ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜୋରଦାର ଚାଲିଛି ଚେକିଂ। ଏହା ମଧ୍ୟରେ ଏକ କାର୍‌ ମାଲିକଙ୍କୁ ୯ଲକ୍ଷ ୮୦ ହଜାର ଟଙ୍କାର ଚାଲାଣ କାଟିଛି ଅହମ୍ମଦାବାଦ ପୋଲିସ୍। ଏଯାଏଁ ଏହା ଦେଶର ସବୁଠାରୁ ବଡ଼ ଚାଲାଣ ବୋଲି କୁହାଯାଉଛି। ଚାଲାଣ କଟାଯାଇଥିବା ଗାଡ଼ି ହେଉଛି ପୋର୍ସ କମ୍ପାନୀର ସବୁଠାରୁ ଦାମୀ ଗାଡ଼ି। ଯାହାର ମୂଲ୍ୟ ସାଢ଼େ ଦୁଇ କୋଟି।


ଅହମ୍ମଦାବାଦର ସିନ୍ଧୁ ଭବନ ରୋଡ୍‌ଠାରେ ଏକ ଦାମୀ ଗାଡ଼ିରୁ ଟ୍ରାଫିକ ପୋଲିସ ଦ୍ଵାରା ଏହି ଫାଇନ କଟାଯାଇଛି। ଗାଡ଼ି ଚାଳକ ଜଣକ ସିଟ୍‌ ବେଲ୍ଟ ପିନ୍ଧି ନଥିଲେ, ଗାଡ଼ିର ନମ୍ଵର ପ୍ଲେଟ ନଥିଲା, ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର ମଧ୍ୟ ନଥିଲା। ଏହି ସବୁ ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କୁ ୯ଲକ୍ଷ ୮୦ ହଜାର ଟଙ୍କାର ଚାଲାଣ କଟିଥିଲା ଅହମ୍ମଦାବାଦ ପୋଲିସ।

ସେପ୍ଟେମ୍ଵର ମାସରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ବେଆଇନ ଗାଡ଼ି ଚାଳକଙ୍କ ନିଦ ହଜି ଯାଇଛି। ସେହିପରି ଦିଲ୍ଲୀରେ ମଧ୍ୟ ସେପ୍ଟେମ୍ଵର ମାସରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଟ୍ରକକୁ ୨ ଲକ୍ଷ ଟଙ୍କାର ଚାଲାଣ କଟାଯାଇଥିଲା।

Comment