ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ମଣିଷ ଜୀବନରେ ସଫଳତା ବିଫଳତା ଲାଗି ରହିଥାଏ। ହେଲେ ଯିଏ କଠିନ ସମୟରେ ଧୈର୍ଯ୍ୟ ଧରି ପରିସ୍ଥିତିକୁ ସାମ୍ନା କରେ  ଓ ସାହସର ସହିତ ମୁକାବିଲା କରେ ସେ ହିଁ ସଫଳତା ପାଏ‘‘,  ଏକଥା କହିଛନ୍ତି ଓଡ଼ିଶାର ଜଣେ ପରିଚିତ ଅଭିନେତା ତଥା ରାଜନେତା ଆକାଶ ଦାସନାୟକ।

ଆକାଶ ତାଙ୍କର ଏହି କଥାକୁ ଯଥାର୍ଥତା ଦେବା ପାଇଁ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ‘ଆକାଶ ଇନସ୍ପାୟର୍ସ’ରେ ଏକ ସୁନ୍ଦର କାହାଣୀର ଅବତାରଣା କରିଛନ୍ତି। ସେ ପଦ୍ମଶ୍ରୀ ଅରୁଣିମା ସିହ୍ନାଙ୍କ କଥା କହିଛନ୍ତି, ଯିଏକି ଉତ୍ତରପ୍ରଦେଶର ଜଣେ ନିପଟ ମଫସଲ ଝିଆ।

୨୦୧୧ ମସିହାରେ ଅରୁଣିମାଙ୍କୁ କିଛି ଅପରାଧୀ ବରେଲୀ ନିକଟରେ ପଦ୍ମାବତୀ ଏକ୍ସପ୍ରେସରୁ ଫିଙ୍ଗି ଦେଇଥିଲେ। ସେହି ଦୁର୍ଘଟଣାରେ ଅରୁଣିମା ତାଙ୍କର ଗୋଟିଏ ଗୋଡ଼ ହରାଇଥିଲେ। ଗୋଟିଏ ଗୋଡ଼ ହରାଇବା ପରେ ବି ସେ ହାର ମାନିନଥିଲେ। ସେ ଏକ କୃତ୍ରିମ ଗୋଡ଼ ଲଗାଇ ଏଭରେଷ୍ଟ ଚଢ଼ିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏକଥା ଶୁଣିବା ପରେ ତାଙ୍କ ପରିବାର ଲୋକ ସେ ପାଗଳ ହୋଇଯାଇଛନ୍ତି ବୋଲି କହିଲେ।

ଗୋଡ଼ ନଥାଇ ସେ କେମିତି ଏଭରେଷ୍ଟ ଚଢ଼ିବେ ବୋଲି ତାଙ୍କ ଘରଲୋକ ଭାବୁଥିଲେ। କାରଣ ତାଙ୍କ ପରିବାର ଲୋକ ତାଙ୍କ ଶାରିରୀକ କ୍ଷମତାକୁ ଦେଖୁଥିଲେ ତାଙ୍କ ମନରେ ଜଳୁଥିବା ସେ ଆତ୍ମବିଶ୍ୱାସର ନିଆଁକୁ ଦେଖିପାରି ନଥିଲେ। ଶେଷରେ୨୦୧୩ ମସିହାରେ ସେ ପ୍ରଥମ ଦିବ୍ୟାଙ୍ଗ ମହିଳା ଭାବେ ଏଭରେଷ୍ଟ ଚଢ଼ି ବିଶ୍ଵ ରେକର୍ଡ କରିଥିଲେ। ଏଥରୁ ଏହା ସ୍ପଷ୍ଟ ଯେ ମଣିଷର ଶାରୀରିକ ଶକ୍ତି ନୁହେଁ ମାନସିକ ଶକ୍ତି ହିଁ ପ୍ରକୃତ ଶକ୍ତି।

Comment