ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’ ୨୧ ତାରିଖ ୧୯୯୧ରେ ତାମିଲନାଡୁର ଶ୍ରୀପେରୁମବୁଦୁରଠାରେ ଏଲଟିଟିଇ ଆତ୍ମଘାତୀ ବୋମାରେ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ। ସେତେବେଳେ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଥାଆନ୍ତି ଚନ୍ଦ୍ରଶେଖର। ସେହି ଦିନ ସେ ଓଡ଼ିଶା ଗସ୍ତରେ ଆସିଥିଲେ। ରାଜୀବ ମୃତ୍ୟୁ ଘଟଣାର ଖବର ପାଇ ତତ୍କ୍ଷଣାତ ଦିଲ୍ଲୀ ଫେରିବା ପରେ ରାଜୀବଙ୍କ ଶେଷକୃତ୍ୟ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଚନ୍ଦ୍ରଶେଖର।
ତେବେ ଚନ୍ଦ୍ରଶେଖର ଓ ରାଜୀବଙ୍କ ବିଧବା ପତ୍ନୀ ସୋନିଆ ଗାନ୍ଧୀଙ୍କ ଭିତରେ ରାଜୀବଙ୍କ ସମାଧିସ୍ଥଳକୁ ନେଇ ଏକ ଅଯଥା ବିବାଦ ସୃଷ୍ଟି ହୋଇଥିଲା। ଏ ନେଇ ସୋନିଆ ଓ ଚନ୍ଦ୍ରଶେଖରଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା। ଏହି ସମଗ୍ର ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସୁବ୍ରମନ୍ୟମ ସ୍ୱାମୀ।
ବିବରଣୀ ଅନୁସାରେ ରାଜୀବଙ୍କ ପାଇଁ ରାଜଘାଟ ନିକଟରେ ଏକ ଉପଯୁକ୍ତ ସ୍ଥାନ ଖୋଜିବା ପାଇଁ ଯେତେବେଳେ କଥା ଉଠିଲା, ଚନ୍ଦ୍ରଶେଖର ପ୍ରସ୍ତାବ ଦେଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସମାଧି ଶକ୍ତିସ୍ଥଳ ନିକଟରେ ହିଁ ରାଜୀବଙ୍କ ସମାଧି ଦିଆଯିବା ଠିକ୍ ହେବ। କିନ୍ତୁ ସୋନିଆ ଗାନ୍ଧୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେ ଚାହୁଁଥିଲେ ଅନ୍ୟ ଏକ ସ୍ଥାନ।
ସୋନିଆଙ୍କ ପକ୍ଷରୁ କୁହାଗଲା ଯେ, ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ମୃତିସ୍ଥଳ ନିକଟରେ ରାଜୀବଙ୍କ ପାଇଁ ସମାଧି ସ୍ଥାନ ଯୋଗାଡ଼ କରାଯାଉ। ଏହି ପ୍ରସ୍ତାବରେ ଚନ୍ଦ୍ରଶେଖର କିନ୍ତୁ ରାଜି ହୋଇ ନଥିଲେ। ଶାସ୍ତ୍ରୀଙ୍କ ସମାଧି ସ୍ଥାନକୁ ଭାଗ ଭାଗ କରିବା ସପକ୍ଷରେ ଚନ୍ଦ୍ରଶେଖର ନଥିଲେ। ସୋନିଆ ଏଥିରେ କ୍ଷୁବ୍ଧ ହେବା ସହ ଏହାକୁ ସର୍ବସାଧାରଣରେ ଏକ ପ୍ରସଙ୍ଗ କରିବେ ବୋଲି ଧମକ ଦେଇଥିଲେ।
ପରେ ପରେ ଚନ୍ଦ୍ରଶେଖରଙ୍କ ଅନୁରୋଧ କ୍ରମେ ସୁବ୍ରମନ୍ୟମ ସ୍ୱାମୀ ସୋନିଆଙ୍କ ନିକଟକୁ ଯାଇ ତାଙ୍କୁ ଓ ତାଙ୍କ ଝିଅ ପ୍ରିୟଙ୍କାକୁ ବୁଝେଇଥିଲେ। କୂଟନୀତି ଛଳରେ ସ୍ୱାମୀ ସୋନିଆ ଓ ପ୍ରିୟଙ୍କାଙ୍କୁ କହିଲେ ଯେ, ଶାସ୍ତ୍ରୀଙ୍କ ସମାଧି ପାଖରେ ରାଜୀବଙ୍କ ସମାଧି ନକରି ଚନ୍ଦ୍ରଶେଖରଙ୍କ ସରକାର ପ୍ରକୃତରେ ତାଙ୍କର ସମ୍ମାନ ରକ୍ଷା କରିବାକୁ ଚାହୁଁଛନ୍ତି।
ସ୍ୱାମୀ ସୋନିଆଙ୍କୁ ବୁଝେଇ କହିଲେ ଯେ, ଚରଣ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଅଜିତ ସିଂହ ବି ଶାସ୍ତ୍ରୀଙ୍କ ସମାଧି ନିକଟରେ ଥିବା ସେହି ସ୍ଥାନଟିକୁ ଦାବି କରିଥିଲେ। କିନ୍ତୁ ରାଜୀବ ଗାନ୍ଧୀ ଅନୁମତି ଦେଇନଥିଲେ କାରଣ ଶାସ୍ତ୍ରୀଙ୍କ ସମାଧି ସ୍ଥାନକୁ ବାଣ୍ଟିଲେ ଦେଶରେ ଅଯଥା ପ୍ରତିକ୍ରିୟା ସୃଷ୍ଟି ହେବ ବୋଲି ତାଙ୍କ ସରକାରଙ୍କ ହୃଦ୍ବୋଧ ହୋଇଥିଲା। ଏହା ଶୁଣିବା ପରେ ସୋନିଆ ବିକଳ୍ପ ସ୍ଥାନ ପାଇଁ ରାଜି ହୋଇଥିଲେ, କିନ୍ତୁ ପ୍ରିୟଙ୍କା ତଥାପି ଫଁ ଫଁ ହେଉଥିଲେ।
ଇନ୍ଦିରା ଗାନ୍ଧୀଙ୍କ ସମାଧି ନିକଟରେ ରାଜୀବଙ୍କ ସମାଧି ନରହୁ ଏକଥା ସୋନିଆ କାହିଁକି ଚାହୁଁଥିଲେ? ସୋନିଆ ଚାହୁଁଥିଲେ ଯେ ଭାରତର ଲୋକେ ଜାଣନ୍ତୁ ରାଜୀବ ନିଜ ଦକ୍ଷତା ଓ ପାରଦର୍ଶିତା ବଳରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଓ କାହାର ଦୟାରେ ନୁହେଁ। ରାଜୀବ ଇନ୍ଦିରାଙ୍କ ପୁଅ ହିସାବରେ ପରିଚିତ ହୁଅନ୍ତୁ ଏହା ସୋନିଆଙ୍କ ପସନ୍ଦ ନଥିଲା। ତେଣୁ ଶକ୍ତିସ୍ଥଳ ନିକଟରେ ରାଜୀବଙ୍କ ସମାଧି ହେବା ସେ ପସନ୍ଦ କରିନଥିଲେ। ତେଣେ ଚନ୍ଦ୍ରଶେଖର ଶାସ୍ତ୍ରୀଙ୍କ ସମାଧିକୁ ଭାଗ କରିବା ପାଇଁ ଇଛା ପ୍ରକାଶ କରିନଥିଲେ କାରଣ ଜଣେ ସରଳ ଓ ନିରାଡ଼ମ୍ବର ବ୍ୟକ୍ତି ହେଲେ ମଧ୍ୟ ଭାରତର କୋଟି କୋଟି ହୃଦୟରେ ଶାସ୍ତ୍ରୀ ବଞ୍ଚି ରହିଛନ୍ତି ଓ ତାଙ୍କ ମହାନତାକୁ କଦାପି ନଷ୍ଟ କରାଯାଇ ପାରିବ ନାହିଁ ଏକଥା ଚନ୍ଦ୍ରଶେଖର ଠିକ୍ ବୁଝିଥିଲେ।
ଏ ସମସ୍ତ କଥାର ଉଲ୍ଲେଖ ରହିଛି ସଦ୍ୟ ପ୍ରକାଶିତ ଏକ ପୁସ୍ତକରେ। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ଓ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ଡକ୍ଟର ରବିଦତ୍ତ ବାଜପେୟୀଙ୍କ ଦ୍ୱାରା ଲିଖିତ ଚନ୍ଦ୍ରଶେଖରଙ୍କ ଜୀବନୀ ପୁସ୍ତକରେ ଚନ୍ଦ୍ରଶେଖରଙ୍କ ଜୀବନର ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ବର୍ଣ୍ଣନା କରାଯାଇଛି। ‘ଚନ୍ଦ୍ରଶେଖର – ଦ ଲାସ୍ଟ ଆଇକନ୍ ଅଫ ଆଇଡିଓଲଜିକାଲ ପଲିଟିକ୍ସ’ ପୁସ୍ତକଟିକୁ ରୂପା ପବ୍ଲିକେସନ, ନୂଆଦିଲ୍ଲୀ ପ୍ରକାଶ କରିଛନ୍ତି।