ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା-ଇଣ୍ଡୋନେସିଆ ସମ୍ପର୍କରେ ‘ବାଲିଯାତ୍ରା’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍କଳ ସାଧବ ପୁଅମାନେ ସାତ ଦରିଆ ପାର୍ ହୋଇ ପୂର୍ବରୁ ଇଣ୍ଡୋନେସିଆରେ ବ୍ୟବସାୟ କରୁଥିବାର ରହିଛି ଐତିହ୍ୟ। ବିଶେଷକରି ବାଲି, ସୁମାତ୍ରା ସହିତ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଜଡିତ ରହିଛି, ଯାହା ଉଭୟ ଦେଶର ବାଣିଜ୍ୟିକ ସମ୍ପର୍କର ଭିତ୍ତିଭୂମି ସୁଦୃଢ କରିଛି।

ଏହି ସମ୍ପର୍କକୁ ଅଧିକ ମଜଭୁତ୍ କରିବା ଉଦ୍ଦେଶ୍ୟରେ ଏଥର ବାଲିଯାତ୍ରାରେ ଇଣ୍ଡୋନେସିଆ ଦୂତାବାସ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶର କୂଟନୈତିକ ସମ୍ପର୍କକୁ ନେଇ ଏକ ଶିବିର ଆୟୋଜନ କରାଯିବାର ଯୋଜନା କରାଯାଉଛି। କେନ୍ପାଙ୍ଗ, ଗଙ୍ଗସା, ଉଗାଲ୍, ରେୟଙ୍ଗ୍, ରେବାବ୍, ବେଡୁଗ୍ ଓ କାଲୁଙ୍ଗ ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାର କଳାକୌଶଳ ପ୍ରର୍ଶନ କରାଯିବ।

ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କର କିଛି ଫଟୋଚିତ୍ର ପ୍ରଦର୍ଶନ କରିବାର ଯୋଜନା କରାଯାଉଥିବା ଜଣାପଡିଛି। ତେବେ ଏଭଳି ଯୋଜନା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବ। ପୂର୍ବରୁ ବାଲି ଇଣ୍ଡୋନେସିଆର ବାଲି ଦୀପପୁଞ୍ଜସ୍ଥିତ ଗାନ୍ଧୀପୁରୀ ଆଶ୍ରମର ଅଧ୍ୟକ୍ଷ ଅଗସ୍ତ୍ୟ ଇନ୍ଦ୍ର ଉନ୍ନୟନ ୨୦୧୭ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହାପରେ ଗତବର୍ଷ ନୌବାଣିଜ୍ୟ ସଂଗ୍ରହାଳୟରେ ସ୍ୱତନ୍ତ୍ର ‘ବାଲି କର୍ଣ୍ଣର’ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ଗତବର୍ଷ ବାଲି ଗଭର୍ଣ୍ଣର ଅନେକଗୁଡିଏ ଐତିହାସିକ ସାମଗ୍ରୀ ନୌବାଣିଜ୍ୟ ସଂଗ୍ରହାଳୟକୁ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ୧୩ ପ୍ରକାରର ବାଦ୍ୟଯନ୍ତ୍ର ରହିଥିଲା।

ସଂଗ୍ରହାଳୟର ଐତିହାସିକ ଗ୍ୟାଲେରୀରେ ଇଣ୍ଡୋନେସିଆର ରାବଣ ପ୍ରତିମୂର୍ତ୍ତୀ ଥିବା ବେଳେ ବର୍ତ୍ତମାନ ପୁରାତନ ଗରୁଡ ମୂର୍ତ୍ତୀ, ଦେବଦେବୀଙ୍କ ପ୍ରତିମୂର୍ତ୍ତ ଓ ଅନେକ ବିଭିନ୍ନ ମୁଖା ସ୍ଥାନ ପାଇପାରିନାହିଁ। ଅନ୍ୟପକ୍ଷରେ ନାଭାଲ୍ ବ୍ୟାଣ୍ଡ୍ ମଧ୍ୟ ବାଲିଯାତ୍ରାକୁ ଅଣାଯିବାକୁ ଯୋଜନା ହେଉଥିବା ଶୁଣିବାକୁ ମିଳୁଛି। ତେବେ ଉଭୟ ବାଲି ଷ୍ଟଲ୍ ଏବଂ ନାଭାଲ୍ ବ୍ୟାଣ୍ଡ୍ ଆଣିଲେ ନିଶ୍ଚିତ ଭାବେ ବାଲିଯାତ୍ରାର ଆକର୍ଷଣ ବୃଦ୍ଧି ହେବ।

Comment