ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିକ୍ରି ହେବ ଏୟାରଲାଇନ୍ସ କମ୍ପାନି ଏୟାର ଇଣ୍ଡିଆ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ। କରଜରେ ବୁଡ଼ି ରହିଥିବା ସରକାରଙ୍କ ଏହି ଦୁଇଟି କମ୍ପାନି ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ବିକ୍ରି କରାଯିବ। ଏନେଇ ଜାତୀୟ ଗଣମାଧ୍ୟମ ଟାଇମ୍‌ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଦୁଇଟି କମ୍ପାନିକୁ ବିକ୍ରି କଲେ ସରକାରଙ୍କୁ ଚଳିତ ଅର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଲାଭ ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି,” ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆ ଏବଂ ଭାରତ ପେଟ୍ରୋଲିୟମ କମ୍ପାନି ବିକ୍ରି କରାଯିବ। ଏୟାର ଇଣ୍ଡିଆ ବିକ୍ରି ପ୍ରକ୍ରିୟା ଆରମ୍ଭ ପୂର୍ବରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗତବର୍ଷ କମ୍ପାନିକୁ କିଣିବା ପାଇଁ ନିବେଶକଙ୍କ ମଧ୍ୟ ଏତେଟା ଉତ୍ସାହ ଦେଖାବାକୁ ମିଳିନଥିଲା। ତେଣୁ ଗତ ବର୍ଷ ଏହାକୁ ବିକ୍ରି କରାଯାଇନଥିଲା।”

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଚାଲିଥିବା ଅର୍ଥିକ ମାନ୍ଦାବସ୍ଥାସହ ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନେକ କ୍ଷେତ୍ରରେ ଅର୍ଥନୀତିରେ ସୁଧାର ମଧ୍ୟ ଆସୁଛି। ତେଣୁ ଠିକ୍‌ ସମୟରେ ସଠିକ ନିଷ୍ପତ୍ତି ନେବା ଜରୁରୀ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Comment