ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁରର ଜଣେ ବୃଦ୍ଧ କିଛି ଦିନ ତଳେ ପୁଅ ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିଜ ସମ୍ପତ୍ତିକୁ ସରକାରଙ୍କୁ ଦାନ କରିଥିଲେ। ଏବେ ଠିକ ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତିରେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଜଣେ ୭୦ ବର୍ଷୀୟ ବୃଦ୍ଧା ନିଜ ପୁଅ ବୋହୂଙ୍କ ନିର୍ଯାତନାରେ ଅସହ୍ୟ ହୋଇ ସମ୍ପତ୍ତି ଦାନ କରିବାକୁ ଗଜପତି ଏସିପି ସାରା ଶର୍ମାଙ୍କୁ ଭେଟିଛନ୍ତି। ସେ ଏସିପିଙ୍କ ସାହାଯ୍ୟ ଲୋଡ଼ିଛନ୍ତି।

ଏସପିଙ୍କୁ ଭେଟି ତାଙ୍କର ସମ୍ପତ୍ତିରେ ଏକ ଜରାଶ୍ରମ କରିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ବୃଦ୍ଧା ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜାନକୀ ଅଧିକାରୀ।

‘‘ବିଗତ ୧୭ ବର୍ଷ ଧରି ପୁଅବୋହୂ ମତେ ନିର୍ଯାତନା ଦେଉଛନ୍ତି। ମୋ ଖାଇବାପିଇବା କିମ୍ବା କୌଣସି କଥା ବୁଝୁ ନାହାନ୍ତି। ଝିଅ-ଜ୍ୱାଇଁ ପୂର୍ବରୁ ଆସି ବୁଝୁଥିଲେ। କିନ୍ତୁ ସେମାନଙ୍କୁ ପୁଅ-ବୋହୂ ବିରୋଧ କଲେ। ଏବେ କେବଳ ମୁଁ ନିର୍ଯାତନା ପାଉଛି’’, ସାରା ଶର୍ମାଙ୍କୁ ଭେଟି ନିଜ ଦୁଃଖ କଥା କହିଛନ୍ତି ଜାନକୀ।

ଜାନକୀଙ୍କ ସହ ଭେଟ ହେବା ପରେ ଏସପି ସାରା ଶର୍ମା ତାଙ୍କୁ ସାହାଯ୍ୟର ହାତ ବଢ଼େଇଛନ୍ତି। ବୃଦ୍ଧାଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ କରାଇଛନ୍ତି।

ଜାନକୀ ଜଣେ ଉଚ୍ଚ ଶିକ୍ଷିତା। ୧୯୯୫ ମସିହାରେ ସ୍ୱାମୀ ରାମଚନ୍ଦ୍ର ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁପରେ ସେ ପୁଅକୁ ବିବାହ କରାଇଥିଲେ। ତା’ପରଠୁ ଜାନକୀଙ୍କ ଦୁଃଖ ବଢ଼ିଛି। ପୁଅ ବୋହୂ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଉଛନ୍ତି।

Comment