ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯାତ୍ରାଜଗତର ଜଣେ ସୁନାମଧନ୍ୟ ଆଉ ଦକ୍ଷ କଳାକାର ହେଉଛନ୍ତି ଦୈତାରୀ ପଣ୍ଡା। ‘ଦସ୍ୟୁନାୟିକା ଫୁଲନ୍ ଦେବୀ’ ହେଉ ଅବା ‘ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍’ ଭଳି ନାଟକ ସବୁଥିରେ ସେ ତାଙ୍କ ଅଭିନୟରେ ଦର୍ଶକଙ୍କ ମନ ଜିଣିପାରିଛି। ଦୀର୍ଘ ୪୧ବର୍ଷ ହେଲା ଯାତ୍ରାଜଗତରେ ନିଜର ପତିଆରା ବଜାୟ ରଖିଥିବା ଦୈତାରୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥାନ୍ତି।

ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟ କରୁଥିବା ଦୈତାରୀ କେବଳ ଯଲିଉଡ ହିଁ ନୁହେଁ ଓଲିଉଡ଼ରେ ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି। ‘ସପନର ନାୟିକା’, ‘ଗଡ୍ ଫାଦର’ ଆଦି ବିଭିନ୍ନ ଓଡ଼ିଆ ସିନେମାରେ ସେ ଅଭିନୟ କରିସାରିଛନ୍ତି।

ଭରସା ହିଁ କରିଛି ସଫଳ

ଯଲିଉଡର ଏହି ଖଳନାୟକଙ୍କ ସଫଳତା ପଛର ସଂଘର୍ଷକୁ ବେଶି ଲୋକ ଜାଣିନଥିବେ। ଯାତ୍ରାକୁ ଆସିବା ପୂର୍ବରୁ ତାଙ୍କ ଜୀବନ ବେଶ୍ ସଂଘର୍ଷମୟ ରହିଥିଲା। ପରିବାରର ସ୍ଥିତି ଖରାପ ଥିବା ଯୋଗୁଁ ଘର ଛାଡ଼ି କଲିକତା ଚାଲିଯାଇଥିଲେ ଦୈତାରୀ। ସେଠାରେ ହୋଟେଲରେ ବାସନ ମାଜିବା ସହ ବିଭିନ୍ନ କାମକରି ସେ ସମୟ କାଟୁଥିଲେ। ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଜୀବନରେ କିଛି କରିବାର ଭରସା ତାଙ୍କ ପାଖରେ ରହିଥିଲା ଯାହାକୁ ନେଇ ସେ ଆଜି ତାଙ୍କ ଜୀବନରେ ସଫଳ ହୋଇପାରିଛନ୍ତି।

ଗୁରୁ ରଘୁନାଥ ପଣ୍ଡା ଦେଇଥିଲେ ପୁନର୍ଜନ୍ମ

ପରେ ପରେ ନିଜ ମାଙ୍କ ନିର୍ଦ୍ଦେଶ କ୍ରମେ ଦୈତାରୀ ନିତ୍ୟାନନ୍ଦ ପଣ୍ଡାଙ୍କ ପାଖକୁ ଯାତ୍ରା ଶିଖିବାକୁ ଆସିଥିଲେ। ସେହିଦିନ ଠାରୁ ସେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କୁ ତାଙ୍କର ପ୍ରଥମ ଗୁରୁ ମାନନ୍ତି ଦୈତାରୀ ପଣ୍ଡା। ଦୈତାରୀଙ୍କ ଗୁରୁ ତାଙ୍କୁ ସବୁବେଳେ କହୁଥିଲେ,”ଅନ୍ଧାରରେ ରୁହନା, ଆଲୁଅକୁ ଆସ। ଆଲୋକ ହିଁ ତମକୁ ପ୍ରକୃତ ପରିଚୟ ଦେବ”। ଗୁରୁଙ୍କ ସେହି କଥାକୁ ଜୀବନର ବ୍ରତ କରିନେଇଥିଲେ ଦୈତାରୀ ପଣ୍ଡା। ଏହାସହ ସେ ତାଙ୍କ ଜୀବନରେ ଅନେକ ଗୁରୁଙ୍କଠାରୁ ଅନେକ କିଛି ଶିକ୍ଷା କରିଛନ୍ତି। ଗୁରୁ ପିତାମ୍ବର ମିଶ୍ର, ଅଭିନେତା ଭରତ ଧଳ, ଅକ୍ଷୟ ମହାନ୍ତି (କାଶ୍ୟପ), ରମେଶ ମହାନ୍ତି, ରାମଚନ୍ଦ୍ର ପ୍ରତିହାରୀ ଆଦି ଅନେକ କଳାକାରଙ୍କୁ ସେ ତାଙ୍କର ଗୁରୁବୋଲି ସମ୍ମାନ ଦେଇଥାନ୍ତି। ହେଲେ ଗୁରୁ ରଘୁନାଥ ପଣ୍ଡା ତାଙ୍କୁ ପୁନର୍ଜନ୍ମ ଦେଇଥିବା କଥା କୁହନ୍ତି ଦୈତାରୀ।

ଯାତ୍ରା କରିବାର  ବର୍ଷ ପରେ ପାଇଥିଲେ ପ୍ରଥମ ପାରିଶ୍ରମିକ

ଯାତ୍ରାଜଗତରେ ପାଦ ଦେବାର ୪ ବର୍ଷ ପରେ ଦୈତାରୀ ନିଜର ପ୍ରଥମ ପାରିଶ୍ରମିକ ପାଇଥିଲେ । ତାଙ୍କର ପ୍ରଥମ ପାରିଶ୍ରମିକ ଥିଲା ମାତ୍ର ୨୫୦ ଟଙ୍କା। ରଘୁନାଥ ପଣ୍ଡାଙ୍କ “ଏ ଯୁଗର କାହ୍ନୁ” ନାଟକରେ ଅଭିନୟ କରିବାପରେ ଦୈତାରୀଙ୍କୁ ଓଡ଼ିଶା ଅପେରାରେ ନାଟକ କରିବା ସୁଯୋଗ ମିଳିଥିଲା ଏବଂ ସେଠାରେ ତାଙ୍କୁ ପ୍ରଥମ କରି ୨୫୦ ଟଙ୍କା ପାରିଶ୍ରମିକ ମିଳିଥିଲା।

‘ସ୍ବର୍ଣ୍ଣ ମନ୍ଦିରରେ ଇନ୍ଦିରାଗାନ୍ଧୀ’ ନାଟକରେ ଥିଲେ ଯୁବ ଖଳନାୟକ

ଓଡ଼ିଶା ଅପେରାରେ ନାଟକ କରିବା ସମୟରେ ପଦ୍ମଲୋଚନ ମହାକୁଡ଼ଙ୍କ ରଚିତ ‘ସ୍ବର୍ଣ୍ଣ ମନ୍ଦିରରେ ଇନ୍ଦିରାଗାନ୍ଧୀ’ ନାଟକ ମଞ୍ଚସ୍ଥ ହୋଇଥିଲା। ବସନ୍ତ ସାହୁ, ଗୟାଧର ମଲ୍ଲିକଙ୍କ ଭଳି ନାମୀ ଖଳନାୟକଙ୍କ ବଦଳରେ ଦୈତାରୀଙ୍କୁ ମିଳିଥିଲା ଖଳନାୟକ ହେବାର ସୁଯୋଗ। ଯୁବଖଳନାୟକ ଭାବେ ଭିନ୍ଦରନୱାଲା ଚରିତ୍ରରେ ଅଭିନୟ କରିଥିଲେ ଦୈତାରୀ ଯାହାକୁ  ଦର୍ଶକ ବେଶ୍ ପସନ୍ଦ କରିଥିଲେ।

“ଜୀଅନ୍ତା ଶବ” ହେଲା କ୍ୟାରିଅର୍ ପାଇଁ ନୂଆ ମୋଡ଼

ତାରିଣୀ ଗଣନାଟ୍ୟର ‘ଜୀଅନ୍ତା ଶବ’ ନାଟକ ଦୈତାରୀଙ୍କ ଯାତ୍ରା ଜୀବନକୁ ଏକ ନୂଆ ମୋଡ଼ ଦେଇଥିଲା। ଏହି ନାଟକ ତାଙ୍କ କ୍ୟାରିଅର ପାଇଁ ଏକ ମାଇଲଖୁଣ୍ଟ ହୋଇଥିଲା। ଏହି ଜୀଅନ୍ତା ଶବ ନାଟକର ନିର୍ଦ୍ଦେଶନା ଦେଇଥିଲ  ଅକ୍ଷୟ ମହାନ୍ତି (କାଶ୍ୟପ)।

ନିରାଶ କରିଥିଲେ ନିର୍ଦ୍ଦେଶକ

‘ଜୀଅନ୍ତା ଶବ’ ନାଟକ ଦୈତାରୀଙ୍କ ଜୀବନରେ ଭଲ ଅନୁଭୂତି ସହିତ କିଛି ତିକ୍ତ ଅନୁଭୂତି ବି ଆଣିଥିଲା। ନାଟକରେ ଦୈତାରୀଙ୍କ ଟ୍ରେନିଂ ଦେବା ସମୟରେ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି(କାଶ୍ୟପ) କହିଥିଲେ, ‘ମୁଁ ତୁମକୁ ନିର୍ଦ୍ଦେଶନା ଦେଇପାରିବି ନାହିଁ। ଏହି ଚରିତ୍ର ଗୋଟେ ପାଗଳର। ତୁମେ ନିଜେ ନିଜେ ଅଭ୍ୟାସ କର ଆଉ ଅଭିନୟ କର’। ଏହି କଥା ପଦକ ଦୈତାରୀଙ୍କ ମନକୁ ବହୁତ କଷ୍ଟ ଦେଇଥିଲା। ଏହାପରେ ସେ ନିଜେ ତାଙ୍କ ଚରିତ୍ରକୁ ବୁଝି ନାଟକରେ ଅଭିନୟ କରିଥିଲେ।

କଳାକାର ବଞ୍ଚିଲେ ଯାତ୍ରାନୁଷ୍ଠାନ ବଞ୍ଚିବ

ଜଣେ ଦକ୍ଷ କଳାକାର ହେବା ସହିତ ନିଜର ଦୈନଦିନ ଜୀବନରେ ମଧ୍ୟ ସେ ଜଣେ ଦରଦୀ ମଣିଷ। କଳାକାରମାନଙ୍କ ସ୍ୱାର୍ଥପାଇଁ ସେ ସବୁବେଳେ ଆଗରେ ଠିଆ ହୋଇଥାଆନ୍ତି। କମ୍ ପଇସା, ଶସ୍ତା ଲୋକପ୍ରିୟତା ଆଉ ପ୍ରତିଯୋଗିତା ନାଁରେ କିଛି ଅଣକଳାକାରଙ୍କୁଯାତ୍ରା ମାଲିକମାନେ ଯାତ୍ରାକୁ ନେଇଆସୁଛନ୍ତି। ଯାହା ଫଳରେ ପ୍ରକୃତ କଳାକାଳମାନେ ଯାତ୍ରାରେ ତିଷ୍ଠି ରହୁପାରୁନାହାନ୍ତି। ଏମିତି ହେଲେ କେମିତି ହେବ। କଳାକାର ବଞ୍ଚିଲେ ଯାତ୍ରାନୁଷ୍ଠାନ ବଞ୍ଚିବ ବୋଲି କୁହନ୍ତି ଦୈତାରୀ ପଣ୍ଡା।

Comment