ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସମବାୟ ନିର୍ବାଚନ କମିଶନ ପକ୍ଷରୁ ସମବାୟ ସମିତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସମବାୟ ସମିତି ପରିଚାଳନା ପାଇଁ ଏହି ନିର୍ବାଚନ ହେବ। ଜାନୁଆରୀରେ ବର୍ତ୍ତମାନର ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବ।

ଏଣୁ ଜାନୁଆରୀ ୩୧ ତାରିଖ ସୁଦ୍ଧା ସବୁ ସମବାୟ ସମିତିର ନୂଆ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କରିବା  ଆବଶ୍ୟକ। ନିର୍ବାଚନ ପାଇଁ ବହୁ ସଂଖ୍ୟକ ପୋଲିଂ ଅଫିସର ଓ ଅନ୍ୟାନ୍ୟ କର୍ମଚାରୀ ଦରକାର ହେଉଥିବା ବେଳେ ଗୋଟିଏ ଦିନରେ ନିର୍ବାଚନ କରିବା ସମ୍ଭବ ନୁହେଁ। ସେଥିପାଇଁ ଭିନ୍ନ ଭିନ୍ନ ତାରିଖରେ ନିର୍ବାଚନ କରାଯିବ। ଏ ନେଇ ସମବାୟ ବିଭାଗ ଓ ପ୍ରବନ୍ଧକଙ୍କୁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କମିଶନ ପକ୍ଷରୁ କୁହାଯାଇଛି।

ଶିଳ୍ପ ନିର୍ଦ୍ଦେଶାଳୟ, ଖଦି ବୋର୍ଡ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଗୋସମ୍ପଦ ଓ ମତ୍ସ୍ୟ, ହସ୍ତତନ୍ତ, ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଦେଶକ, ଓମ୍‌ଫେଡ ସିଏମଡି, ମହିଳା ବିକାଶ ସମବାୟ ନିଗମ ପ୍ରଭୃତିଙ୍କୁ ଏ ବିଷୟରେ କମିଶନ ଚିଠି ଲେଖିଛନ୍ତି। ତାଙ୍କ ପାଖରେ କେତେ ଷ୍ଟାଫ ଅଛନ୍ତି, ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କ’ଣ କରାଯିବ ଏବଂ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ଏସବୁ କଥା ଜଣାଇବା ପାଇଁ ଉକ୍ତ ଚିଠିରେ କୁହାଯାଇଛି।

ତା’ଛଡ଼ା ସମବାୟ ସମିତିଗୁଡ଼ିକରେ ଭୋଟ ଗ୍ରହଣ ପାଇଁ ସ୍ଥାନ ନିରୂପଣ କରିବା ପାଇଁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସମବାୟ ସମିତିର ନିଜ ଗୃହ ନଥିବ, ଆଖପାଖ ସ୍କୁଲ, ପଞ୍ଚ।ୟତ ଅଫିସ ଭଳି ବିକଳ୍ପ ସ୍ଥାନ ଖୋଜାଯିବା ପାଇଁ କମିଶନ ପ୍ରସ୍ତାବ ଦେଇଛନ୍ତି। ଯେହେତୁ ବାଲଟ ପେପରରେ ଭୋଟ ଗ୍ରହଣ କରାଯିବ, ସମବାୟ ସମିତି ପ୍ରବନ୍ଧକ ଓ ଅନ୍ୟ ବିଭାଗୀୟ ମୁଖ୍ୟମାନଙ୍କୁ ଭୋଟ ବାକ୍ସ ସବୁ ଯୋଗାଡ଼ କରିବା ପାଇଁ ମଧ୍ୟ କୁହାଯାଇଛି। ଯଦି ଭୋଟ ବାକ୍ସ ଖରାପ ହୋଇଛି ତାକୁ ମରାମତି କରିବା ପାଇଁ ମଧ୍ୟ ଉକ୍ତ ଚିଠିରେ କୁହାଯାଇଛି।

ପ୍ରଚଳିତ ବ୍ୟବସ୍ଥା ଅନୁସାରେ, ନିର୍ବାଚନ ପୂର୍ବରୁ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭୋଟର ତାଲିକା ପ୍ରସ୍ତୁତ କରିବେ। ଠିକ୍ ସମୟରେ ଓ ବିନା ଝିଞ୍ଜଟରେ ନିର୍ବାଚନ ପାଇଁ ସମବାୟ ସମିତିର ସହକାରୀ ପ୍ରବନ୍ଧକମାନଙ୍କୁ କୁହାଯାଇଛି।

ଓଡ଼ିଶାରେ ୯୨୯୮ଟି ପଞ୍ଜିକୃତ ସମବାୟ ସମିତି ରହିଛି। ଏଥିରୁ ପ୍ରାଥମିକ ସମିତି ସଂଖ୍ୟା ୯୧୨୭। ରାଜ୍ୟରେ ୧୪୮କେନ୍ଦ୍ର ସମବାୟ ସମିତି ଥିବା ବେଳେ ୨୩ଟି ଶୀର୍ଷ ସମବାୟ ସମିତି ରହିଛି। ଏ ସବୁ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତ୍ୟେକ ସମବାୟ ସମିତିକୁ ୧୫ ଜଣ ସଦସ୍ୟ ନିର୍ବାଚିତ ହେବେ। ଏମାନଙ୍କ ମଧ୍ୟରୁ ସଭାପତି ଓ ଉପସଭାପତି ବଛା ହେବେ। ଗତ ଥର ଜାନୁଆରୀ ୨୦୧୫ରେ ସମବାୟ ସମିତି ନିର୍ବାଚନ ହୋଇଥିଲା।

Comment