ଓଡ଼ିଶାଲାଇଭ୍ ବ୍ୟୁରୋ

  • ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ହେଉଛି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି
  • ଏହାର ଉଚ୍ଚତା ୧୮୨ ମିଟର
  • ୬.୫ ତୀବ୍ରତା ଭୂକମ୍ପକୁ ସହ୍ୟ କରିବାକୁ ସକ୍ଷମ
  • ପ୍ରାୟ ୧୨ କିଲୋମିଟର ଦୂରରୁ ଦେଖି ପାରିବେ ଏହି ପ୍ରତିମୂର୍ତ୍ତି

ଭାରତର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଥିଲା ଅତୁଳନୀୟ ଅବଦାନ। ସେ ଲୌହ ମାନବ ଭାବେ ମଧ୍ୟ ପରିଚିତ। ଆଜି ସେହି ମହାନ ବ୍ୟକ୍ତିଙ୍କ ଜନ୍ମଦିନ।

ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ନର୍ମଦା ନଦୀରେ ପଟେଲଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ୍‌ କେମିତି  ନିର୍ମାଣ ହୋଇଥିଲା।

ଏହି ପ୍ରତିମୂର୍ତ୍ତିକୁ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଭାବେ ଗଣା ହୋଇଛି। ଏହାର ଉଚ୍ଚତା ପାଖାପାଖି ୧୮୨ ମିଟର ବା ୫୯୭ ଫୁଟ୍। ଯାହା ଆମେରିକାର ନ୍ୟୁୟର୍କସ୍ଥିତ ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ ଠାରୁ ଦୁଇଗୁଣା। ଗୁଜରାଟର ରାଜ ପିପିଲ ନିକଟ ସାଧୁ ବେତ୍ ଦ୍ୱୀପରେ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ଏହି ଲୌହ ପ୍ରତିମୂର୍ତ୍ତି।

‘ଷ୍ଟାଚ୍ୟୁ ଅଫ ୟୁନିଟି’ର ବୈଶିଷ୍ଟ୍ୟ କ’ଣ?

‘ଷ୍ଟାଚ୍ୟୁ ଅଫ ୟୁନିଟି’ ହେଉଛି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତିକୁ ନିର୍ମାଣ କରିବା ପାଇଁ ଲାଗିଥିଲା ପାଖାପାଖି ୪୪ ମାସ। ଏଥିସହ ମୂର୍ତ୍ତିକୁ ନିର୍ମାଣ କରିବା ଲାଗି ୮ଶହ ସ୍ଥାନୀୟ ଓ ୨ ଶହ ଚୀନରୁ ଆସିଥିବା କାରିଗରକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।

ଏହି ମୂର୍ତ୍ତିକୁ ନିର୍ମାଣ କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥି ମଧ୍ୟରୁ ୨ ହଜାର ୩୩୨ କୋଟି ଟଙ୍କା ମୂର୍ତ୍ତି ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା। ବଳକା ୬ ଶହ କୋଟି ଟଙ୍କାକୁ ୧୫ ବର୍ଷ ଯାଏଁ ଦେଖାଶୁଣା କରିବା ପାଇଁ ରଖାଯାଇଛି।

ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ପାଖାପାଖି ୪ ହଜାରରୁ ଅଧିକ ଶ୍ରମିକ ଦୁଇଟି ସିଫ୍ଟରେ କାମ କରିଥିଲେ। ଷ୍ଟାଚ୍ୟୁ ଅଫ ୟୁନିଟି ତିଆରି କରିବା ପାଇଁ ୪୪ ମାସ ସମୟ ଲାଗିଥିଲା। ଯାହା ଏକ ରେକର୍ଡ ସୃଷ୍ଟି କରିଛି।

ସେହିପରି ଆମେରିକାର ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ ନିର୍ମାଣ ପାଇଁ ୫ବର୍ଷ ଲାଗିଥିଲା। ‘ଷ୍ଟାଚ୍ୟୁ ଅଫ ୟୁନିଟି’ ମୂର୍ତ୍ତି ନିର୍ମାଣ ପାଇଁ ମୁଖ୍ୟତଃ ୪ଟି ଧାତୁକୁ ବ୍ୟବହାର କରାଯାଇଛି। ଏହି ମୂର୍ତ୍ତିରେ ଏଭଳି ଧାତୁର ଉପଯୋଗ କରାଯାଇଛି, ଯାହାକି କେବେ କଳଙ୍କି ଲାଗିବ ନାହିଁ।

ଏହାଛଡ଼ା ଏହି ମୂର୍ତ୍ତିରେ ୮୫ ପ୍ରତିଶତ ତମ୍ବାର ମଧ୍ୟ ବ୍ୟବହାର ହୋଇଛି। ଏହାସହ ୨ ହଜାର ମେଟ୍ରିକ ଟନ୍ ବ୍ରୋଞ୍ଜ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ବ୍ୟବହାର ହୋଇଛି।

ଏହାଛଡା ଏହି ମୂର୍ତ୍ତି ନିର୍ମାଣରେ ୨୨ ହଜାର ୫ ଶହ ମିଲିୟନ ଟନ୍ ସିମେଣ୍ଟ ବି ବ୍ୟବହାର କରାଯାଇଛି। ‘ଷ୍ଟାଚ୍ୟୁ ଅଫ ୟୁନିଟି’ରୁ ଆପଣ ସର୍ଦ୍ଦାର ସରୋବର ବନ୍ଦରର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହାର ଶିଳାନ୍ୟାସ ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ।

ସେତେବେଳେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଏହି ପ୍ରତିମୂର୍ତ୍ତି ୬.୫ ତୀବ୍ରତାର ଭୂକମ୍ପକୁ ମଧ୍ୟ ସହ୍ୟ କରିପାରିବ। ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ପ୍ରଭାବିତ ହେଲେ ବି ଏହି ମୂର୍ତ୍ତିର କିଛି କ୍ଷତି ହେବନାହିଁ। ୬ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ସଂଗୃହୀତ ଲୁହାରୁ ଏହି ମୂର୍ତ୍ତି ନିର୍ମାଣ ହୋଇଛି। ଏହି ପ୍ରତିମୂର୍ତ୍ତିର ୧୫୩ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିପାରିବେ ପର୍ଯ୍ୟଟକ। ପ୍ରାୟ ୧୨କିଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି।

ସବୁ ପ୍ରତିମୂର୍ତ୍ତିକୁ ପଛରେ ପକାଇଛି ‘ଷ୍ଟାଚ୍ୟୁ ଅଫ ୟୁନିଟି’

  • ଷ୍ଟାଚ୍ୟୁ ଅଫ୍ ୟୁନିଟି – ୧୮୨ ମିଟର
  • ଚୀନର ସ୍ପ୍ରିଙ୍ଗ ଟେମ୍ପୁଲ ବୁଦ୍ଧ – ୧୫୩ ମିଟର
  • ମିଆଁମାରର ଲେକ୍ୟୁନ ସେତ୍‌କ୍ୟାର – ୧୧୬ ମିଟର
  • ଜାପାନର ଉସୁକି ଦାୟବୁସ୍ତୁ – ୧୧୦ ମିଟର
  • ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି – ୯୭ ମିଟର
  • ଥାଇଲାଣ୍ଡର ଦି ଗ୍ରେଟ୍ ବୁଦ୍ଧ – ୯୧ ମିଟର
  • ରୁଷିଆର ଦି ମଦରଲାଣ୍ଡ କଲ୍ସ – ୮୭ ମିଟର

ଏହାର ଡିଜାଇନର୍ କିଏ?

ଏହାର ଡିଜାଇନ୍‌ ପଦ୍ମଶ୍ରୀ ଏବଂ ପଦ୍ମ ବିଭୂଷଣ ପ୍ରାପ୍ତ ରାମ ବନ୍‌ଜୀ ସୁତାର କରିଛନ୍ତି। ସେ ସଂସଦଠାରେ ଥିବା ମହାତ୍ମା ଗାନ୍ଧି ମୂର୍ତ୍ତିର ମଧ୍ୟ ସ୍ରଷ୍ଟା। ୩୦ ଫୁଟ୍‌ର ଶୀର୍ଷ ପ୍ରତିମୂର୍ତ୍ତି ପୂର୍ବରୁ ତାଙ୍କର ନୋଏଡ଼ାସ୍ଥିତ ୱାର୍କଶପ୍‌ରେ ପ୍ରଥମେ ୩ଫୁଟ୍‌ ଏବଂ ପରେ ୧୮ ଫୁଟ୍‌ର ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରିଥିଲେ। ଏଥିରେ ତାଙ୍କ ପୁଅ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ। ତାଙ୍କ ହାତ ତିଆରି ଗାନ୍ଧିମୂର୍ତ୍ତି ମଧ୍ୟ ରୁଷ୍, ଲଣ୍ଡନ୍‌, ଫ୍ରାନ୍ସ ଏବଂ ଇଟାଲୀରେ ସ୍ଥାନ ପାଇଛି।

ସଂକ୍ଷେପରେ ଷ୍ଟାଚ୍ୟୁ ଅଫ୍ ୟୁନିଟି

  • ୫ ହଜାର ୭ ଶହ ମେଟ୍ରିକ୍ ଟନ୍ ବା ୫୭ ଲକ୍ଷ କିଲୋ ଷ୍ଟ୍ରକଚରାଲ ଷ୍ଟିଲ
  • ବ୍ୟବହାର ହୋଇଛି ୧୮ହଜାର ୫ଶହ ମେଟ୍ରିକଟନ୍ ଲୁହା ଛଡ଼
  • ପ୍ରତିମୂର୍ତ୍ତିର ତଳ ଭାଗରେ ଲାଗିଛି ୧୮ ହଜାର ୫ ଶହ ମେଟ୍ରିକ୍ ଟନ୍ ଲୁହା
  • ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହାର ହୋଇଛି ୬ ହଜାର ୫ଶହ ମେଟ୍ରିକ୍ ଟନ୍ ଲୁହା
  • ୧ ହଜାର ୭ଶହ ଟନ୍ ତମ୍ବା, ୧ ଲକ୍ଷ ୮୦ ହଜାର ଟନ୍ କଂକ୍ରିଟ୍
  • ସମୁଦାୟ ୨ କୋଟି ୫୦ ଲକ୍ଷ କିଲୋଗ୍ରାମ ସିମେଣ୍ଟ ନିର୍ମାଣ ପାଇଁ ବ୍ୟବହୃତ
  • ୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ପ୍ରତିମୂର୍ତ୍ତି
  • ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି ହେବନାହିଁ
  • ପ୍ରାୟ ୬ ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ଲୁହା ସଂଗୃହୀତ ହୋଇଛି
  • ସମୁଦାୟ ୧୩୫ ମେଟ୍ରିକଟନ୍ ଲୁହା କେବଳ ଦାନ ଆକାରରେ ମିଳିଛି
  • ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ
  • ଉପରିଭାଗରେ ନିର୍ମାଣ ହୋଇଥିବା ଗ୍ୟାଲେରିକୁ ଯାଇପାରିବେ ୨ଶହ ଲୋକ
  • ଦୀର୍ଘ ୧୨ କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି

ଏଠାକାର ପ୍ରମୁଖ ଆକର୍ଷଣ

  • ସର୍ଦ୍ଦାର ପଟେଲଙ୍କ ଜୀବନୀ ସମ୍ପର୍କିତ ସଂଗ୍ରହାଳୟ
  • ଭାରତ ଭବନ ପ୍ରଦର୍ଶନୀ ଗୃହ
  • ୩ଡି ପ୍ରୋଜେକ୍ସନ ମ୍ୟାପିଙ୍ଗ
  • ୧୫୩ ମିଟର ଉଚ୍ଚରୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ
  • ୨୫୦ ତମ୍ଭୁ ସ୍ଥାପିତ ହୋଇଥିବା ସହର
  • ଜନଜାତି ସଂଗ୍ରହାଳୟ, ହସ୍ତଶିଳ୍ପ ବଜାର
  • ପୁଷ୍ପ ଉପତ୍ୟକା
  • ରାଜ୍ୟମାନଙ୍କ ପାଇଁ ରହିବ ନିଜସ୍ୱ ଅତିଥି ଭବନ

Comment