ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିରୋଧୀଙ୍କୁ ଆଜି କଡ଼ା ଭାଷାରେ ଜବାବ ଦେଇଛନ୍ତି। ମହିଳାମାନଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ବନ୍ଦ କର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ପକ୍ଷରୁ ହେଉଥିବା ତଦନ୍ତରେ କେହି ଅସନ୍ତୁଷ୍ଟ ଥିଲେ ସେମାନେ ଆଇନଗତ ଆଶ୍ରୟ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ଚାଲିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜର ବିବୃତି ରଖି ବିରୋଧୀଙ୍କୁ ଜବାବ ଦେଇଥିଲେ।

‘‘ମହିଳାଙ୍କ ପ୍ରତି ହିଂସାକୁ ନେଇ ହେଉଥିବା ରାଜନୀତି ହେଉଛି ଅମାନବିକତା। ଏଭଳି ରାଜନୀତିରେ କିଛି ଫଳ ମିଳିବ ନାହିଁ। ଦୁଷ୍କର୍ମ, ହତ୍ୟା ଏବଂ ମହିଳାଙ୍କ ମୃତ୍ୟୁ ହେଉଛି ଅତ୍ୟନ୍ତ ଦୁଃଖଦ ଘଟଣା। ଏହାକୁ ନେଇ ରାଜନୀତି କଲେ ଲୋକଙ୍କ ପାଖକୁ ଭୁଲ୍‌ ବାର୍ତ୍ତା ଯାଇଥାଏ। ଯଦି କେହି ସରକାରଙ୍କ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ତାହାଲେ ସେମାନେ ଆଇନର ଆଶ୍ରୟ ନିଅନ୍ତୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘‘ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଆମ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯାଉନି। ତ୍ୱରିତ ଓ ପେସାଦାର ତଦନ୍ତ ଯୋଗୁଁ ୪ଟି ସମ୍ବେଦନଶୀଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ସମ୍ଭବପର ହୋଇଛି। ରେଡ୍‌ ଫ୍ଲାଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୨୦୧୯ରେ ୪୧.୪୮ ପ୍ରତିଶତକୁ ବୃଦ୍ଧି ପାଇଛି।’’

5-T ଓ ମୋ ସରକାର ସମ୍ପର୍କରେ ଗୃହକୁ ଅବଗତ କରିଥିଲେ ମୁଖ୍ୟମନ୍ତ୍ରୀ।

‘‘ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ସୁଶାସନରେ 5-T ଓ ମୋ ସରକାର ହେଉଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଥାନାରେ ମୋ ସରକାର କାର୍ଯ୍ୟକାରୀ ହେବା ପରେ ମୁଁ ନିଜେ ୩୦୦ ଲୋକଙ୍କୁ ଫୋନ୍‌ କରିଛି। ଏଥିଯୋଗୁଁ ଥାନାରେ ବ୍ୟାପକ ପରିବର୍ତ୍ତନ ଆସିଛି। 5-T ମାଧ୍ୟମରେ ସଶକ୍ତ ଓଡ଼ିଶା ଗଠନ ଦିଗରେ ଶାସନରେ ସ୍ୱଚ୍ଛତା ଆଣିବାକୁ କାର୍ଯ୍ୟ କରାଯାଉଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

Comment