ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବେଶକୁ ବଞ୍ଚାଇବା ତଥା ବିଶ୍ୱରେ ଦେଖାଦେଇଥିବା ଜଳବାୟୁ ସଙ୍କଟ ପାଇଁ ରବିବାର ଏକ୍‌ଜିନଙ୍କସନ୍ ରେବେଲିଅନ ବା ବିଲୁପ୍ତି ବିପ୍ଳବ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଏକ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ଓଡିଶା ପରିବେଶ ଉପରେ କାମ କରୁଥିବା ବିଭିନ୍ନ ସଂସ୍ଥା ପ୍ରତିନିଧିମାନେ ମିଶି ଧାରଣାରେ ବସିଥିଲେ।

ଏକ୍‌ଜିନଙ୍କସନ୍ ରେବେଲିଅନ ବା ବିଲୁପ୍ତି ବିପ୍ଳବ ଏକ ଅହିଂସାତ୍ମକ ଆଇନ୍ ଅମାନ୍ୟ ଆନ୍ଦୋଳନ ଯାହାକି ପ୍ରାୟ ବର୍ଷେ ତଳେ ଇଳଂଣ୍ଡରୁ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଲା ସରକାରଙ୍କୁ ଜଳବାୟୁ ସଙ୍କଟ ବିଷୟରେ ସତ କହିବାକୁ ବାଧ୍ୟ କରିବା ଅର୍ଥାତ ସାରା ବିଶ୍ୱରେ ଦେଖାଦେଇଥିବା ଜଳବାୟୁ ସଂଙ୍କଟକୁ ଏକ ଜରୁରୀକାଳିନ ପରିସ୍ଥିତି ଭାବରେ ଗ୍ରହଣ କରିବା।

ସେହି ଅନୁସାରେ ସରକାର ଏପରି କାର୍ଯ୍ୟକ୍ରମ କରିବା ଆବଶ୍ୟକ ଯାହା ଦ୍ୱାରା ୨୦୨୫ ସୁଧା ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ ପରିମାଣ ନେଟ୍ ଜିରୋ ବା ପ୍ରକୃତି ସହ୍ୟ କରିପାରିବା ସ୍ତରକୁ ଆସିପାରିବ। ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମକୁ ନାଗରିକମାନଙ୍କ ଦ୍ୱାରା ସିଧାସଳଖ ତଦାରଖ କରାଯିବା ଆବଶ୍ୟକ। ଏହସବୁ ଦାବିକୁ ନେଇ ବିଲୁପ୍ତି ବିପ୍ଳବ ତରଫରୁ ପ୍ରାୟ ୬୦ଟି ବଡ ସହରରେ (ଭାରତରେ ୧୪ରୁ ଅଧିକ) ଆଜିଠାରୁ ବଡ଼ ଧରଣର ଆଇନ ଅମାନ୍ୟ ଗଣଆନ୍ଦୋଳନ ଆରମ୍ଭ ହୋଇଛି।

ଭାରତରେ ଓ ବିଶେଷ କରି ଓଡିଶାରେ ଜଳବାୟୁ ସଂଙ୍କଟ ର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳୁଛି। ଯଦିଓ ଆମ ରାଜ୍ୟର ଅଧିବାସି ମାନଙ୍କର ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ ହାର ବିଶ୍ୱ ତୁଳନାରେ ବହୁତ କମ କିନ୍ତୁ ଜଳବାୟୁ ସଂଙ୍କଟ ଦ୍ୱାରା ଘଟୁଥିବା ପ୍ରାକୃତିକ ଦୁର୍ବିପାକର ସବୁଠାରୁ ଅଧିକ ପ୍ରଭାବ ଓଡିଶାବାସୀଙ୍କୁ ଭୋଗିବାକୁ ପଡୁଛି। ସେଥିପାଇଁ ଜଳବାୟୁ ନ୍ୟାୟ ଲକ୍ଷରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଓଡିଶା ପରି ଅଞ୍ଚଳକୁ ଆର୍ଥିକ କ୍ଷତିପୁରଣ ଦେବା ଆବଶ୍ୟକ। ଏହି ଦାବୀକୁ ମଧ୍ୟ ବିଲୁପ୍ତି ବିପ୍ଳବ ସମର୍ଥନ କରୁଛି।

ଏହିସବୁ ଦାବିକୁ ନେଇ ବିଶ୍ୱସ୍ତରରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ସମର୍ଥନରେ ଭୁବନେଶ୍ୱରଠାରେ ଓଡିଶାର ପରିବେଶ ଉପରେ କାମ କରୁଥିବା ବିଭିନ୍ନ ସଂସ୍ଥା ଓ ଗଣ ଆନ୍ଦୋଳନ ଯଥା ଗ୍ରୀନ ଆର୍ମି, ଗ୍ରୀନ୍ ପିସ୍, ଲୋକ ଶକ୍ତି ଅଭିଯାନ, ଫ୍ରାଇଡେ ଫର୍ ଫିଉଚର, ରାଷ୍ଟ୍ରିୟ ଯୁବ ସଂଙ୍ଗଠନ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରତିନିଧିମାନେ ମିଶି ଆଜି ଧାରଣା ପ୍ରଦର୍ଶନ କରିଥିଲେ।

Comment