ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ମୀରପୁରଠାରେ ମଙ୍ଗଳବାର ଅପରାହ୍‌ଣରେ ଘଟିଛି ଭୟଙ୍କର ଭୂମିକମ୍ପ। ଏହି ଭୂମିକମ୍ପରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ପାକିସ୍ତାନ ଗଣମାଧ୍ୟମ ଡନ୍‌ ପକ୍ଷରୁ ସୂଚନା ମିଳିଛି।

ଭୂମିକମ୍ପର ପ୍ରଭାବ ପାକିସ୍ତାନ ଉପରେ ଅଧିକ ପଡ଼ିଥିବା ବେଳେ ଭାରତ ଉପରେ ଏହାର ଆଶିଂକ ପ୍ରଭାବ ପଡ଼ିଛି। ହେଲେ ଭାରତାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଭୂମିକମ୍ପର ତୀବ୍ରତା ୬.୩ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଆମେରିକା ପାଣିପାଗ ସଂସ୍ଥା ଏହି ଭୂମିକମ୍ପର ତୀବ୍ରତା ୬.୫ କହୁଥିବା ବେଳେ ପାକିସ୍ତାନ ୫.୮ ବୋଲି ଦାବି କରୁଛି।।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପିଓକେର ମୀରପୁରଠାରେ ଥିବା ହେତୁ ସବୁଠୁ ଅଧିକା କ୍ଷୟକ୍ଷତି ଏହିସ୍ଥାନରେ ହୋଇଛି। ଆଜି ଅପରାହ୍‌ଣ ୪.୩୫ରେ ଭୂମିକମ୍ପର ଝଟକା ଅନୁଭୁତ କରାଯାଇଥିଲା। ଫଳରେ ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଝେଲମରୁ ମୀରପୁର ଯାଇଥିବା ପାଖାପାଖି ୨ କିଲୋମିଟର ରାସ୍ତା ଭୂକମ୍ପ ଫଳରେ ସମ୍ପୂର୍ଣ୍ଣ ରୂପେ ମାଟି ଭିତରକୁ ଧସେଇ ଯାଇଛି।

ସେହିପରି ସିଆଲକୋଟ, ସରଗୋଧା, ମାନସେରା, ଚିତ୍ରାଲ, ମୁଲତାନ, ବାଜପୁର, ସ୍ୱାତ୍, ସାହିୱାଲ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି।

ଭୂମିକମ୍ପକୁ ଦୃଷ୍ଟିରେ ରଖି ପାକିସ୍ତାନ ପିଓକେରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ସେହିପରି ସମସ୍ତ ସରକାରୀ ହସ୍ପିଟାଲକୁ ଆଲର୍ଟ ରହିବାକୁ ପାକିସ୍ତାନ ସରକାର ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଭୂମିକମ୍ପରେ କ୍ଷୟକ୍ଷତିରେ ଦୁଃଖପ୍ରକାଶ କରିଛନ୍ତି।

Comment