ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡେ଼ାଶୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ପୁରୀଘାଟ ଥାନାରେ ଏତଲା ଦାୟର ହୋଇଛି। ଏତଲା ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏହି ଘଟଣାରେ ପୁରୀଘାଟ ଥାନା କର୍ମଚାରୀଙ୍କ ବ୍ୟବହାର ସନ୍ତୋଷଜନକ ନୁହେଁ ବୋଲି ସାଂସଦ ଅନୁଭବ ଅଭିଯୋଗ କରିଛନ୍ତି।

ଗତକାଲି ରାତି ପ୍ରାୟ ୧ଟା ହେବ। ଅନୁଭବ ତାଙ୍କ ଚୌଧୁରୀବଜାର ନନ୍ଦିସାହି ଘରେ ବିଶ୍ରାମ ନେଉଥିଲେ।  ଏହି ସମୟରେ ଘର ବାହାରେ ଜୋରଦାର ପାଟିତୁଣ୍ଡ ହେଉଥିବା ନେଇ ଖବର ଆସିଲା। ତେଣୁ ଅନ୍ୟ ପଡ଼ୋଶୀଙ୍କ ଭଳି ଅନୁଭବ ମଧ୍ୟ ତଳକୁ ଓହ୍ଲାଇ ଆସିଲେ। ସେ ଘରପାଖ ପଡ଼ିଆରେ ପହଞ୍ଚି ଦେଖିବାକୁ ପାଇଲେକି ତାଙ୍କ ପଡ଼ୋଶୀ ମନଜିତ ଦାସ ଓ ତାଙ୍କର କିଛି ସାଙ୍ଗ ପାଟିତୁଣ୍ଡ କରିବା ସହିତ ହୋହଲ୍ଲା କରୁଛନ୍ତି। ସେହି ଯୁବକମାନେ ପାଖ ଅଞ୍ଚଳର ମଦନ କୁମାର ଦାସ ନାମକ ଜଣେ ଯୁବକଙ୍କୁ ଗାଳିଗୁଲଜ କରିବା ସହିତ ମାରଧର ମଧ୍ୟ କରୁଛନ୍ତି।

ଏହା ଦେଖି ଅନୁଭବ ଉକ୍ତ ଯୁବକମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଅନୁଭବଙ୍କ ଏହି କଥାକୁ ଉକ୍ତ ଯୁବକମାନେ ଗ୍ରହଣ କରିନଥିଲେ। ଓଲଟା ମନଜିତ ଓ ତାଙ୍କ ସାଙ୍ଗମାନେ ଅନୁଭବଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବବହାର ପ୍ରଦର୍ଶନ କରିଥିଲେ। ଏହା ଦେଖି ଅନୁଭବ ସାଙ୍ଗେ ସାଙ୍ଗେ ପୁରୀଘାଟ ଥାନା ଅଧିକାରୀଙ୍କୁ ଫୋନ୍ କରିଥିଲେ।

ଖବର ପାଇ ପୁରୀଘାଟ ଥାନା ପୋଲିସ ଟିମ୍ ସ୍ଥଳରେ ପହଞ୍ଚିଥିଲେ। ହେଲେ ଅନୁଭବନଙ୍କ ଅଭିଯୋଗକୁ ଇନ୍ସିପେକ୍ଟର ରଶ୍ମୀରଂଜନ ଶୁଣିନଥିଲେ ବୋଲି ଅନୁଭବ ପରେ ଅଭିଯୋଗ କରିଥିଲେ।

ଏପରିକି ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଥିଲେ, ‘‘ପୁରୀଘାଟ ଥାନା ଅଧିକାରୀ ମତେ ଦୁର୍ବ୍ୟବହାର କରିଛନ୍ତି। ମତେ ଏହା ବହୁତ ବାଧିଛି।’’

ସୋସିଆଲ୍ ମିଡିଆରେ ଅନୁଭବଙ୍କ ଏହି କ୍ଷୋଭ ପାଇଁ ପୋଲିସ ମହଲରେ ତୁମ୍ବିତୁଫାନ କରିଛି। ଘଟଣା ନେଇ ଖୋଦ ଡିସିପି ଓ ପୋଲିସ କମିସନର ଅନୁଭବଙ୍କ ସହିତ ଆଲୋଚନା କରିଛନ୍ତି। ପରେ ଗତକାଲିର ମାଡ଼ପିଟ ଘଟଣା ନେଇ ସାଂସଦ ଶ୍ରୀ ମହାନ୍ତି ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି।

Comment