ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୁଁ ଆଜି ଅତ୍ୟନ୍ତ ସୁନ୍ଦର ଓ ଐତିହାସିକ ରାଜ୍ୟ ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ। ବିଶ୍ୱକବି ମହାକୁମ୍ଭର ଉଦ୍‌ଯାପନୀ ସଭାରେ ସମଗ୍ର ବିଶ୍ୱ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଭାବାନ୍ ଏବଂ ଉତ୍ସାହୀ କବିମାନଙ୍କ ଗହଣରେ ଉପସ୍ଥିତି ଥିବାରୁ ମୁଁ ଆନନ୍ଦିତ” ବିଶ୍ୱକବି ମହାକୁମ୍ଭର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁ ଓଡ଼ିଆରେ କହିଛନ୍ତି।

ଆଜି କିଟ୍‌ ବିଶ୍ୱବିଦ୍ୟାଳୟରେ ୩୯ତମ ବିଶ୍ୱକବି ମହାକୁମ୍ଭର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଭାଇଚାର ସୃଷ୍ଟି ପାଇଁ କବିତା ଏକ ମାଧ୍ୟମ ବୋଲି ଉପରାଷ୍ଟ୍ରପତି ନିଜ ବକ୍ତବ୍ୟରେ କହିଛନ୍ତି।

ଉପରାଷ୍ଟ୍ରପତି କହିଛନ୍ତି, “ବିଶ୍ୱକବି ମହାକୁମ୍ଭରେ ଯୋଗଦେଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ମୁଁ କବି ନୁହେଁ ମାତ୍ର ମୋ ହୃଦୟରେ କବିତା ରହିଛି। ଶାନ୍ତିପୂର୍ଣ୍ଣ ସମାଜ ପାଇଁ ବିକାଶ ଆବଶ୍ୟକ। କବିତା ଜରିଆରେ ସମାଜରେ ଶାନ୍ତି ଓ ଖୁସି ଆସିପାରିବ। ମଣିଷ ଭାବାବେଗ ପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟ ମ ହେଉଛି କବିତା।”

ଏହି ଅବସରରେ ମାତୃଭାଷକୁ ସମୃଦ୍ଧି କରିବା ପାଇଁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ସବୁ ଭାଷା ସମ୍ମାନୀୟ କିନ୍ତୁ ନିଜ ମାତୃଭାଷାର ଗୁରୁତ୍ୱ ଅଧିକ। ନିଜ ମାତୃଭାଷାର ବିକାଶ ପାଇଁ ପ୍ରଥମେ ନିଜ ଭାଷାରେ ସମସ୍ତେ ଲେଖିବା ଜରୁରୀ ଅଟେ। ପ୍ରଥମେ ନିଜ ମାତୃଭାଷା ଶିଖନ୍ତୁ ପରେ ଅନ୍ୟ ଭାଷା ଶିଖିବେ।”

Comment