ଓଡ଼ିଶାଲାଇଭ୍ ବ୍ୟୁରୋ

ନାଁ ତାଙ୍କର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ। ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସାରା ଭାରତ ବର୍ଷରେ ଜଣେ ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲ। ଆଧୁନିକ ଭାରତର ଗଠନକାରୀ ସର୍ଦ୍ଦାର ପଟେଲ ଅକ୍ଟୋବର ୩୧ ତାରିଖ ଆଜିର ଦିନରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ୧୪୫ତମ ପୁଣ୍ୟ ଜନ୍ମତିଥିକୁ ସାରା ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି।

ଗୁଜୁରାଟର ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତର ଜଣେ ମହାନ ଜନନେତା ହୋଇପାରିଥିଲେ। ତାଙ୍କର ଦୃଢ଼ ସଂକଳ୍ପ ବଳରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ। ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ।

Ironman of India - Sardar Vallabhbhai Patel

ସର୍ଦ୍ଦାର ପଟେଲ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅଭିଜ୍ଞତା, ବିଶେଷ କରି ୧୯୨୦ରେ ସେ ଯେତେବେଳେ ଅହମ୍ମଦାବାଦ ପୌର ପାଳିକାର ପ୍ରଶାସକ ଥିଲେ, ସ୍ୱାଧୀନ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଶେଷ ଭାବେ କାମରେ ଆସିଥିଲା। ଅହମ୍ମଦାବାଦରେ ଥିବା ସମୟରେ ସେ ସହରର ସ୍ୱଚ୍ଛତାକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସେ ସାରା ସହରରେ ସ୍ୱଚ୍ଛତା ଏବଂ ଡ୍ରେନେଜ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥିଲେ। ସଡ଼କ, ବିଦ୍ୟୁତିକରଣ ଏବଂ ଶିକ୍ଷା ଭଳି ସହରାଞ୍ଚଳ ଭିତ୍ତିଭୂମିର ଅନ୍ୟ ଦିଗ ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ସର୍ଦ୍ଦାର ପଟେଲଙ୍କର ଦୁଇଟି ବିଶେଷତ୍ୱ ଥିଲା – ବିଶ୍ୱାସ ଏବଂ ସଚ୍ଚୋଟତା। ଭାରତର କୃଷକମାନେ ତାଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ। ସର୍ବୋପରି, ସେ ଜଣେ କୃଷକର ପୁତ୍ର ଥିଲେ, ଯିଏ ବର୍ଦ୍ଦୋଲୀ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ଶ୍ରମିକ ଶ୍ରେଣୀର ଲୋକମାନେ ତାଙ୍କଠାରେ ଆଶାର କିରଣ ଦେଖିପାରିଥିଲେ, ଯିଏକି ସେମାନଙ୍କ ପାଇଁ କହିପାରିବ। ବ୍ୟବସାୟୀ ଏବଂ ଶିଳ୍ପପତି ସର୍ଦ୍ଦାର ପଟେଲଙ୍କ ସହିତ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ କାରଣ ସେମାନେ ତାଙ୍କଠାରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱଙ୍କୁ ଦେଖିପାରୁଥିଲେ ଯାହାଙ୍କଠାରେ ଭାରତର ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଦୂରଦୃଷ୍ଟି ରହିଥିଲା।

୨୦୧୮  ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ନର୍ମଦା ନଦୀ ତଟରେ ତାଙ୍କର ୧୮୨ ମିଟର ଉଚ୍ଚ ପ୍ରତିମାର ଲୋକାର୍ପିତ କରିଥିଲେ। ଯାହାକୁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ କୁହାଯାଉଛି।

Comment