ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମୋବାଇଲ ଟାୱାର ବସାଇବା ନାଁରେ ଠକୁଥୁବା ୪ ଠକକୁ ଗିରଫ କଲା କରଞ୍ଜିଆ ପୋଲିସ।

କରଞ୍ଜିଆ ପୋଲିସ କୁ ମିଳିଛି ଏକ ବଡ ସଫଳତା। ମୋବାଇଲ ଟାୱାର ବସାଇବା କହି ଠକୁଥିବା ଜଣେ ମହିଳା ସମେତ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଛି କରଞ୍ଜିଆ ପୋଲିସ।

କରଞ୍ଜିଆ ଏବଂ ଯଶୀପୁର ଅଞ୍ଚଳର ୪ଜଣ ଠକ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ମୋବାଇଲ ଟାୱାର ବସାଇବା କହି ଲୋକଙ୍କୁ ଠକି ଆସୁଥିଲେ। ତେବେ ଏପରି ଏକ ଅଭିଯୋଗ କରିଥିଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଝିପାବନ୍ଦ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ବୀରେନ୍ଦ୍ର ପିଙ୍ଗୁଆ। ୪ ଜମିରେ ମୋବାଇଲ ଟାୱାର ବସାଇବା ପାଇଁ ଥାଙ୍କୁ ଜାଲରେ ଛନ୍ଦି ଥିଲେ।

ବୀରେନ୍ଦ୍ରଙ୍କ ବିଭିନ୍ନ ପ୍ଲଟରେ ମୋବାଇଲ ଟାୱାର ବସାଇବା ସମ୍ପର୍କରେ ବତାଇବା ସହିତ କାଗଜପତ୍ର ପାଇଁ ଠକମାନେ ପ୍ରଥମେ ୧ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଥିଲେ । ସେହିପରି ତାଙ୍କ ପାଖରୁ ଆଧାର କାର୍ଡ, ଜମି ପଟ୍ଟା, ବ୍ୟାଙ୍କ ବହିର ନକଲ ନେଇ କହିଥିଲେ କି ତାଙ୍କୁ ୨୫ ରୁ ୭୦ ଲକ୍ଷ ଟଙ୍କା ମିଳିବ।

ତେବେ  ପ୍ରଥମ କିସ୍ତି ୨.୫ ଲକ୍ଷ ଟଙ୍କା ଦେବା ପାଇଁ କହି ତାଙ୍କୁ କରଞ୍ଜିଆ ଡାକି ଥିଲେ। ୨.୫ ଲକ୍ଷ ଟଙ୍କା ବାବଦକୁ ଅଭିଯୁକ୍ତମାନେ ନିଜ ଭାଗ ୧୦ ହଜାର ଟଙ୍କା ପାଇଁ ବାରେନ୍ଦ୍ରଙ୍କ ପାଖରେ ଦାବି କରିଥିଲେ। ତେବେ  ତାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଏନେଇ କରଞ୍ଜିଆ ଥାନା ଅଧିକାରୀଙ୍କ ସହ ବୀରେନ୍ଦ୍ର ଯୋଗାଯୋଗ କରିଥିଲେ।

ଆଜି ଅପରାହ୍‌ଣରେ କରଞ୍ଜିଆ ୨ ନମ୍ବର ୱାର୍ଡ  କରଡ଼ିଆ ବାୟପାସ ରାସ୍ତା ନିକଟରେ ଟଙ୍କା ନେଣଦେଣ କରୁଥିଲେ, ସେତିକିବେଳେ କରଞ୍ଜିଆ ଥାନା ଅଧିକାରୀ ଅତର୍କିତ ଚଢ଼ାଉ କରିଥିଲେ। କରଞ୍ଜିଆ ଥାନାର ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁ, ସବ ଇନ୍ସପେକ୍ଟର ସତ୍ୟ ରଞ୍ଜନ କାଲ ଓ କୁଦଣ୍ଡ ସେଠି ଚଢ଼ାଉ କରି ୨ଟି ମଟର ସାଇକେଲ, ୪ଟି ମୋବାଇଲ ଫୋନ ସମେତ ଏକ ଟଙ୍କା ଭର୍ତ୍ତି ବାକ୍ସ ଜବତ କରିଛନ୍ତି।

ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ଅଲେଖ ଚନ୍ଦ୍ର ପଲେଇ, ଏସ.କେ  ସୁରାଜୁଲ ,ଏସ.କେ କାଲୁମୁଦ୍ଦିନ ଏବଂ ଶାନ୍ତିଲତା ଦାସ।

ପୋଲିସ ଜବତ କରିଥିବା ଟଙ୍କା ବାକ୍ସରୁ ୨୦୦୦,୫୦୦,୨୦୦ଟଙ୍କିଆ କଲର ଜେରକ୍ସ  ହୋଇଥିବା ନକଲି ଟଙ୍କା ଏବଂ କିଛି ଅସଲି ୧୦୦ଟଙ୍କିଆ ନୋଟ ବାହାରିଥିଲା। ବାକ୍ସ  ଭିତରେ ୨.୫ ଲକ୍ଷ ଟଙ୍କା ଥିବା କହୁଥିବା ବେଳେ ସେଥିରୁ ବାହାରିଥିଲା ମାତ୍ର ୧୦୦୦ ଟଙ୍କା।

Comment