ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଦୁଇ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଗତ କାଲି ରାତିରେ ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଅଞ୍ଚଳର ୪ଜଣ ଯୁବକ ବିଶାଖାପାଟଣାରୁ ରାୟପୁର ଯାଉଥିବା CG-04 LM-2805 ନମ୍ବର ଏକ କୋଇଲା ବୋଝେଇ ଟ୍ରକକୁ ଲୁଟିବା ପାଇଁ ଉଦ୍ୟମ କରିଥିଲେ।

ଦୁଇଟି ବାଇକରେ ୪ଜଣ ପିଛା କରି ଟ୍ରକକୁ ଅଟକାଇବା ଉଦ୍ୟମ କରିଥିଲେ। ହେଲେ ଡ୍ରାଇଭର ନ ଅଟକିବାରୁ ଭାରତପୁରଠାରେ ଦୁଇଟି ବାଇକ୍ ଟ୍ରକ ସାମ୍ନାରେ ଛିଡ଼ାକରି ଟ୍ରକ ଅଟକାଇଥିଲେ। ଡ୍ରାଇଭରକୁ ନିର୍ଧୁମ ଛେଚିଥିଲେ।

ଟ୍ରକ ଡ୍ରାଇଭର ଭୟଭୀତ ହୋଇ ଖସିଆସି ବିଷମକଟକ ଥାନାରେ ଜଣାଇଥିଲା। ଖବର ପାଇବା ପରେ ବିଷମକଟକ ଥାନା ଅଧିକାରୀ ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଲୁଟେରା ଫେରାର ହେଇଯାଇଥିଲେ। ଏହି ଲୁଟେରା ଚାନ୍ଦିଲି ଥାନା ଥେରୁବଳୀ ଅଞ୍ଚଳର।

ଗିରଫ ଦୁଇଜଣ ହେଉଛନ୍ତି ଜିତେଶ ମେହେର ଓ କେ ନାଗେଶ। ଏହି ଦୁଇ ଜଣଙ୍କୁ ଗିରଫ କରିବା ପରେ ବିଷମକଟକ ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ବିଷମକଟକ ଥାନା ଅଧିକାରୀ ଯସବନ୍ତ ହିଆଲ ସୂଚନା ଦେଇଛନ୍ତି।

Comment