ଲୋକମାନଙ୍କ ସହିତ ମିଶିବା କଥା ସେହି ସମୟରେ ସେମାନେ ଘର ଭିତରେ ବନ୍ଦୀ ହୋଇ ରହିଛନ୍ତି।”

କିନ୍ତୁ କୋଭିଡ୍-୧୯ ସହ ଲଢ଼ିବାକୁ ହେଲେ ଆମକୁ ସାମାଜିକ ଦୂରତ୍ଵ ବଜାୟ ରଖିବାକୁ ପଡ଼ିବ। ଏଥିସହ ଯୁବସମାଜ କିଭଳି ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ଆକାଶ କହିଛନ୍ତି, “ଯେତେବେଳେ ବି ଦୁନିଆରେ କିଛି ନା କିଛି ପରିବର୍ତ୍ତନ ଆସିଛି, ସେ ପରିବର୍ତ୍ତନ ଯୁବକମାନେ ହିଁ ଆଣିଛନ୍ତି। ତେଣୁ ଆଜି ମଧ୍ୟ ସେଭଳି ସମୟ ଆସିଛି।”

ଯୁବକମାନେ ଆଗକୁ ଆସୁଛନ୍ତି

ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ଯୁବକମାନେ ବାହାରକୁ ଆସୁଛନ୍ତି ଏବଂ ସାହାଯ୍ୟର ହାତ ବଢ଼ାଉଛନ୍ତି। ସମାଜସେବୀମାନଙ୍କ ସହ ମିଶି ହେଉ ବା ବ୍ୟକ୍ତିଗତ ସ୍ତରରେ ସେମାନେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ତେଣୁ ଏହା ଏକ ବହୁତ ବଡ଼ କଥା ବୋଲି ଆକାଶ କହିଛନ୍ତି।ଯୁବକମାନେ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା ଉଚିତ

ଗୋଟିଏ ପଟେ ଆମକୁ ଦେଖିବାକୁ ପଡ଼ିବ ଯେ ଯୁବକମାନଙ୍କର ମାନସିକ ସ୍ଵାସ୍ଥ୍ୟ କେମିତି ଭଲ ରହିବ, ସେମାନେ ମାନସିକ ସ୍ତରରେ କିଭଳି ଭାବେ ଦୃଢ଼ ରହିବେ। ଅନ୍ୟପଟେ ସେମାନେ ଶାରୀରିକ ଭାବେ ମଧ୍ୟ ସୁସ୍ଥ ରହିବା ଦରକାର।

“ଯୁବକମାନେ ଘରେ ରହି, ସାମାଜିକ ଦୂରତ୍ଵ ବଜାୟ ରଖି ଶାରୀରିକ ଭାବେ ଫିଟ୍ ରହିବା ଉଚିତ। ଏହି ସମୟ ବେଶି ଦିନ ରହିବନି। ଏହି ସମୟ ନିଶ୍ଚିତ ଭାବରେ ଗୋଟେ ନା ଗୋଟେ ଦିନ ଅତିକ୍ରମ କରିବ ଏବଂ ପୁଣି ଆମେ ଯେଉଁଭଳି ଭାବେ ନିୟମିତ କାର୍ଯ୍ୟ କରୁଥିଲେ ସେହି କାର୍ଯ୍ୟଧାରାକୁ ଫେରିବା। ସେ ସମୟରେ ସବୁକିଛି ସାଧାରଣ ହେବ। କିନ୍ତୁ ଏ ସମୟରେ ସବୁଠାରୁ ବଡ଼ କଥା ହେଲା କିଭଳି ଭାବେ ଆମେ ନିଜର ସ୍ଵାସ୍ଥ୍ୟ ସହିତ ନିଜ ପରିବାରର ସ୍ଵାସ୍ଥ୍ୟକୁ ଜଗିବା ଏବଂ ଏ ପରିବେଶ ସହିତ କିଭଳି ଆମେ ଖାପ ଖୁଆଇ ଚଳିବା। ଯୁବକମାନଙ୍କ ପାଇଁ ନିହାତି ଭାବେ ଏହା ଏକ ବଡ଼ ଆହ୍ଵାନ। କିନ୍ତୁ ଆମକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ଏବଂ ନିଜର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ ବଜାୟ ରଖି ଆଗକୁ ଯିବାକୁ ପଡ଼ିବ”, ସେ କହିଛନ୍ତି।କୋଭିଡ୍ ସମୟରେ ମାନବିକତା ଦେଖାଉଛନ୍ତି ଯୁବପିଢ଼ି

କୋଭିଡ୍-୧୯ ଆମକୁ ଗୋଟିଏ କଥା ନିଶ୍ଚିତ ଭାବରେ ଶିଖେଇଲା ଯେ ସବୁଠାରୁ ବଡ଼ ହେଲା ମାନବିକତା। ଯାହା ପାଖରେ ଯେତେ ଧନ ସମ୍ପତ୍ତି ଥିଲେ ବି ଯଦି ତାଙ୍କ ପାଖରେ ଠିକ୍ ସମୟରେ ସାହାଯ୍ୟ ନ ପହଞ୍ଚିପାରିଲା ତାହେଲେ ସେ ଟଙ୍କା ସମ୍ପତ୍ତିର କୌଣସି ମୂଲ୍ୟ ରହିବନି। କରୋନା ମହାମାରୀ ଧନୀଗରିବ ଉଚ୍ଚନୀଚ କିଛି ଦେଖେନି। ସେ ସମସ୍ତଙ୍କୁ ସମାନ ଭାବେ ଆକ୍ରାନ୍ତ କରିଛି।

ସେ କହିଛନ୍ତି, “ଯୁବସମାଜ ଯେଉଁଭଳି ଭାବରେ ଏ ଦିଗରେ ସାହାଯ୍ୟର ହାତ ବଢ଼ାଇଛନ୍ତି, ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ ହେଉ ବା ତାଙ୍କ ଆଖପାଖ ପରିବାର ଏବଂ ଜୀବଜନ୍ତୁଙ୍କୁ ସାହାଯ୍ୟ କରିବା ହେଉ ବିଭିନ୍ନ ସମୟରେ ଆମେ ଦେଖିବାକୁ ପାଉଛୁ ଯେ ଯୁବବର୍ଗ ହିଁ ଆଗକୁ ଆସିଛନ୍ତି। ତେଣୁ ସେମାନଙ୍କୁ ଯେତେ ପ୍ରଶଂସା କରାଯିବ ତାହା ନିଶ୍ଚିତ ଭାବେ କମ୍ ହେବ।”କରୋନା ଏବଂ ଲକ୍‌ଡାଉନ୍‌ ବହୁତ କଥା ଶିକ୍ଷା ଦେଇଛି

କୋଭିଡ୍ ସମୟରେ ଆମକୁ ବହୁତ ଶିକ୍ଷା ମିଳିଛି। “ପରିବାର ଗୋଟିଏ ବହୁତ ବଡ଼ କଥା ବୋଲି କରୋନା ଏବଂ ଲକ୍‌ଡାଉନ୍ ଶିକ୍ଷା ଦେଇଛି। ସବୁବେଳେ ଆମେ ନିଜ ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପରିବାରକୁ ଭୁଲିଯାଉ। କିନ୍ତୁ ନିଜ ପରିବାର ଏବଂ ପଡ଼ୋଶୀମାନଙ୍କ ସହଯୋଗ କେତେ ଜରୁରୀ ଏହା ଆମେ ଅନୁଭବ କରିପାରୁଛୁ। ମଣିଷର ମଣିଷ ପ୍ରତି ଯେଉଁ କର୍ତ୍ତବ୍ୟ, ସମୟର ମୂଲ୍ୟ ଏବଂ କେତେ କମରେ ମଣିଷ ବଞ୍ଚିପାରେ ତାର ମୂଲ୍ୟ ମଧ୍ୟ ଆମେ ବୁଝିପାରିଲେ”, ଆକାଶ କହିଛନ୍ତି।

 ଲକଡାଉନ ପରେ ‘ମୋ କଲେଜ’ରେ ପିଲାମାନଙ୍କୁ ଯୋଡ଼ାଯିବ

ବର୍ତ୍ତମାନ ସାରା ଓଡ଼ିଶାରେ ବିଭିନ୍ନ ପ୍ରକାର ଡିଗ୍ରୀ କଲେଜ, ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ କିମ୍ବା ସରକାରୀ କଲେଜ ଯାହା ବି ଅଛି ତାର ପୂର୍ବତନ ଛାତ୍ରମାନଙ୍କର ତଥ୍ୟ ସଂଗ୍ରହ କରୁଛୁ। ଆଗାମୀ ଦିନରେ ସେ ସମସ୍ତଙ୍କୁ ଆମେ ଏକାଠି କରିବୁ ଏବଂ ସେମାନଙ୍କୁ କଲେଜ ସହିତ ଯୋଡ଼ିବୁ। ତା ସହିତ ବର୍ତ୍ତମାନର ଯେଉଁ ଛାତ୍ରଛାତ୍ରୀମାନେ ଅଛନ୍ତି ଆଗାମୀ ଦିନରେ କିଭଳି ଭାବେ ସେମାନଙ୍କର ବିକାଶ ହେବ, ସେମାନଙ୍କର ନିଯୁକ୍ତିଠାରୁ ଆରମ୍ଭ କରି ସେମାନଙ୍କର ବ୍ୟକ୍ତିତ୍ଵର ବିକାଶ, କଲେଜର ଉନ୍ନତି ପରି ସବୁ କ୍ଷେତ୍ରରେ ଆଗାମୀ ଦିନରେ ଆମେ କାମ କରିବୁ। ବିଶେଷଭାବରେ ‘ମୋ କଲେଜ’ର ଲକ୍ଷ୍ୟ ହେଉଛି ଯେ କଲେଜର ପୂର୍ବତନ ଛାତ୍ର, କଲେଜର ବର୍ତ୍ତମାନ ଛାତ୍ର ଏବଂ ସେମାନଙ୍କର ଅଭିଭାବକ ସମସ୍ତଙ୍କୁ ନେଇ କିଭଳି ଭାବେ ଆମେ ସେ କଲେଜର ଉନ୍ନତି କରିପାରିବୁ ବା କମ୍ୟୁନିଟିକୁ କିଭଳି ଭାବେ କଲେଜ ସହିତ ଯୋଡ଼ିବୁ ତାହା ହେଉଛି ‘ମୋ କଲେଜ’ର ଲକ୍ଷ୍ୟ ବୋଲି ଆକାଶ ଦାସନାୟକ କହିଛନ୍ତି।CGU newକୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ତା’ସାଙ୍ଗକୁ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment