ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ଵର, କଟକ, ରାଉରକେଲା, ବାଲେଶ୍ଵର, ଅନୁଗୁଳ, ତାଳଚେର ଅଧିକ ପ୍ରଦୂଷିତ
  • ଦେଶର ୩୫୧ ଓ ଓଡ଼ିଶାରେ ୧୯ଟି ନଦୀ ପ୍ରଦୂଷିତ
  • ସହରରେ ପ୍ରଦୂଷଣ ରୋକିବା ପାଇଁ ପ୍ରସ୍ତୁତ କରାଯାଇଛି ଆକ୍ସନ୍ ପ୍ଲାନ୍
  • ୨ ବର୍ଷ ଭିତରେ ଲାଗୁ ହେବ ସମସ୍ତ ଆକ୍ସନ୍ ପ୍ଲାନ୍
  • ଦିନ ସମୟରେ ସହର ଭିତରେ ଟ୍ରକ୍ ଚାଲିବ ନାହିଁ
  • ରାଜ୍ୟର ପ୍ଲାଷ୍ଟିକ୍ ହେବ ନିଷେଧ

“ବିକାଶ ପ୍ରକ୍ରିୟାରେ ଆମ ପରିବେଶ ଯେପରି ପ୍ରଦୂଷିତ ନ ହେଉ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା। ” ବୁଧବାର ଜୟଦେବ ଭବନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଶ୍ରୀ ଆରୁଖ୍ ଆହୁରି ମଧ୍ୟ କହିଛନ୍ତି ଯେ, ସହରାଞ୍ଚଳର ବର୍ଜ୍ୟଜଳ ପାଇଁ ପ୍ରଦୂଷିତ ହେଉଥିବା ନଦୀ ଜଳକୁ ସଫା ରଖିବା ପାଇଁ ସହରରେ ସ୍ଥାପନ ହେବ ସେଓ୍ୱେଜ୍ ଟ୍ରିଟ୍ ମେଣ୍ଟ୍ ପ୍ଲାଣ୍ଟ୍ । ପ୍ଲାଷ୍ଟିକ୍ ଯୋଗୁଁ ପରିବେଶ ପ୍ରଦୂଷଣ ଆଶଙ୍କା ଅଧିକ ରହୁଛି। ତେବେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୧୧୪ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯିବ।

ରାଜ୍ୟରେ ମୋଟ୍‌ ୫ଟି ଅଧିକ ପ୍ରଦୂଷିତ ସହରରେ ଦିନରେ ଟ୍ରକ୍‌ ଯାତାୟାତ ନ କରିବା ପାଇଁ ନିଷ୍ପତି ନିଆଯାଇଛି।  ଏହି ୫ଟି ସହର ଭୁବନେଶ୍ଵର, କଟକ, ରାଉରକେଲା, ବାଲେଶ୍ଵର, ଅନୁଗୁଳ, ତାଳଚେରରେ ଦିନରେ ଟ୍ରକ୍‌ ବନ୍ଦ ରହିବ ବୋଲି ଯୋଜନା କରାଯାଉଛି।

ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ, ଟ୍ରକରୁ ବାହାରୁଥିବା ଧୂଆ ଧୂଳି ପରିବେଶକୁ ପ୍ରଦୂଷିତ କରୁଛି। ତେଣୁ ଦିନ ସମୟରେ ଭୁବନେଶ୍ଵର ସମେତ ୫ଟି ସହରରେ ଟ୍ରକ୍ ଯାତାୟତକୁ ବନ୍ଦ କରାଯିବା ନେଇ ଯୋଜନା କରାଯାଉଛି।

Comment