ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ହ୍ରିତିକି ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ‘ୱାର’ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଉଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ’ୱାର’ ରିଲିଜ ହୋଇଥିଲା। ତେବେ ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ହିଁ ଜବରଦସ୍ତ ବ୍ୟବସାୟ କରି ବଲିଉଡ୍‌ର ସମସ୍ତ ରେକର୍ଡ ଭାଙ୍ଗିଥିଲା। ଆଉ ଏବେ ରିଲିଜର ତୃତୀୟ ଦିନରେ ୧୦୦ କୋଟି କ୍ଲବରେ ପହଞ୍ଚିଛି ଫିଲ୍ମ ‘ୱାର’।

ରିଲିଜର ପ୍ରଥମ ଦିନରେ ‘ୱାର’ ଫିଲ୍ମ ବକ୍ସ ଅଫିସରେ ଦମ୍‌ଦାର ବ୍ୟବସାୟ କରିଥିଲା। ପ୍ରଥମ ଦିନରେ ହିଁ କେବଳ ଭାରତରେ ‘ୱାର’ ଫିଲ୍ମ ୫୩ କୋଟି ୩୫ ଲକ୍ଷ ଟଙ୍କା ଆୟ କରିଥିଲା। ଯେଉଁଥିରେ କେବଳ ହିନ୍ଦୀ ଭାଷାରେ ଏହି ଫିଲ୍ମ ୫୧ କୋଟି ୬୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ତେଲୁଗୁ ଓ ତାମିଲ ଭାଷାରେ ୧.୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ବର୍ତ୍ତମାନ ରିଲିଜର ୩ ଦିନ ମଧ୍ୟରେ ‘ୱାର’ ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଛି।

ବୁଧବାର ରିଲିଜର ପ୍ରଥମ ଦିନରେ ‘ୱାର’ ୫୩.୩୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ଗୁରୁବାର ଫିଲ୍ମ ‘ୱାର’ ୨୪.୩୫ କୋଟି ଟଙ୍କା ଆୟ କରିଥିବା ବେଳେ ଶୁକ୍ରବାର ୨୨.୪୫ କୋଟି ଟଙ୍କା ଆୟ କରିଛି। ରିଲିଜ୍‌ର ତୃତୀୟ ଦିନ ସୁଦ୍ଧା ଫିଲ୍ମ ‘ୱାର’ ମୋଟ ୧୦୦.୧୫ କୋଟି ଟଙ୍କା ଆୟ କରିଛି। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ନିଜ ଟୁଇଟର ପେଜ୍‌ରେ ସୂଚନା ଦେଇଛନ୍ତି।

ଭାରତରେ ଫିଲ୍ମ ‘ୱାର’କୁ ୪ ହଜାର ସ୍କ୍ରିନ୍‌ରେ ରିଲିଜ କରାଯାଇଥିଲା। ସେହିପରି ବିଦେଶରେ ଏହାକୁ ୧୩୫୦ ସ୍କ୍ରିନ୍‌ରେ ରିଲିଜ କରାଯାଇଛି। ନିକଟରେ ଫିଲ୍ମକୁ ଆହୁରି ୨୦୦ ସ୍କ୍ରିନ୍‌ ଦିଆଯାଇଛି। ଭାରତ ଭଳି ଅଷ୍ଟ୍ରେଲିଆରେ ମଧ୍ୟ ଫିଲ୍ମ ‘ୱାର’ର କ୍ରେଜ୍‌ ବଢ଼ିବାରେ ଲାଗିଛି।

Comment