ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୯ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିଲା ମହାନାଟକ। ରାଷ୍ଟ୍ରପତି ଶାସନ ପରେ ନାଟକ ହେଲା ଶେଷ।

ଗତ ୧୯ ଦିନ ହେଲା ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ପାଲା ଚାଲିଛି। ଅକ୍ଟୋବର ୨୪ରୁ ନଭେମ୍ବର ୧୯ ଯାଏଁ ପ୍ରତିଦିନ କିଛି ନା କିଛି ନାଟକ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳୁଛି। ଗୋଟିଏ ତାରିଖରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳ ବାହାରିଥିଲା। ହରିୟାଣା ଅପେକ୍ଷା ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବା ସ୍ଥିତିରେ ରହିଥିଲା। ହେଲେ ହରିୟାଣାରେ ବିଜେପି ଜେଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ପଦ ହାତେଇଥିବା ବେଳେ ମହାରାଷ୍ଟ୍ରରେ ନାକେଦମ୍‌ ହେବାକୁ ପଡ଼ିଛି।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ଏବଂ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବାକୁ ଯାଉଛି।

ଅକ୍ଟୋବର ୨୪ – ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳ ବାହାରିଥିଲା। ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନା ୫୬, ଏନ୍‌ସିପି ୫୪, କଂଗ୍ରେସକୁ ୪୪ ଆସନ ମିଳିଥିଲା। ନିର୍ବାଚନ ପୂର୍ବରୁ ବିଜେପି ଶିବସେନା ସହ ଏବଂ କଂଗ୍ରେସ ଏନ୍‌ସିପି ସହ ମେଣ୍ଟ କରିଥିଲା। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ୧୪୫ ମ୍ୟାଜିକ୍‌ ନମ୍ବର ଦରକାର ଥିଲା। ବିଜେପି-ଶିବସେନା ମେଣ୍ଟ ପାଖରେ ଏହି ନମ୍ବର ଥିବାରୁ ସେମାନେ ସରକାର ଗଠନ କରିବେ ବୋଲି ଚର୍ଚ୍ଚା ହେଲା।

ଅକ୍ଟୋବର ୨୫ – ହରିୟାଣାରେ ବିଜେପି ସରକାର ଗଠନ କରିବାକୁ ନେଇ ଉଦ୍ୟମ କରୁଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ସରକାର ଗଠନ ପାଇଁ ମୂଲଚାଲ ଆରମ୍ଭ କରିଥିଲା। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଫିପ୍ଟି-ଫିପ୍ଟି ଫର୍ମୁଲା କଥା କହିଲେ। ଅର୍ଥାତ୍‌ ଶିବସେନା ପାଖରେ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଏବଂ ବିଜେପି ପାଖରେ ଅଢ଼େଇ ବର୍ଷ ଏହି ପଦବୀ ରଖିବାକୁ ଉଦ୍ଧବ ଗୋଟି ଚଳାଇଲେ।

ଅକ୍ଟୋବର ୨୬ – ବିଜେପିର ୫୬ ଜଣ ବିଧାୟକଙ୍କୁ ଏକାଠି ରଖିବା ପାଇଁ ମୁମ୍ବାଇ ସେନା ଅଫିସ୍‌ରେ ବୈଠକ ବସିଲା। ଏହି ବୈଠକରେ ନବନିର୍ବାଚିତ ବିଧାୟକଙ୍କୁ ଉଦ୍‌ବୋଧନ ଦେଲେ ଉଦ୍ଧବ ଠାକ୍‌ରେ। ଫିପ୍ଟି-ଫିପ୍ଟି ପଲିସିରେ ଅଟଳ ରହିବାକୁ ଠାକ୍‌ରେ ବିଧାୟକମାନଙ୍କୁ ମନ୍ତ୍ର ଫୁଙ୍କିଲେ।

ଅକ୍ଟୋବର ୨୭ – ଶିବସେନାର ଫିପ୍ଟି-ଫିପ୍ଟି ଫର୍ମୁଲାକୁ ଗ୍ରହଣ କଲେ ନାହିଁ ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍‌। ସେ କହିଲେ ସେ ମହାରାଷ୍ଟ୍ର ଏକ ସ୍ଥିର ସରକାର ଚାହୁଁଛି। ଶିବସେନା ଯାହା କହୁଛି ସେ ବିଷୟରେ ଆଲୋଚନା କରାଯିବ।

ଅକ୍ଟୋବର ୩୦ – ଶିବସେନାର ଫିପ୍ଟି-ଫିପ୍ଟି ଦାବି ଭିତରେ ବିଜେପି ଅସଲ ଖେଳ ଖେଳିଲା। ଦେବେନ୍ଦ୍ର ଫଡ଼୍‌ନାବିସ୍‌ଙ୍କୁ ବିଜେପିର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଗଲା। ଫଡ୍‌ନାବିସ୍‌ଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରି ସହଯୋଗୀ ଶିବସେନାକୁ ବଡ଼ ବାର୍ତ୍ତା ଦେଲା ବିଜେପି। ଏହାକୁ ନେଇ ରାଜନୀତି ସରଗରମ ହେଲା।

ଅକ୍ଟୋବର ୩୧ – ବିଜେପିକୁ ମୁହଁତୋଡ଼ ଜବାବ ଦେଲା ସେନା। ବିଜେପି ପଡନାବିସ୍‌ଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିବାର ଦିନକ ପରେ ଶିବସେନା ବି ତାର ଚାଲ୍‌ ଖେଳିଲା। ଏକଥା ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରି ବିଜେପିକୁ ଚେକ୍‌ ଦେଲା।

ଅକ୍ଟୋବର ୩୧- ଦିନ ପରେ ଦିନ ଗଡ଼ିଲା ପଛେ ଶିବସେନା ଫିପ୍ଟି-ଫିପ୍ଟି ଫର୍ମୁଲା ଜିଦ୍‌ରୁ ଓହରିଲା ନାହିଁ। ଉଦ୍ଧବ ଠାକ୍‌ରେ ଦାବି ଜୋର୍‌ ଧରିଲା। ବିଜେପିର ବଡ଼ ଭାଇ ପଣିଆକୁ ଆଉ ବରଦାସ୍ତ କରାଯିବନି ବୋଲି ଉଦ୍ଧବ କହିଲେ। ସବୁବେଳେ ବିଜେପି ମୁଖ୍ୟମନ୍ତ୍ରୀ ପଦ ନେଉଛି। ଏଥର ଅଢ଼େଇ ବର୍ଷ ଶିବସେନାର ପାଳି।

ହେଲେ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। ବିଜେପି ଏବଂ ଶିବସେନା ନେତାଙ୍କ ଭିତରେ ବୟାନବାଜି ଚାଲିଲା। ମହାରାଷ୍ଟ୍ରରୁ ଦିଲ୍ଲୀ ରାଜନୀତି ଉଠିଲା ପଡ଼ିଲା। ନିର୍ବାଚନ ପୂର୍ବରୁ ବିଜେପି ସହ କୌଣସି ଡିଲ୍‌ ହୋଇ ନଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଲେ। ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ସହ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦେବାକୁ ରାଜି ହେଲା ବିଜେପି। କିନ୍ତୁ ସେନା ନିଜ ଜିଦ୍‌ରେ ଅଟଳ ରହିଲା।

ନଭେମ୍ବର ୮ – ବିଜେପି ଓ ଶିବସେନା ଭିତରେ ଭାଗବଣ୍ଟା ନଛିଣ୍ଡିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍‌ନାବିସ୍‌। ଏହାପରେ ଶିବସେନା ଓ ଏହାର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଟାର୍ଗେଟ କଲେ ଫଡ୍‌ନାବିସ୍‌। ନୂଆ ସରକାର ଗଠନ ହେବା ଯାଏଁ ଫଡ୍‌ନାବିସ୍‌ଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ।

ନଭେମ୍ବର ୯ – ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଲା। ନୂଆ ସରକାର ଗଠନ ପାଇଁ ରାଜ୍ୟପାଳ ପ୍ରକ୍ରିୟା ଆରମ୍ଭ କଲେ। ମହାରାଷ୍ଟ୍ରରେ ଚଳିତ ନିର୍ବାଚନରେ ବଡ଼ ପାର୍ଟି ଭାବେ ଉଭା ହୋଇଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରିତ କଲେ ରାଜ୍ୟପାଳ।

ନଭେମ୍ବର ୧୦ – ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନଥିବାରୁ ବିଜେପି ସରକାର ଗଠନରୁ ଓହରି ଗଲା। ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କଲା। ଦ୍ୱିତୀୟ ବଡ଼ ଦଳ ଭାବେ ମାନ୍ୟତା ପାଇଥିବା ଶିବସେନାକୁ ଡାକିଲେ ରାଜ୍ୟପାଳ। ସରକାର ଗଠନ ପାଇଁ ପ୍ରସ୍ତାବ ଦେଲେ।

ନଭେମ୍ବର ୧୧ – ଦିନ ସାରା ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଲା ଶିବସେନା। ବିରୋଧୀ ଏନ୍‌ସିପି ଏବଂ କଂଗ୍ରେସ ସହ କଥାବାର୍ତ୍ତା କଲା। ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ସମର୍ଥନ ମାଗିଲେ ଉଦ୍ଧବ। ଏହାସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଫୋନ୍‌ରେ କଥା ହେଲେ ଉଦ୍ଧବ ଠାକ୍‌ରେ। ହେଲେ କଂଗ୍ରେସ ସମର୍ଥନ ନେଇ ନିଷ୍ପତ୍ତି ନେଇ ପାରିଲା ନାହିଁ। ଶିବସେନା ରାଜ୍ୟପାଳଙ୍କୁ ଭେଟି ଆଉ ତିନି ଦିନ ସମୟ ମାଗିଲା। ରାଜ୍ୟପାଳ ଏହାକୁ ଅଗ୍ରାହ୍ୟ କରି ଏନ୍‌ସିପିକୁ ଡାକିଲେ।

ନଭେମ୍ବର ୧୨ – ଏନ୍‌ସିପି ସମୟ ମାଗିବାରୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ସୁପାରିଶ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବସିଲା। ରାଜ୍ୟପାଳଙ୍କ ସୁପାରିଶରେ ମୋହର ମାରି ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦିଆଗଲା। ଶେଷରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

Comment