ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନରେ ପ୍ରବାସୀ ଓଡ଼ିଆ ପାଳିଲେ ନୂଆଁଖାଇ ଭେଟଘାଟ୍ ଉତ୍ସବ।

ଲଣ୍ଡନରେ ନୂଆଁଖାଇ ଭେଟଘାଟ୍ ଉତ୍ସବ ପାଳନ କଲେ ପ୍ରବାସୀ ଓଡ଼ିଆ। ଅକ୍ଟୋବର ୨୦ରେ ଲଣ୍ଡନର ପାଇନର ସହରରେ ଥିବା ୱେଷ୍ଟ ଲଜ୍ ପ୍ରାଇମେରୀ ସ୍କୁଲରେ ବହୁ ଆଡ଼ମ୍ବର ସହ ଚତୁର୍ଥ ନୂଆଁଖାଇ ଭେଟଘାଟ୍ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଲଣ୍ଡନରେ ଥିବା ନୁଆଁଖାଇ ଜୁହାର ପରିବାର ପକ୍ଷରୁ ଆୟୋଜିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଲଣ୍ଡନରେ ରହୁଥିବା ପ୍ରାୟ ୧୫୦ ଓଡ଼ିଆ ପରିବାର ଯୋଗ ଦେଇଥିଲେ। ସମସ୍ତ ଓଡ଼ିଆମାନେ ମୁଖ୍ୟତଃ ସମ୍ବଲପୁରୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ମା’ ସମଲେଇଙ୍କ ପୂଜା କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା।

ନୂଆଁଖାଇ ଭେଟଘାଟ୍ ଅବସରରେ ସମସ୍ତେ ଲଣ୍ଡନରେ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ। ଏଥିରେ ମାଂସ କସା, ରୋହି ମାଛ, ଖଜୁରୀ ଖଟା ସହ ବଡ଼ି ଚୁରା ଭଳି ଓଡ଼ିଆ ଖାଦ୍ୟ ସାମିଲ ଥିଲା। ଏହା ସହିତ ପଶ୍ଚିମ ଓଡ଼ିଶାର ଏକ ସ୍ୱତନ୍ତ୍ର ଖାଦ୍ୟ ‘ଆମ୍ବିଳ’ ସମସ୍ତଙ୍କୁ ପରସା ଯାଇଥିଲା। ଏହି ସମସ୍ତ ଖାଦ୍ୟ ଲଣ୍ଡନର ଏକ ପ୍ରସିଦ୍ଧ ଭାରତୀୟ ରେଷ୍ଟୁରାଣ୍ଟ ‘ପୋଟ୍‌ଲି’ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହି ରେଷ୍ଟୁରାଣ୍ଟର ମାଲିକ ଉତ୍ତମ ତ୍ରିପାଠୀ ମଧ୍ୟ ନିଜେ ଜଣେ ସମ୍ବଲପୁରବାସୀ।

ଏହି କାର୍ଯ୍ୟକ୍ରମରେ ଜୁହାର ପରିବାର ପକ୍ଷରୁ ଗତବର୍ଷ ମୋଦିପଡ଼ା ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ କରାଯାଇଥିବା ପାଣ୍ଠି ସଂଗ୍ରହ ଉପରେ ଏକ ଛୋଟ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଗତବର୍ଷ ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ’ ଯୋଜନା ଆଧାରରେ ଜୁହାର ପରିବାର ପକ୍ଷରୁ ମୋଡ଼ିପଡ଼ା ପ୍ରାଥମିକ ବିଦ୍ୟାଳୟରେ ଅନେକ ଉନ୍ନତିମୂଳକ କାମ କରାଯାଇଥିଲା।

ଏହାପରେ ମା ସମଲେଇଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ସମ୍ବଲପୁରୀ ଲୋକନୃତ୍ୟରେ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁସି ମନାଇଥିଲେ। ଏହି ଅବସରରେ କୃପାସିନ୍ଧୁ ପଣ୍ଡା ନିଜ ଲିଖିତ ‘ଅମର ଶ୍ରୀମଦ ଭାଗବତ’ ଓ ‘ମା’ ପୁସ୍ତକର କେତେକ କବିତା ପାଠ କରିଥିଲେ। ଏହାସହ ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ମୋର ଲିଟି ଉଡ଼େ ଫର୍ ଫର୍’ରେ ଦେବାଶିଷ ମିଶ୍ର ଓ ତାଙ୍କର ପରିବାର ପକ୍ଷରୁ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

NuakhaiJuharParivar UK

ସମ୍ବଲପୁରୀ ଡିଜେ ଗୀତରେ ତାଳେ ତାଳେ ବିଭୋର ହୋଇ ସମସ୍ତେ ନାଚିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରାତି ପ୍ରାୟ ୯ଟା ଯାଏଁ ଚାଲିଥିଲା। କାର୍ଯ୍ୟକ୍ରମ ଶେଷରେ ସାମାଜିକ କାର୍ଯ୍ୟ ଉଦ୍ଦେଶ୍ୟରେ ସଦସ୍ୟମାନଙ୍କଠାରୁ କିଛି ପାଣ୍ଠି ସଂଗ୍ରହ କରାଯାଇଥିଲା।

ଚଳିତ ନୂଆଁଖାଇ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଓଡ଼ିଆ ମଧୁ କୁଣ୍ଡୁ ଓ ଲଣ୍ଡନରେ ଭାରତର ଉଚ୍ଚ ଆୟୋଗ ସଚିବ ସୌମେନ୍ଦ୍ର ମହାପାତ୍ର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Comment