ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ
  • ଅଂଶଗ୍ରହଣ କରିବେ ୫ ଦେଶର ବାଲୁକାଶିଳ୍ପୀ
  • ପରିବେଷଣ ହେବ ଓଡ଼ିଶୀ, କଥକ, କୁଚିପୁଡ଼ି ଓ ଭାରତନାଟ୍ୟମ

ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ଉତ୍ସବ। କୋଣାର୍କ ମନ୍ଦିରରେ ଥିବା ମୁକ୍ତାକାଶ ମଞ୍ଚରେ ଏହି ଉତ୍ସବ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଶ୍ୱ ଦରବାରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି କୋଣାର୍କ ଉତ୍ସବ। ୧୯୮୯ରୁ  ଆରମ୍ଭ ହୋଇଥିବା ଏହି ଉତ୍ସବ ଏକ ପ୍ରମୁଖ ଭାରତୀୟ ନୃତ୍ୟ ଉତ୍ସବ ଭାବେ ପରିଚୟ ହାସଲ କରିଛି।

କୋଣାର୍କ ଉତ୍ସବ ସହ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବାକୁ ଥିବା ବାଲୁକାକଳା ଉତ୍ସବରେ ୬ଟି ଦେଶର ବାଲୁକାଶିଳ୍ପୀମାନେ ଭାଗ ନେବେ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

୨୦୧୫ରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ଉତ୍ସବର ଏହା ପାଞ୍ଚ ବର୍ଷ। ଓଡ଼ିଶାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ମୂଳରୁ ଯୋଡ଼ି ହୋଇ ରହିଛନ୍ତି।

କୋଣାର୍କ ଉତ୍ସବର ପ୍ରଥମ ଦିନରେ ଓଡ଼ିଶୀ ଓ କଥକ ପରିବେଷଣ ହେବ। ଦ୍ୱିତୀୟ ଦିନରେ ଇଣ୍ଡୋନେସିଆର ପ୍ରସିଦ୍ଧ ଲୋକନୃତ୍ୟ ଓ ଓଡ଼ିଶୀ, ତୃତୀୟ ଦିନରେ ଓଡ଼ିଶୀ ଓ ମୋହିନଆଟମ୍‌, ଚତୁର୍ଥ ଦିନରେ କୁଚିପୁଡ଼ି ଓ ଓଡ଼ିଶୀ ଏବଂ ଶେଷ ଦିନରେ ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

କୋଣାର୍କ ଉତ୍ସବ ଦେଖିବା ପାଇଁ ଆସୁଥିବା ଦର୍ଶକମାନଙ୍କ ପାଇଁ ଯାତ୍ରୀ ନିବାସରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯିବ।

ଚଳିତବର୍ଷର ଉତ୍ସବ ଆୟୋଜନ ପାଇଁ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପର୍ଯ୍ୟଟନ ସଚିବ ବିଶାଳ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଓଡ଼ିଶା ପର୍ଯ୍ୟଟନ ନିଗମ ମୁଖ୍ୟ ପରିଚାଳକ ହେମକାନ୍ତ ସାଏ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment