ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମଙ୍ଗଳବାରଠାରୁ ନୟାଗଡ଼କୁ ନୂଆ ଏକ୍ସପ୍ରେସ ଟ୍ରେନ ଚାଲିବ। ଭୁବନେଶ୍ୱର ଓ ନୟାଗଡ଼ ମଧ୍ୟରେ ଏହି  ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୫ ତାରିଖରୁ ସେବା ସର୍ଭିସ ନାମରେ ଏହି ଟ୍ରେନଟି ଗଡ଼ିବ। ସେବା ସର୍ଭିସର ଅର୍ଥ ହେଉଛି ଛୋଟ ଛୋଟ ସହର ଓ ଗୁରୁତ୍ୱପୂର୍ଣ୍ଣ ସହର ଭିତରେ ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା।

ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନର ଶୁଭାରମ୍ଭ କରିବେ। ଯଦିଓ ଭୁବନେଶ୍ୱର ଓ ନୟାଗଡ଼ ଭିତରେ ଏବେ ଦୁଇଟି ପାସେଞ୍ଜର ଟ୍ରେନ ଚାଲୁଛି, ଏହି ରୁଟରେ ପ୍ରଥମ ଏକ୍ସପ୍ରେସ ଟ୍ରେନ ଚାଲିବ। ଭୁବନେଶ୍ୱରରୁ ଟ୍ରେନଟି ସନ୍ଧ୍ୟା ୬ଟା୪୦ରେ ଛାଡିବ ଓ ୮ଟା୪୫ରେ ନୟାଗଡ଼ ପହଞ୍ଚିବ। ସେହିଭଳି ନୟାଗଡ଼ରୁ ଟ୍ରେନ ସକାଳ ୬ଟା୩୦ରେ ଛାଡିବ ଓ ଭୁବନେଶ୍ୱରରେ ୯ଟାରେ ପହଞ୍ଚିବ।

ଟ୍ରେନଟି ଛଅଟି ସ୍ଥାନରେ ଅଟକିବ। ସେଗୁଡିକ ହେଲା ଭୁବନେଶ୍ୱର ଷ୍ଟେସନ, ଖୋର୍ଦ୍ଧା ରୋଡ଼ ଜକ୍‌ସନ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ଼ ରୋଡ୍‌ ଓ ନୟାଗଡ଼। ରେଳ ବିଭାଗ ପକ୍ଷରୁ ୧୫ ତାରିଖରେ ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ ବ୍ୟତୀତ ଆଉ ୯ ଟି ସହରକୁ ‘ସେବା ସର୍ଭିସ’ରେ ଯୋଡ଼ାଯିବାର କାର୍ଯ୍ୟକ୍ରମ ରହିଛି।

Comment