ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହର ବୁଲିଲା ଗଙ୍ଗାମନ୍ଦିର ଚାନ୍ଦିମେଢ଼।

କଟକ: ଦଶହରା ଭସାଣି ଗୁରୁବାର ରାତିରେ ଶେଷ ହୋଇଛି। ମୋଟ୍ ୧୨୮ଟି ପ୍ରତିମା ଦେବୀଗଡ଼ାରେ ବିସର୍ଜିତ ହୋଇଛନ୍ତି। ଆଜି ଶେଷ ତଥା ତୃତୀୟ ଦିନରେ ୯ଟି ମେଢ଼ ଦେବୀଗଡ଼ା ଆସିଥିଲେ। ଶେଷ ମେଢ଼ ଭାବେ ଗଙ୍ଗାମନ୍ଦିର ପୂଜା କମିଟି ମୂର୍ତ୍ତି ବିସର୍ଜନ କରାଯାଇଥିଲା। ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଚଳିତ ବର୍ଷ ଦଶହରା ପାଇଁ ଗତ ୮ ତାରିଖରୁ ଭସାଣ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଦିନ ବଙ୍ଗୀୟ ସମ୍ପ୍ରଦାୟର ମେଢଗୁଡ଼ିକ ଦେବୀଗଡ଼ାରେ ବିସର୍ଜିତ ହୋଇଥିଲା। ବିଜୟାଦଶମୀର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୧ଟି ମେଢ଼ ଦେବୀଗୀଗଡ଼ାରେ ବିସର୍ଜିତ ହୋଇଥିଲେ।

୯ ତାରିଖ ସକାଳୁ ମୁଖ୍ୟ ଭସାଣଯାତ୍ରା ଆରମ୍ଭ ହୋଇଥିଲା। ଏହା ୧୦ ତାରିଖ ଭୋର ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଦିନ ମୋଟ୍ ୧୦୮ଟି ମେଢ଼ ଦେବୀଗୀଗଡ଼ାକୁ ଆସି ବିସର୍ଜିତ ହୋଇଥିଲେ।

ଗତକାଲି ଶେଷ ମେଢ଼ ଭାବେ ମାଛୁଆବଜାର ମେଢ଼ ଦେବୀଗଡ଼ାରେ ପହଞ୍ଚିଥିଲା। ୧୦ ତାରିଖ ଅପରାହ୍‌ଣରୁ ଦେବୀଗଡ଼ା ଅଭିମୁଖେ ୯ଟି ମେଢ଼ ବାହରିଥିଲେ। ପ୍ରଥମେ ମଙ୍ଗଳାବାଗ ଦୁର୍ଗା ପୂଜା କମିଟିର ମେଢ଼ ଦେବୀ ଗଡ଼ାରେ ପହଞ୍ଚିଥିଲା। ଦେବୀଙ୍କର ସୁନାର ଅଳଙ୍କାର ଥିବାରୁ ଏହା ଦିନ ବେଳେ ବିସର୍ଜିତ ହୋଇଥିଲା। ଏହା ପଛକୁ ଆସିଥିଲା ଟାଉନହଲ୍ ରୋଡର ମହାଦେବଙ୍କ ମେଢ଼। ଏହା ପରେ ମାଣିଘୋଷବଜାର, ଫିରିଙ୍ଗବଜାର, ଉପର ତେଲେଙ୍ଗାବଜାର, ତଳ ତେଲେଙ୍ଗାବଜାର ଓ ଶିଳ୍ପୀ କୁମ୍ଭାର ସାହି ମେଢ଼ ଦେବୀଗଡ଼ା ଆସିଥିଲା।

ଏଥି ସହିତ ଲାଲବାଗ ଥାନା ଅଧିନସ୍ଥ ଚାନ୍ଦିନୀଚୌକ ଦୁର୍ଗାଙ୍କ ମେଢ଼ ଦେବୀଗଡ଼ାରେ ବିସର୍ଜିତ ହୋଇଛି। ଶେଷ ଦିନର ମୁଖ୍ୟ ଆକର୍ଷଣ ଥିଲା ଗଙ୍ଗାମନ୍ଦିର ପୂଜା କମିଟିର ଚାନ୍ଦିମେଢ଼। ଚଳିତ ବର୍ଷ ଏହା ନୂଆକରି ହୋଇଥିବାରୁ ମେଢ଼ଟି ସହର ପରିକ୍ରମା କରିଥିଲା। ପୂର୍ବାଞ୍ଚଳରୁ ମେଢ଼ ବାହାରି ମୁଖ୍ୟ ରାସ୍ତା ହୋଇ ଦେବୀଗଡ଼ାରେ ପହଞ୍ଚିଥିଲା। ମଧ୍ୟ ରାତି ସୁଦ୍ଧା ଏହି ମେଢ଼ ବିସର୍ଜିତ ହୋଇଥିଲା। ତେବେ ଏହି ଭସାଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ପ୍ରାୟ ସବୁ ମେଢ଼କୁ ସ୍ୱତନ୍ତ୍ର ଫୋର୍ସ ଦିଆଯାଇଥିଲା। ଖାସ୍‌ କରି ସୁନା ଚାନ୍ଦି ମେଢ଼କୁ ଅଧିକ ବନ୍ଧୁକଧାରୀ ପୋଲିସ ଜଗିଥିଲେ।

Comment