ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ ହୋଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩୮ କୋଟି ଟଙ୍କାର ଟ୍ୟାକ୍ସ ହେରଫେର ହୋଇଥିବା ଖବର ଆସିଛି। ଶୁକ୍ରବାର ଏହାର ପର୍ଦ୍ଦାଫାସ ହେବା ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଜିଏସ୍‌ଟି କିମିସନର ସୁଶିଲ ଲୋହାନି ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ବିରଜା ଷ୍ଟିଲର ଅଂଶିଦାର ରାମଚନ୍ଦ୍ର ମଲ୍ଲିକ, ବିରଜା ଷ୍ଟିଲର ଲିଜ୍ ହୋଲ୍ଡର ରାଉରକେଲାର ଦୀନଦୟାଲ ଅଗ୍ରୱାଲ୍, ବିରଜା ଷ୍ଟିଲର ଅଂଶିଦାର ତଥା ରାଉରକେଲା ଅନନ୍ତଭୁଜ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଓ ଆଖଣ୍ଡଳମଣୀ ଏଣ୍ଟରପ୍ରାଇଜେସ୍ ରାଉରକେଲାର ମାଲିକ ଆଦିତ୍ୟ କୁମାର ନାୟକ ଏବଂ ରାଉରକେଲାର ଅତୁଲ ବନ୍ସଲ୍।

ସୁଶିଲ ଲୋହାନି କହିଛନ୍ତି, “ଅଭିଯୁକ୍ତମାନେ ମିଛ ନେଣଦେଣ ଦେଖାଇ ବ୍ୟାପକ ଟ୍ୟାକ୍ସ ହେରଫେର କରାଯାଇଛି। ଏମାନେ ସାଧାରଣ ଲୋକ ଏବଂ ଗୃହିଣୀଙ୍କ ନାଁରେ ଆକାଉଣ୍ଟ ଖୋଲୁଥିଲେ। ମିଛ ଇ-ୱେବିଲ୍ ଏବଂ ଇନ୍‌ ଭଏସ୍‌ କରି ଟ୍ୟାକ୍ସ ଠକୁଥିଲେ। ୨ ମାସର ଅନୁସନ୍ଧାନ ପରେ ଟ୍ୟାକ୍ସ ହେରଫେର ଧରାପଡ଼ିଛି।”

ରାଉରକେଲାର ଅତୁଲ ବନ୍ସଲ୍ ହେଉଛି ଏ ସଂପୂର୍ଣ୍ଣ ଠକେଇ ଘଟଣାର ମାଷ୍ଟରମାଇଣ୍ଡ୍। ସେ କିଛି ଗୃହିଣୀ, ଟ୍ୟାକ୍ସି ଚାଳକ, ଦିନ ମଜୁରିଆ, ପାଣି ମିସ୍ତ୍ରୀ, ପାନ ଦୋକାନି ଓ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବା ତଥା ଅଧିକ ଟଙ୍କା ଦେବା ଆଳରେ ସେମାନଙ୍କର ବିଭିନ୍ନ ପରିଚୟପତ୍ର ସଂଗ୍ରହ କରିଥିଲେ। ପାନ୍ କାର୍ଡ, ଆଧାର କାର୍ଡ ଓ ଭୋଟର କାର୍ଡ ଭଳି ପରିଚୟପତ୍ର ସଂଗ୍ରହ କରି ସେମାନଙ୍କ ନାମରେ ପ୍ରାୟ ୨୦ଟି ଜାଲ୍ ବ୍ୟବସାୟୀକ ପ୍ରତିଷ୍ଠାନ ସୃଷ୍ଟି କରି ତାହାକୁ ଜିଏସ୍‌ଟି ପଞ୍ଜିକରଣ କରିଥିଲେ। ଏହା ପରେ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଜରିଆରେ କୌଣସି ଜିନିଷ କିଣାବିକା ନକରି ଜାଲ୍ ବିଲ୍ ଜରିଆରେ କୋଟି କୋଟି ଟଙ୍କାର ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରିଥିଲେ।

ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀ ମଧ୍ୟ ଅଛନ୍ତି। ପ୍ରାୟ ୬୦୩ କୋଟି ଟଙ୍କାର ଜିନିଷ କିଣିଥିବା ଓ ୭୪୩ କୋଟି ଟଙ୍କାର ଜିନିଷ ବିକ୍ରି କରିଥିବା ଦର୍ଶାଇ ସରକାରଙ୍କୁ ୧୩୮ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି। ପ୍ରାଥମିକ ତନନ୍ତରୁ ଜଣାପପଡ଼ିଛି ଯେ, ଏହି କଳା କାରବାରକୁ ଆଇନ ସମ୍ମତ କରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ନେଣଦେଣ ଦର୍ଶାଯାଇଛି।

ରାଜ୍ୟ ଭିତରେ ଯେଉଁ ବ୍ୟବସାୟୀମାନେ ଏହି ଜାଲ୍ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରି ଟିକସ ଫାଙ୍କିଛନ୍ତି ସେମାନଙ୍କଠାରୁ ଟିକସ ଫାଙ୍କିର ପରିମାଣ ଏବଂ ସୁଧ ସହ ଜରିମାନା ଆଦାୟ କରାଯିବାକୁ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାହାର ରାଜ୍ୟର ଯେଉଁ ବ୍ୟବସାୟୀମାନେ ଏହି ଜାଲ୍ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ରାଜ୍ୟର ଜିଏସ୍‌ଟି କମିସନରଙ୍କୁ ଅନୁରୋଧ କରାଯିବ।

Comment