ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ମହାଡ୍ରାମା ଆଉ ଗୋଟିଏ ରାତି ପରେ ଶେଷ ହୋଇଯିବ। ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶିବସେନା, ଏନସିପି ଓ କଂଗ୍ରେସର ମହା ବିକାଶ ଅଘାଡ଼ି ମେଣ୍ଟର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଶପଥ ନେବେ।
ତେବେ ଗୋଟିଏ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧବ ମହାରାଷ୍ଟ୍ର ବିଧାନସଭା କିମ୍ବା ବିଧାନପରିଷଦର ସଦସ୍ୟ ହୋଇନାହାନ୍ତି। ଏହାପରେ ମଧ୍ୟ ସେ ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଜଣେ ବ୍ୟକ୍ତି ବିନା କୌଣସି ନିର୍ବାଚନ ଲଢ଼ି ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିବ। 
ବିଧାୟକ ନହୋଇ ମଧ୍ୟ କେମିତି ହେବେ ମୁଖ୍ୟମନ୍ତ୍ରୀ?
ଜଣେ ବ୍ୟକ୍ତି ବିନା କୌଣସି ନିର୍ବାଚନ ନଲଢ଼ି କିମ୍ବା ବିଧାନସଭାର ସଦସ୍ୟ ନହୋଇ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିବ। ଯେମିତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଉଦ୍ଧବ ଠାକରେ।
ତେବେ ସମ୍ବିଧାନର ନିୟମ ଅନୁସାରେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଛଅ ମାସ ଭିତରେ ଉଦ୍ଧବଙ୍କୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ। ଏଥିପାଇଁ ତାଙ୍କ ଦଳ କିମ୍ବା ମେଣ୍ଟର କୌଣସି ବିଧାୟକ ତାଙ୍କ ଆସନରୁ ଇସ୍ତଫା ଦେବେ। ଏହାପରେ ସେହି ଆସନରେ ଉପ-ନିର୍ବାଚନ ହେବ। ଯେଉଁଥିରେ ବିଧାୟକ ଭାବେ ପ୍ରାର୍ଥୀ ହେବେ ଉଦ୍ଧବ ଠାକରେ। ସେହି ନିର୍ବାଚନରେ ବିଜୟୀ ହୋଇ ସେ ବିଧାନସଭାକୁ ନିର୍ବାଚିତ ହୋଇଆସିବେ।
ନିର୍ବାଚନରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ପ୍ରଥମ କରି ଠାକରେ ପରିବାରରୁ ନିର୍ବାଚନ ଲଢ଼ିଥିଲେ। ସେ ମହାରାଷ୍ଟ୍ରର ୱର୍ଲି ବିଧାନସଭା ଆସନରୁ ପ୍ରଥମ କରି ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁସାରେ, ଆଦିତ୍ୟ ଏହି ଆସନରୁ ବିଧାୟକ ଭାବେ ଇସ୍ତଫା ଦେବେ ଏବଂ ଉଦ୍ଧବ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହେବେ।


















