ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରବାସୀ ଓଡ଼ିଆ ମହାରଣା ସେବା ସମିତି ପକ୍ଷରୁ ବିଶାଖାପାଟଣାରେ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳନ।

(ବିଶାଖାପାଟଣାରୁ  ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ମହାରଣା ସେବା ସମିତି ପକ୍ଷରୁ ଧୁମଧାମରେ ପାଳିତ ହୋଇଛି ବିଶ୍ୱକର୍ମା ପୂଜା। ସିନ୍ଧି ଆନିକଟ ନିୟୁ କଲୋନୀସ୍ଥିତ ତୁଳସୀ ମଣ୍ଡପଠାରେ ବହୁ ଆଡମ୍ବର ସହ ବିଶ୍ୱକର୍ମା ପୂଜା ପାଳନ ହୋଇଛି। ସିନ୍ଧି ଆନିକଟ ହିନ୍ଦୁସ୍ତାନ ସିପ୍‌ୟାଡ୍‌ରେ କାର୍ଯ୍ୟରତ ତଥା ସହରରରେ ରହୁଥିବା ପ୍ରବାସୀ ଓଡ଼ିଆ ମହାରଣା ପରିବାରର ମିଳିତ ଉଦ୍ୟମରେ ଏହି ବିଶ୍ୱକର୍ମା ପୂଜା ଆୟୋଜନ କରାଯାଇଛି।

୪୦୦ ମହାରଣା ପରିବାରର ମିଳିମିଶି ବହୁ ଆଡମ୍ବରର ସହ ଆଜି ବିଶ୍ୱକର୍ମା ପୂଜାରେ ପୂଜା ପାଳନ କରିଛନ୍ତି। ଆଜି ଠାକୁରଙ୍କ ସକାଳ ପୂଜା ପରେ ହୋମ ହୋଇଥିଲା। ପରେ ଠାକୁରଙ୍କୁ ସାହି ଭ୍ରମଣରେ ନିଆଯାଇଥିଲା। ଏହା ପରେ ମଧ୍ୟାହ୍ନ ଓ ସନ୍ଧ୍ୟାରେ ଆଳତିପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ପ୍ରବାସୀ ମହାରଣାଙ୍କ ଏହି ବିଶ୍ୱକର୍ମା ପୂଜାରେ ସ୍ଥାନୀୟ ତେଲୁଗୁ ସମ୍ପ୍ରଦାୟର ମହାରଣା ପରିବାରର ସଦସ୍ୟମାନେ ଯୋଗଦେବା ସହ ହିନ୍ଦୁସ୍ତାନ ସିପ୍‌ୟାଡ଼ର ବହୁପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଓଡିଶା ବାହାରେ ରହି ନିଜ ମାତୃଭୁମି ଓ ମହାରଣାମାନଙ୍କ ସଂସ୍କୃତିକୁ ବଞ୍ଚାଇବା ପାଇଁ ନିଜ ଖର୍ଚ୍ଚ ଓ ଉଦ୍ୟମରେ ଜାରି ରଖିଛନ୍ତି ପ୍ରବାସୀ ଓଡ଼ିଆ ମହାରଣା ସମିତି।

ବିଶାଖାପାଟଣାରେ ହିନ୍ଦୁସ୍ତାନ ସିପୟାଡ଼ ନିର୍ମାଣ ହେବାପରେ ପ୍ରଥମେ ଏହି ସଂସ୍ଥାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ମହାରଣା ପରିବାରକୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏଠାରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆ ମହାରଣାମାନଙ୍କ ନେଇ ୧୯୬୦ ମସିହାରେ ଓଡ଼ିଆ ମହାରଣା ସେବା ସମିତି ଗଠନ କରାଯାଇଥିଲା। ସେହିପରି ହିନ୍ଦୁସ୍ତାନ ସିପୟାଡ଼ ପକ୍ଷରୁ ତୁଳସୀ ମଣ୍ଡପର ନିର୍ମାଣ କରାଯାଇଥିଲା। ସେତେବେଳେ ଏହି ସଙ୍ଗଠନରେ ୧୦୦୦ରୁ ଅଧିକ ଓଡ଼ିଆ ମହାରଣା ପରିବାର ରହିଥିଲେ।

ବର୍ତ୍ତମାନ କିଛି କର୍ମଚାରୀଙ୍କ ଚାକିରିରୁ ଅବସର ଗ୍ରହଣ ପରେ ଏମାନଙ୍କ ସଂଖ୍ୟା ୪୦୦କୁ ଖସିଆସିଛି। ଗତ ୫୭ ବର୍ଷ ଧରି ସଂଗଠନର ସଦସ୍ୟମାନଙ୍କ ନିଜ ସ୍ୱଅନୁଦାନରେ ବିଶାଖାପାଟଣାରେ ଓଡ଼ିଶାର ଭାଷା,  କଳା, ସଂସ୍କୃତି ଓ ଐତିହ୍ୟକୁ ବଞ୍ଚାଇବା ପାଇଁ ସମସ୍ତ ମହାରଣା ପରିବାର ଏକତ୍ରିତ ହୋଇ ଏହି ତୁଳସୀ ମଣ୍ଡପଠାରେ ବିଭିନ୍ନ ଓଡ଼ିଆ ପର୍ବପର୍ବାଣିର ଆୟୋଜନ କରିଥାନ୍ତି।

ତେବେ ୨୦୦୭ ମସିହାରେ ଶରତ ଚନ୍ଦ୍ର ମହାରଣାଙ୍କ ଉଦ୍ୟମରେ ପ୍ରଥମଥର ପାଇଁ ଏଠାରେ ବିଶ୍ୱକର୍ମା ପୂଜାର ଆୟୋଜନ ହୋଇଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଏଠାରେ ମହାରଣାମାନେ ବିଶ୍ୱକର୍ମା ପୂଜାର ଆୟୋଜନ କରିଆସୁଛନ୍ତି।

Comment