ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଆଜି ବି ନିଜ ପ୍ରୟାସ ବଞ୍ଚାଇ ରଖିଛନ୍ତି ସପ ଓ ଝାଡୁ ବୁଣାକାର। ପରିଶ୍ରମ ଢ଼େର ହେଲେ ପାଉନାହାନ୍ତି ମନମୁତାବକ ପାରିଶ୍ରମିକ। ସରକାରଙ୍କ ତରଫରୁ ମଧ୍ୟ କୌଣସି ସହାୟତା ଏପର୍ଯ୍ୟନ୍ତ ମିଳି ପାରିନାହିଁ। ସେଥିପାଇଁ ଧିରେ ଧିରେ ବୁଡ଼ିବାକୁ ବସିଲାଣି ଏମାନଙ୍କର ବୃତ୍ତି।

ସରକାର ହାତ ନବଢ଼େଇବାରୁ ଅନେକ ଲୋକ ନିଜର ବୃତ୍ତି ହରାଇ ଶ୍ରମିକ କାମ କରୁଛନ୍ତି ତ ଆଉ କିଏ ରାଜ୍ୟ ବାହାରକୁ କାମ କରିବାକୁ ପଲେଇ ଯାଉଛନ୍ତି। ଏବେ କିଛି କାମ ଧନ୍ଦା ନପାଇ ବୃଦ୍ଧା ମହିଳାମାନେ ନିଜ ସପ ଓ ଝାଡୁ କାମ କରି ପରିବାର ଚଳାଉଛି।

ଏହି ସପ ଓ ଝାଡୁ ତିଆରି କରିବାକୁ ଜଙ୍ଗଲକୁ ଯାଇ ଖଜୁରୀ ପାଲୁ ସଂଗ୍ରହ କରିବାକୁ ପଡିଥାଏ। ଏହାକୁ ତିଆରି କରିବାକୁ ୧ ମାସରୁ ଦେଢ ମାସ ସମୟ ଲାଗିଥାଏ। ପରେ ଏହାକୁ ୬୦ଟଙ୍କା ରୁ ୧୦୦ ଟଙ୍କାରେ ବିକ୍ରି କରିଥାଆନ୍ତି। ପୂର୍ବରୁ ଘରେ ଘରେ ବହୁଳ ବ୍ୟବହାର ହେଉଥିବା ଏହି ଜିନିଷ ଏବେ ଲୋକଙ୍କ ପାଇଁ ଅଦରକାରୀ ହୋଇଯାଛି। ସମୟ ସହ ତାଳ ଦେଇ ଲୋକେ ବହୁ ଆଗକୁ ଚାଲି ଆସିଛନ୍ତି। ତେଣୁ ବର୍ତ୍ତମାନ ଏହାର ବ୍ୟବହାର କମି ଆସିଲାଣି।

ତେବେ ବୁଣାକାର ବାଧ୍ୟ ହୋଇ ନିଜ ବୃତ୍ତି ଛାଡୁଛନ୍ତି। ଏବେ ମଧ୍ୟ ଆଉ ସପ ବୁଣା ଦେଖିବାକୁ ମିଳୁନାହିଁ। ହଟିଆନାଳୀ, କଶିଡିହ, ଭାଗଲକଟା, ରାଇଝଣ, ଉଗି, ପରା ଗାଁରେ କିଛି ମହିଳା ଏହାକୁ କାଁଭାଁ ତିଆରି କରୁଥିବାର ଦେଖାଯାଇଛି। ଅନ୍ୟ ପକ୍ଷରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ।

ଏନେଇ ବୁଣାକାର ସାବିତ୍ରୀ ନାଏକ କହନ୍ତି, “ସପ, ଝାଡୁ ତିଆରି କରି ପରିବାର ଚଳାଉଥିଲୁ ଏବେ ଆଉ ଏସବୁ ଲୋକ ନେଉନାହାଁନ୍ତି। ତେଣୁ ମୁଁ ସପ ପାଇଁ ଅଧିକା ସମୟ ନଦେଇ ମଜୁରୀ କରିବାକୁ ଯାଉଛି।“

Comment