ଓଡିଶାଲାଇଭ୍ ବ୍ୟୁରୋ

ଯାଜପୁର ସହରରେ ଏବେ ଜମୁଛି ଶ୍ୟାମାକାଳୀ ପୂଜା। ୫୬ଟି ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛି। ପ୍ରତିଦିନ ସଂଧ୍ୟାରେ ଅନୁଷ୍ଠିତ ହେଉଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ।

କାଳୀପୂଜା ପାଇଁ ଯାଜପୁର ସହର ଉତ୍ସବ ମୁଖରିତ ହୋଇ ଉଠିଛି। ସହରର ୫୬ଟି ପୂଜା ମଣ୍ଡପରେ ଜାକଜମକରେ ଚାଲିଛି ଶ୍ୟାମାକାଳୀ ପୂଜା। ସହରର ନାରାୟଣ ଛକ, ଗରିଆପୁର, ବଡ଼ ବଜାର, ସାନବଜାର, ସିଦ୍ଧାର୍ଥ ମଠ, ମାର୍କେଟ ଛକ, ଟାଉନହଲ ଛକ, କେଚେରୀ ଛକ ଓ ବିରାଜ ହାଟ ଭଳି ପୂଜା ମଣ୍ଡପରେ ମାଆ କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି। ଏହି ସବୁ ସ୍ଥାନରେ ବଡ଼ ବଡ଼ ତୋରଣ ଏବଂ ଲାଇଟ୍‌ ଗେଟ୍‌ ସଜାଯାଇଛି।

ଏଥିସହିତ ପୁରାତନ ବାହାବଳପୁର ଗରୁଡ଼ କାଳୀଙ୍କ ପୂଜା ମଧ୍ୟ ପାରମ୍ପାରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି। ଏହା ଛଡ଼ା ସହରର ହାବିଳବଜାର, ବିରଜା ସିନେମା ହଲ ଛକ, ଶିତଳେଶ୍ୱର ଛକ, ଯୋଡିକୂଅରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ଚାଲିଛି।

ପରମ୍ପରା ଅନୁଯାୟୀ, ଦୀପାବଳି ରାତିରେ ପ୍ରତିଟି ପୂଜା ମଣ୍ଡପରୁ ମା’ଙ୍କର କଳସ ଶୋଭାଯାତ୍ରା ବାହାରି ବୈତରଣୀ ନଦୀ ଅଭିମୁଖେ ଯାଇଥିଲା। ଏହା ପରେ ପୂଜକମାନେ ନଦୀ କୂଳରେ ପୂଜାର୍ଚ୍ଚନା କରିବା ପରେ ପବିତ୍ର ନଦୀ ଜଳ ସଂଗ୍ରହ କରି ମଣ୍ଡପକୁ ଫେରିଥିଲେ। ରାତି ତମାମ ମାଆଙ୍କର ପୂଜା ଅନୁଷ୍ଠିତ ହୋଇଥିଲା। ପାଗ ଅନୁକୂଳ ଥିବାରୁ ଏବଂ ପୁରା ସହରରେ ସୁନ୍ଦର ସାଜସଜା ହୋଇଥିବାରୁ ଯାଜପୁର ସହରରେ ସୋମବାର ସଂଧ୍ୟାରୁ ହଜାର ହଜାର ଭକ୍ତଙ୍କର ସମାଗମ ହେବ ବୋଲି ଗରିଆପୁର କାଳୀପୂଜା କମିଟିର କର୍ମକର୍ତ୍ତା ବଟକୃଷ୍ଣ ମହାପାତ୍ର କହିଛନ୍ତି।

ସହରରେ ଭକ୍ତଙ୍କ ସମାଗମକୁ ଦେଖି ପ୍ରତିଟି ପୂଜା କମିଟି ପକ୍ଷରୁ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କଟକ, ଭୁବନେଶ୍ୱର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳର ମେଲୋଡି ଓ ଭଜନ ଗ୍ରୁପ୍‌ ନିଜର କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ସହରର ନାରାୟଣ ଛକ ପୂଜା କମିଟିର ସାଜସଜା ଏବଂ ମୃଣ୍ମୟୀ ମୂର୍ତ୍ତି ଏଥର ବେଶ ଆକର୍ଷଣୀୟ ହୋଇଛି। ବିଭିନ୍ନ ବଜାରରେ ଥିବା ମୁକ୍ତ ପଡିଆରେ ମୀନା ବଜାର ଲାଗିଥିବାରୁ ସେଠାରେ ମଧ୍ୟ ବେଶ ଭିଡ଼ ଦେଖିବାକୁ ମିଳୁଛି। ପାଗ ଅନୁକୂଳ ଥିବାରୁ ପ୍ରତିଦିନ ସଂଧ୍ୟାରେ ସହରରେ ପୂଜା ମଣ୍ଡପଗୁଡ଼ିକରେ ବେଶ ଭିଡ଼ ଲାଗୁଛି ଭକ୍ତଙ୍କର। ଦଶ ଦିନ ଧରି ମାଆ ପୂଜା ମଣ୍ଡପରେ ଶୋଭା ପାଇବେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସହରରେ ପ୍ରତି ସଂଧ୍ୟାରେ ହଜାର ହଜାର ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପୋଲିସ୍‌ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବଡ଼ ବଡ଼ ଯାନ ସଂଧ୍ୟା ପରେ ସହର ଭିତରକୁ ଯାଆସ କରିବା ନେଇ ରୋକ୍ ଲଗା ଯାଇଛି। ଆସନ୍ତା ୭ ଓ ୮ ତାରିଖରେ ଯାଜପୁର କାଳୀ ପୂଜା ଭସାଣ ଉତ୍ସବ ଅନୁଷ୍ଠିତ ହେବ।

Comment